ଅର୍ଥନୀତିର କ୍ଷତି ବଢ଼ାଉଛି ବାୟୁ ପ୍ରଦୂଷଣ: ୧୯୯୦ରୁ ୨୦୧୩ ମଧ୍ୟରେ ୪ ଗୁଣ ବଢ଼ିଛି

୫୬୦ ବିଲିଅନ ଡଲାରରେ ପହଞ୍ଚିଲାଣି

ଅର୍ଥନୀତିର କ୍ଷତି ବଢ଼ାଉଛି ବାୟୁ ପ୍ରଦୂଷଣ: ୧୯୯୦ରୁ ୨୦୧୩ ମଧ୍ୟରେ ୪ ଗୁଣ ବଢ଼ିଛି

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରଦୂଷଣ ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଶ୍ରମିକମାନେ ଦିନକୁ ଯେତିକି ଘଣ୍ଟା କାମ କରିବା କଥା ତାହା ହୋଇପାରୁନାହିଁ। ସ୍କୁଲ ଏବଂ କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ହେଉଛି। ତେବେ ଏସବୁର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି। ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥନୀତିରେ ବାୟୁ ପ୍ରଦୂଷଣଜନିତ କ୍ଷତି ବଢ଼ି ବଢ଼ି ଚାଲିଛି। ବାୟୁ ପ୍ରଦୂଷଣ କାରଣରୁ ୧୯୯୦ରୁ ୨୦୧୩ ମଧ୍ୟରେ ଭାରତୀୟ ଅର୍ଥନୀତିର କ୍ଷତି ୪ ଗୁଣରୁ ଅଧିକ ବୃଦ୍ଧି ପାଇ ୫୬୦ ବିଲିଅନ ଡଲାରରେ‌ ପହଞ୍ଚିଛି ବୋଲି ବିଶ୍ବ ବ୍ୟାଙ୍କ କହିଛି। ବାୟୁ ପ୍ରଦୂଷଣ କାରଣରୁ ଲୋକଙ୍କ ସ୍ବାସ୍ଥ୍ୟ ସେବା ବାବଦ ଖର୍ଚ୍ଚ ମଧ୍ୟ ବଢ଼ୁଛି। ଏପିରିକି ସହରରୁ ପ୍ରତିଭାବାନ ବ୍ୟକ୍ତିମାନେ ମଧ୍ୟ ଅନ୍ୟତ୍ର ପଳାଉଛନ୍ତି। ଏସବୁ ଅର୍ଥନୀତି ପାଇଁ ଅଦୃଶ୍ୟ ବୋଝରେ ପରିଣତ ହୋଇଛି ବୋଲି ବିଶେଷଜ୍ଞ ଏବଂ ଶିଳ୍ପ ଗୋଷ୍ଠୀମାନେ କହିଛନ୍ତି। ପ୍ରଦୂଷଣ ଯୋଗୁ ବୃହତ୍ତର ଅର୍ଥନୈତିକ ପରିବେଶ ନ‌ଷ୍ଟ ହେଉଛି। ବାୟୁ ପ୍ରଦୂଷଣ ଯଦି ବର୍ଷ ପରେ ବର୍ଷ ବଢ଼ିଚାଲେ ଏବଂ ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯାଏ ତାହେଲେ ନିବେଶକମାନଙ୍କୁ ଏକ ଭିନ୍ନ ବାର୍ତ୍ତା ଦେବ ବୋଲି ନୂଆଦିଲ୍ଲୀର ବିଶେଷଜ୍ଞ ହେମନ୍ତ ଶିବକୁମାର କହିଛନ୍ତି।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରାଧିକ ସ୍ତରରେ ପହଞ୍ଚିବା ପରେ କେନ୍ଦ୍ର ସରକାର ୩୦୦ କ୍ଷେତ୍ରୀୟ ପ୍ରତିନିଧି ଦଳକୁ ଏହାର ନିୟନ୍ତ୍ରଣ ପାଇଁ ନିୟୋଜିତ କରିଛନ୍ତି। ଦିଲ୍ଲୀ ସରକାର ମଧ୍ୟ ଗାଡ଼ି ଚଳାଚଳ ଉପରେ କେତେକ କଟକଣା ଜାରି କରିଛନ୍ତି। ଏସବୁ ସତ୍ତ୍ବେ ବିଶ୍ବର ଏକ ପ୍ରମୁଖ ଅର୍ଥନୀତିର ରାଜ‌ଧାନୀରେ ବାୟୁ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଅବଶ୍ୟ ଗତ ସପ୍ତାହରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଭୟଙ୍କର ଥିବାବେଳେ ଏବେ ଏହା ଖରାପ ସ୍ତରକୁ ଉନ୍ନୀତ ହୋଇଛି। ବାୟୁ ପ୍ରଦୂଷଣ ମାନଦଣ୍ଡ ୪୦୦ ଏକ୍ୟୁଆଇରୁ ଅଧିକ ହେଲେ ‌ତାହାକୁ ଭୟଙ୍କର ଆଖ୍ୟା ଦିଆଯାଇଥାଏ। ଦେଶର ଏକ ପ୍ରମୁଖ ଶିଳ୍ପ ସଂଘ ଆସୋଚାମ୍ ପକ୍ଷରୁ କୁହାଯାଇଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ଏଠାରେ କାର୍ଯ୍ୟ କରୁଥିବା ପ୍ରତିଭାମାନେ ଦେଶର ଅନ୍ୟ ସହରକୁ କିମ୍ବା ବିଦେଶକୁ ପଳାଇଯିବା ଆଶଙ୍କା ମଧ୍ୟ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତୀୟ ଜିଡିପି ଅଭିବୃଦ୍ଧି ୫ ପ୍ରତିଶତ ସ୍ତରକୁ ଖସିଯାଇଛି। ଏହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଦିଲ୍ଲୀର ବାୟୁ ପ୍ରଦୂଷଣ ଆଉ ଏକ ବଡ଼ ସମସ୍ୟା ଭାବେ ଉଭା ହେଲାଣି। ଅନ୍ୟ ଜଣେ ବିଶେଷଜ୍ଞ ନତାଶା ମୁଧରଙ୍କ କହିବାନୁଯାୟୀ, ସହରରେ ପ୍ରଦୂଷଣ ଯୋଗୁ ପ୍ରତିଭାବାନ କର୍ମଚାରୀଙ୍କୁ ଧରି ରଖିବା ନିଯୁକ୍ତିଦାତାଙ୍କ ପାଇଁ ବଡ଼ ସମସ୍ୟା ହେଲାଣି। ପ୍ରତିଭାବାନ ଏବଂ କୁଶଳୀ ଶ୍ରମିକମାନେ ଦିଲ୍ଲୀର ବିଷ‌ାକ୍ତ ବାୟୁ କବଳରୁ ବର୍ତ୍ତିବା ପାଇଁ ଅନ୍ୟ ସହରକୁ ପଳାଇ ଯିବା ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe