ବିକ୍ରି ପୂର୍ବରୁ ୪ ଭାଗ ହେବ ଏୟାର ଇଣ୍ଡିଆ

Advertisment
ଏୟାରଇଣ୍ଡିଆକୁ ସଂପୂର୍ଣ୍ଣ ବିକି ଦେବାକୁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଯାଉଛନ୍ତି। ସରକାର ଅତିକମ୍‌ରେ ୫୧ ପ୍ରତିଶତ ଅଂଶଧନ ବିକ୍ରି ଯୋଜନା ରଖିଛନ୍ତି। ତେବେ ଏୟାର ଇଣ୍ଡିଆର ଅଂଶଧନକୁ ବିକ୍ରି କରିବା ପାଇଁ ଏହାକୁ ୪ଟି କମ୍ପାନିରେ ବିଭକ୍ତ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଏକ ସାକ୍ଷାତକାରରେ କହିଛନ୍ତି।ମନ୍ତ୍ରୀ ଶ୍ରୀ ସିହ୍ନାଙ୍କ କହିବା କଥା ହେଲା ଏୟାର ଇଣ୍ଡିଆ ଓ ଏହାର ବଜେଟ୍‌ ଏୟାରଲାଇନ୍ସ ଶାଖା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌କୁ ମିଳିତଭାବେ ଗୋଟିଏ କମ୍ପାନି ଆକାରରେ ବିଚାରକୁ ନିଆଯାଇ ଏହାର ଅଂଶଧନ ବିକ୍ରି କରାଯିବ। ଏହି ପ୍ର୍ରକ୍ରିୟା ୨୦୧୮ ମସିହା ଶେଷ ସୁଦ୍ଧା ସମ୍ପାଦନ ହେବ। ଦେଶର ବିଭିନ୍ନ ଅଞ୍ଚଳକୁ ବିମାନ ସେବା ଯୋଗାଇ ଦେଉଥିବା ଏୟାର ଇଣ୍ଡିଆର ଆଞ୍ଚଳିକ ଏୟାରଲାଇନ୍ସ ଗୁଡ଼ିକୁ ଅନ୍ୟ ଏକ କମ୍ପାନି ଭାବେ ବିକ୍ରି କରାଯିବ। ଏତଦ୍‌ବ୍ୟତୀତ ଗ୍ରାଉଣ୍ଡ୍‌ ହ୍ୟାଣ୍ଡଲିଂ ଏବଂ ଇଞ୍ଜିନିୟରିଂ ଅପରେସନ୍‌କୁ ଅନ୍ୟ ଦୁଇଟି ପୃଥକ୍‌ କମ୍ପାନିରେ ପରିଣତ କରାଯାଇ ଅଂଶଧନ ବିକ୍ରି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିହ୍ନା ଏକ ସାକ୍ଷାତକାରରେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଏୟାର ଇଣ୍ଡିଆ ଉପରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଅଧିକ ଋଣ ରହିଛି। ଏହି କମ୍ପାନି ଅଧୀନରେ ୨୭ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। କର୍ମଚାରୀମାନଙ୍କୁ ଭିଆର୍‌ଏସ୍‌ ଯୋଜନାରେ ଅବସର ଦେବା ସହିତ ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ନିଯୁକ୍ତି ଦେବା ନେଇ ବିଚାର କରୁଛନ୍ତି। ଋଣବୋଝରେ ଥିବା ଏୟାର ଇଣ୍ଡିଆ ଏବେ ଟିକସଦାତାଙ୍କ ତ୍ରାଣ ପ୍ୟାକେଜରେ ଚାଲିଛି। ତେବେ ଗତ କିଛି ବର୍ଷ ହେଲା ସରକାର ଏହାର ବୋଝ ବୋହି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe