ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସୋମବାର ଦିଲ୍ଲୀରେ ଏୟାରସେବା ୨.୦ ୱେବ ପୋର୍ଟାଲର ବିକଶିତ ଭର୍ସନର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଲେ, ବ୍ୟବହାରକାରୀମାନଙ୍କୁ ଉତ୍ତମ ଅନୁଭବ ଦେବା ସକାଶେ ଏୟାରସେବାର ଏକ ବିକଶିତ ଭର୍ସନ ଜରୁରି ଥିଲା । ଏଥିରେ ଅନେକ ଗୁଡ଼ିଏ ସୁବିଧା ଉପଲବ୍ଧ କରାଯାଇଛି । ସୋସିଆଲ ମିଡିଆରେ ସୁରକ୍ଷିତ ସାଇନ ଅପ୍ ଏବଂ ଲଗ୍ ଇନ୍, ଯାତ୍ରୀଙ୍କ ସୁବିଧା ପାଇଁ ଚାଟବୁଟ୍, ସୋସିଆଲ ମିଡିଆରେ ଅଭିଯୋଗ ଏବଂ ଏହାର ସମାଧାନର ପନ୍ଥା, ବାସ୍ତବିକ ସମୟରେ ଉଡ଼ାଣର ତାଜା ସ୍ଥିତି ଅବଗତ କରାଇବା, ଉଡ଼ାଣ କାର୍ଯ୍ୟକ୍ରମ ସମ୍ପର୍କିତ ବିସ୍ତୃତ ବିବରଣୀ ଉପଲବ୍ଧ କରାଇବା ଇତ୍ୟାଦି ଏହି ସୁବିଧା ମଧ୍ୟରେ ସାମିଲ ରହିଛି । ଏୟାରସେବାର ବିକଶିତ ଏବଂ ଉନ୍ନତ ଭର୍ସନର ସଞ୍ଚାଳନ ସମ୍ବାଦାତ୍ମକ ୱେବ ପୋର୍ଟାଲ ସହିତ ଆଣ୍ଡ୍ରଏଡ ଏବଂ ଆଇଓଏସ୍ ଉଭୟ ଭର୍ସନର ମୋବାଇଲ ପ୍ଲାଟଫର୍ମରେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବ । ଏହାଦ୍ୱାରା ଯାତ୍ରୀମାନଙ୍କ ବାଧାମୁକ୍ତ ଓ ସୁବିଧାଜନକ ଉଡ଼ାଣର ଆନନ୍ଦ ନେବା ସୁବିଧା ମିଳିପାରିବ । ୱେବ ପୋର୍ଟାଲ ଓ ଆପ୍ଲିକେସନ ଦ୍ୱାରା ଯାତ୍ରୀମାନଙ୍କ ପ୍ରତିକ୍ରିୟା ଏବଂ ପରାମର୍ଶ ସମ୍ପର୍କରେ ଅବଗତ ହୋଇ ଏ ଦିଗରେ ନୀତିଗତ ପଦକ୍ଷେପ ନେବା ସହଜ ହୋଇପାରିବ । ଶ୍ରୀ ସୁରେଶ ପ୍ରଭୁ କହିଲେ, ଏବେ ସେବାର ଗୁଣବତ୍ତା ବୃଦ୍ଧି କରିବାକୁ ଉଦ୍ୟମ ହେଉଛି । ଯଦ୍ୱାରା ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଏବଂ ସୁଖଦ ଅନୁଭବ ପ୍ରାପ୍ତ ହୋଇପାରିବ । ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନା କହିଲେ, ପ୍ରତ୍ୟେକ ବର୍ଷ ୫ କୋଟି ଲୋକ ବିମାନ ଯାତ୍ରା କରୁଛନ୍ତି । ନିକଟ ଭବିଷ୍ୟତରେ ଏହି ସଂଖ୍ୟା କେଇ ଗୁଣା ବୃଦ୍ଧି ପାଇବ । ସେ କହିଲେ, ଉପଭୋକ୍ତାମାନଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ଏୟାରସେବାକୁ ଉନ୍ନତ କରାଯିବା ସହ ପ୍ରଣାଳୀଗତ ଉପାୟ କରିବାର ଆବଶ୍ୟକତା ଅନୁଭବ ହେଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us