Image Courtesy of India Today
ନୂଆଦିଲ୍ଲୀ : ସରକାରଙ୍କ ହାତରୁ ଆସି ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ବିମାନ କଂପାନି ଏୟାର ଇଣ୍ଡିଆ ୫୦୦ଟି ନୂଆ ବିମାନ କିଣିବା ଲାଗି ବରାଦ ଦେବା ଉପରେ ବିଚାର କରୁଛି। ଏହା ହେବ ଭାରତର ସବୁଠୁ ବଡ଼ ବିମାନ ବରାଦ। ବିଶ୍ବର ଦୁଇ ପ୍ରମୁଖ ବିମାନ ନିର୍ମାଣକାରୀ ସଂସ୍ଥା ଏୟାରବସ୍ ଓ ବୋଇଙ୍ଗ୍ଠାରୁ ଟାଟା ଏହି ବିମାନଗୁଡ଼ିକୁ ମଗାଇବ। ସେଥିପାଇଁ କୋଟି କୋଟି ଡଲାର ଖର୍ଚ୍ଚ ହେବ। ଟାଟା ୪୦୦ ନୂଆ ଅଣ ଓସାରିଆ ବଡି ଥିବା ବିମାନ ଏବଂ ୧୦୦ କିମ୍ବା ତା’ଠାରୁ ଅଧିକ ଏୟାରବସ୍ ଏ୩୫୦, ବୋଇଙ୍ଗ୍ ୭୮୭ ଓ ୭୭୭ ଭଳି ଚଉଡ଼ା ବଡି ଥିବା ବିମାନ କିଣିବା ଲାଗି କଥାବାର୍ତ୍ତା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଟାଟା, ବୋଇଙ୍ଗ୍ ଓ ଏୟାରବସ୍ ଏହି ଖବରକୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା କଂପାନିଗୁଡ଼ିକ ପାଖରେ ଏବେ ୨୧୮ଟି ବିମାନ ରହିଛି।
ରତନ ଟାଟାଙ୍କ କଂପାନି ଟାଟା ଗ୍ରୁପ୍ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ସରକାରଙ୍କଠାରୁ କିଣିଛି। ଏହା ପୂର୍ବରୁ ଟାଟା ଅଧୀନରେ ଅନ୍ୟ ଦୁଇଟି ବିମାନ କଂପାନି ଏୟାର ଏସିଆ ଇଣ୍ଡିଆ ଏବଂ ଭିସ୍ତାରା ଥିଲା। ମାଲେସିଆର ସଂସ୍ଥା ଏୟାର ଏସିଆ ଏବଂ ସିଙ୍ଗାପୁରର ସଂସ୍ଥା ସିଙ୍ଗାପୁର ଏୟାରଲାଇନ୍ସ ସହ ଯୌଥ ଉଦ୍ୟୋଗ ସ୍ଥାପନ କରି କଂପାନି ଏହି ଦୁଇ ସଂସ୍ଥାର ପରିଚାଳନା କରୁଛି। କିଛି ଦିନ ପୂର୍ବେ ଏୟାର ଏସିଆ ଏହାର ସମସ୍ତ ଅଂଶଧନକୁ ପ୍ରତ୍ୟାହାର କରି ଯୌଥ ଉଦ୍ୟୋଗରୁ ବିଦାୟ ନେବାରୁ ସମ୍ପୂର୍ଣ୍ଣ କଂପାନି ଏତେ ଟାଟା ଅଧୀନକୁ ଚାଲିଆସିଛି। ଏୟାର ଇଣ୍ଡିଆ, ଏୟାର ଏସିଆ ଇଣ୍ଡିଆ ଏବଂ ଭିସ୍ତାରା ଭଳି ତିନିଟି ପୃଥକ ପୃଥକ କଂପାନିକୁ ପରିଚାଳନା କରିବା ବଦଳରେ ସେସବୁର ମିଶ୍ରଣ କରି ଏକ ବଡ଼ କଂପାନି ଗଠନ କରିବା ଉପରେ ଟାଟା ଗ୍ରୁପ୍ କାର୍ଯ୍ୟ କରୁଛି। ଏୟାର ଇଣ୍ଡିଆ ଓ ଭିସ୍ତାରା ମିଶ୍ରଣରେ ଯେଉଁ ଯୌଥ ଉଦ୍ୟୋଗ ଗଠନ ହେବ ସେଥିରେ ଟାଟା ଗ୍ରୁପ୍ର ୯୭.୯ ପ୍ରତିଶତ ଅଂଶଧନ ରହିବ। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ମିଶ୍ରଣ ପ୍ରକ୍ରିୟା ଶେଷ ହେବ।
Follow Us