ଭୁବନେଶ୍ୱର: ଦେଶଭକ୍ତିର ଏକ ଗୌରବମୟ ସମାରୋହରେ ବ୍ରହ୍ମପୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଏଜୁକେସନ ଏଣ୍ଡ ରିସର୍ଚ୍ଚ (ଆଇଜର) ପରିସରରେ ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇଛି। ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଏହି ୧୮୭ତମ ସ୍ତମ୍ଭକୁ ଆଇଜରର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ଲୋକାର୍ପିତ କରିଥିଲେ। ଜିନ୍ଦଲ ଷ୍ଟିଲର ସଭାପତି ଓ ଗ୍ରୁପ୍ ମୁଖ୍ୟ (ସିଏସ୍ଆର୍ ଏଣ୍ଡ୍ ଏଜୁକେସନ) ପ୍ରଶାନ୍ତ ହୋତା, ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସିଇଓ ମେଜର ଜେନେରାଲ ଅସୀମ କୋହଲୀ ଓ ଆଇଜରର କୁଳସଚିବ ପ୍ରଦୀପ କୁମାର ରାୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ।
ଏହି ସ୍ତମ୍ଭରେ ୩୬X୨୪ ବର୍ଗଫୁଟର ଏକ ବିଶାଳ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଉପସ୍ଥିତ ଥିଲେ। ଦେଶର ୭ଟି ଆଇଜର ମଧ୍ୟରୁ ପ୍ରଥମ ଅନୁଷ୍ଠାନ ଭାବେ ବ୍ରହ୍ମପୁର ଆଇଜର ଏଭଳି ସୁଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭର ସ୍ଥାପନ ଓ ବିଶାଳ ତ୍ରିରଙ୍ଗା ଉଡ଼ାଇବାର ଗୌରବ ଅର୍ଜନ କରିଛି। ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଫେସର ଶ୍ରୀ ଗାଙ୍ଗୁଲି ସାଂସଦ ନବୀନ ଜିନ୍ଦଲଙ୍କ ସହ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ ଆଇଜରର ବିଜ୍ଞାନ ଗବେଷଣାକୁ ଉଚ୍ଚ ପ୍ରଶଂସା କରିବା ସହ କହିଛନ୍ତି ଯେ କ୍ୟାମ୍ପସ ପରିସରରେ ଏହି ତ୍ରିରଙ୍ଗା ସବୁଦିନ ଏଠାକାର ଛାତ୍ରଛାତ୍ରୀଙ୍କୁ ଦେଶ ଗଠନରେ ଅବଦାନ ସହ ବିଜ୍ଞାନ ଗବେଷଣା ଦ୍ୱାରା ସାଧାରଣ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବାକୁ ପ୍ରେରଣା ଯୋଗାଇବ।
Follow Us