Telecom News
କୋଲକାତା: ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆର ପ୍ରିମିୟମ୍ ସେବା ଉପରେ ଦୂରସଂଚାର କ୍ଷେତ୍ରର ନିୟାମକ ସଂସ୍ଥା ଟ୍ରାଇ ରୋକ୍ ଲଗାଇଛି। ଏୟାରଟେଲ୍ ଏହାର ପ୍ଲାଟିନମ୍ ଗ୍ରାହକଙ୍କୁ ଓ ଭୋଡାଫୋନ୍ ଆଇଡିଆ ଏହାର ରେଡ୍ଏକ୍ସ ପ୍ଲାନ୍ ଗ୍ରାହକଙ୍କୁ ଅଧିକ ଦ୍ରୁତ ବେଗର ୪ଜି ସେବା ଓ ଅଗ୍ରାଧିକାର ଭିତ୍ତିକ ସେବା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଭୋଡାଫୋନ୍ ଆଇଡିଆର ପ୍ଲାନ୍ଟି ଆଠ ମାସ ଧରି ସକ୍ରିୟ ଥିବାରୁ ଏହାର ଅନେକ ଗ୍ରାହକ ଅଛନ୍ତି। ହଠାତ୍ ଏଭଳି ପ୍ଲାନ୍ ଉପରେ ରୋକ୍ ଲଗାଇ ଦିଆଯିବା ପରେ ଦୁଇ କଂପାନି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ନିଜ ପକ୍ଷ ରଖିବାର ସୁଯୋଗ ନଦେଇ ଟ୍ରାଇ ତରବରିଆ ଭାବେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଗତକାଲି ଟ୍ରାଇ ପକ୍ଷରୁ ଉଭୟ କଂପାନିକୁ ଏକ ଚିଠି ଲେଖି ପ୍ରିମିୟମ୍ ସେବା ବନ୍ଦ କରିବା ବିଷୟରେ ଅବଗତ କରାଯାଇଛି। ଏଥି ସହିତ କେତେକ ପ୍ରଶ୍ନର ଉତ୍ତର ସପ୍ତାହକ ଭିତରେ ଦେବାକୁ କୁହାଯାଉଛି। ଟ୍ରାଇ ମତରେ ଏକ ନିର୍ଦିଷ୍ଟ ବର୍ଗର ଗ୍ରାହକଙ୍କୁ ଅଗ୍ରାଧିକାର ଭିତ୍ତିକ ସେବା ଦିଆଗଲେ ଅନ୍ୟ ଗ୍ରାହକମାନଙ୍କୁ ନିମ୍ନ ମାନର ସେବା ପ୍ରଦାନ କରାଯିବାର ଆଶଙ୍କା ରହିଛି। ଟେଲିକମ୍ ସେବାର ମାନ ବଜାୟ ରଖିବା ଲାଗି ନିୟାମକ ସଂସ୍ଥା ଭାବେ ଟ୍ରାଇର ଗୁରୁ ଦାୟିତ୍ବ ରହିଛି। ଟ୍ରାଇ ପକ୍ଷରୁ ଦୁଇ ମୋବାଇଲ୍ କଂପାନିକୁ କେତେକ ପ୍ରଶ୍ନ କରାଯାଇଛି। କିଛି ନିର୍ଦିଷ୍ଟ ବର୍ଗର ଗ୍ରାହକଙ୍କୁ ଅଗ୍ରାଧିକାର ସେବା ଯୋଗାଇବା ଦେବା ଦ୍ବାରା ଅନ୍ୟ ଗ୍ରାହକମାନଙ୍କ ସେବା ପ୍ରଭାବିତ ହୋଇ ନାହିଁ ତ? ବୋଲି ଟ୍ରାଇ କହିଛି।
Follow Us