ଫେରୋକ୍ରୋମ୍ ଉତ୍ପାଦନରେ ସର୍ବକାଳୀନ ରେକର୍ଡ: ଇମ୍ଫାର ଲାଭ ୩୯୦ କୋଟି

Advertisment
ଫେରୋକ୍ରୋମ୍ ଉତ୍ପାଦନରେ ସର୍ବକାଳୀନ ରେକର୍ଡ: ଇମ୍ଫାର ଲାଭ ୩୯୦ କୋଟି

ଭୁବନେଶ୍ବର: ଇଣ୍ଡିଆନ୍ ମେଟାଲ୍‌ସ ଆଣ୍ଡ୍‌ ଫେରୋ ଆଲଏଜ୍ ଲିମିଟେଡ୍‌ (ଇମ୍ଫା) ୨୦୨୩-୨୪ ଆର୍ଥିକ ବର୍ଷରେ ୩୯୦.୪୮ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ କରିଛି। ୨୦୨୨-୨୩ରେ କମ୍ପାନିର ଲାଭ ୨୨୫.୭୩ କୋଟି ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ କମ୍ପାନିର ଲାଭ ୮୨.୬୫ କୋଟି ଟଙ୍କା ହୋଇଛି। ଏହି ତିନି ମାସରେ ରାଜସ୍ବ ପରିମାଣ ୭୦୦.୫୬ କୋଟି ଟଙ୍କା ଥିବା ବେଳେ ବର୍ଷ ସାରାର ରାଜସ୍ବ ୨୭୮୦.୧୭ କୋଟି ଟଙ୍କା ହୋଇଛି। ଇମ୍ଫାର ଫେରୋକ୍ରୋମ୍ ଉତ୍ପାଦନ ଏହି ବର୍ଷରେ ୨,୬୪,୧୧୯ ଟନ୍‌କୁ ବୃଦ୍ଧି ପାଇଥିବା ବେଳେ ବିକ୍ରି ୨,୬୫,୮୦୦ ଟନ୍ ରହିଛି। କମ୍ପାନି ୧୧୭୧ ୟୁନିଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରିଛି। ଉତ୍କଳ-ସି କୋଇଲା ବ୍ଲକ୍ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟଠାରୁ କମ୍ପାନି ୧୩୨ କୋଟି ଟଙ୍କାର କ୍ଷତିପୂରଣ ହାସଲ କରିଛି। ଏହା ବ୍ୟତୀତ ଇଥାନଲ୍‌ ବ୍ୟବସାୟରେ ପ୍ରବେଶ କରିବା ବିଷୟରେ ମଧ୍ୟ କମ୍ପାନି ଘୋଷଣା କରିଛି।

କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ ୨୦୨୩-୨୪ରେ କମ୍ପାନି ସର୍ବକାଳୀନ ସର୍ବାଧିକ ଫେରୋକ୍ରୋମ୍ ଉତ୍ପାଦନ କରିଥିବା ବେଳେ କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟରୁ ମଧ୍ୟ ଉଲ୍ଲେଖନୀୟ ବିଦ୍ୟୁତ ଉତ୍ପାଦନ କରିଛି। କମ୍ପାନି ଉପରେ କୌଣସି ଋଣ ନଥିବା ବେଳେ ବାଲାନ୍ସ ସିଟ୍ ବେଶ୍‌ ଦୃଢ଼ ଥିବାରୁ ଆମେ ସମ୍ପ୍ରସାରଣ ଓ ବିବିଧକରଣ ଯୋଜନା ନେଇ ଆଗକୁ ବଢ଼ିବାକୁ ଯାଉଛୁ। ଆଗାମୀ ଦିନରେ ଏହା ଉଲ୍ଲେଖନୀୟ ମୂଲ୍ୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ଚାହିଦା ସମ୍ପର୍କରେ ମତ ରଖି ସେ କହିଛନ୍ତି, ଭୂରାଜନୈତିକ ସଙ୍କଟ ଯୋଗୁ କିଛିଟା ସମସ୍ୟା ରହିଛି। ମାତ୍ର ଚୀନ୍ ସରକାର ଅର୍ଥନୈତିକ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଥିବାରୁ ତାହାର ଲାଭ ମିଳିବ। ଚୀନ୍‌ରେ ଫେରୋକ୍ରୋମ୍ ଉତ୍ପାଦନ ବ୍ୟୟବହୁଳ ରହିଥିବାରୁ ଦର ନିର୍ଧାରଣ ପାଇଁ ତାହା ଏକ ଆଧାର ପ୍ରଦାନ କରୁଛି। ଭାରତକୁ ଦେଖିଲେ ଅନ୍ତରୀଣ ବଜେଟ୍‌ରେ ପୁଞ୍ଜି ବ୍ୟୟବରାଦ ବୃଦ୍ଧି କରାଯାଇଥିବା ବେଳେ ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ସରକାର ଜୋର ଦେଉଛନ୍ତି। ଏହାର ପ୍ରଭାବରେ ଇସ୍ପାତ ଚାହିଦା ବଢ଼ିବ ଯାହା ଫେରୋକ୍ରୋମ୍ ଚାହିଦା ବଢ଼ାଇବ ବୋଲି ସେ କହିଛନ୍ତି। ରାୟଗଡ଼ାର ଥେରୁବାଲିରେ ଥିବା ବଳକା ଜମି ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ବ୍ୟବହାର କରି କମ୍ପାନି ଇଥାନଲ୍‌ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି। ଏହା ଦ୍ବାରା କମ୍ପାନି ଏହାର ଉତ୍ପାଦ ବର୍ଗରେ ବିବିଧତା ଆଣିପାରିବ। କିନ୍ତୁ ସ୍ମେଲ୍‌ଟିଂ ଭଳି ମୂଳ କାରବାର ଉପରେ କର୍ତ୍ତୃପକ୍ଷଙ୍କ ଗୁରୁତ୍ବ ସର୍ବଦା ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe