Image Courtesy of Forbes
ନୂଆଦିଲ୍ଲୀ: ଆମେରିକାର ପ୍ରଯୁକ୍ତି ତଥା ଇ-କମର୍ସ କମ୍ପାନି ଭାରତରେ ଗୋଟିଏ ପରେ ଗୋଟିଏ ବ୍ୟବସାୟ ବନ୍ଦ କରିବାରେ ଲାଗିଛି। ପୂର୍ବରୁ କମ୍ପାନି ଅନଲାଇନ ଶିକ୍ଷା ଏବଂ ଫୁଡ୍ ଡେଲିଭରି ସେବା ବନ୍ଦ ଘୋଷଣା କରିଥିଲା। ଏବେ ଅନଲାଇନ ହୋଲସେଲ୍ ବ୍ୟବସାୟ ୟୁନିଟ୍ ବନ୍ଦ କରିବ ବୋଲି ସୂଚନା ଦେଇଛି। କମ୍ପାନି ଏହାର ମୁଖ୍ୟ ବ୍ୟବସାୟଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବାବେଳେ ଅନ୍ୟ ବ୍ୟବସାୟଗୁଡ଼ିକରୁ ବାହାରି ଆସୁଛି। ଆମାଜନ ଡିଷ୍ଟ୍ରିବ୍ୟୁସନ ଭାରତରେ ମୁଖ୍ୟତଃ ବେଙ୍ଗାଲୁରୁ, ହୁବ୍ଲି ଏବଂ ମହୀଶୂରରେ କାର୍ଯ୍ୟ କରୁଛି। ପାଖାପାଖି ୫୦ କର୍ମଚାରୀ ଏହି ବ୍ୟବସାୟରେ ନିଯୁକ୍ତ ଅଛନ୍ତି। ବିଭିନ୍ନ ସ୍ଥାନରୁ ସାମଗ୍ରୀ ସଂଗ୍ରହ କରି ଖୁଚୁରା ବିକ୍ରେତାଙ୍କୁ ଯୋଗାଇ ଦେଉଛି। ଗତ ସପ୍ତାହରେ ଆମାଜନ ଏକାଡେମି ଏବଂ ଆମାଜନ ଫୁଡ ଡେଲିଭରି ସେବା ବନ୍ଦ ଘୋଷଣା କରାଯାଇଥିଲା। କୋଭିଡ-୧୯ ମହାମାରୀ ସମୟରେ କମ୍ପାନି ଆମାଜନ ଏକାଡେମି ସେବା ଆରମ୍ଭ କରିଥିଲା।
ଉଲ୍ଲେଖଯୋଗ୍ୟ, କର୍ମଚାରୀ ବିଦା ହେବା ପ୍ରସଙ୍ଗରେ ଶ୍ରମ ମନ୍ତ୍ରାଳୟ ଉପମୁଖ୍ୟ କମିସନର ଏ ଅଞ୍ଜନାପା ଆମାଜନର ସିନିୟର ପବ୍ଲିକ ପଲିସି ମ୍ୟାନେଜର ସ୍ମିତା ଶର୍ମା ଏବଂ କର୍ମଚାରୀ ସଂଖ୍ୟ ଏନଆଇଟିଇଏସକୁ ଶୁଣାଣି ପାଇଁ ଡାକିଥିଲା। ଏହି ସମୟରେ କମ୍ପାନି ପକ୍ଷରୁ କୁହାଯାଇଥିଲା କର୍ମଚାରୀମାନେ ସ୍ବେଚ୍ଛାରେ ଚାକିରି ଛାଡ଼ୁଛନ୍ତି। କିନ୍ତୁ କର୍ମଚାରୀ ସଂଘ ପକ୍ଷରୁ କୌଣସି ପ୍ରତିନିଧି ଏଥିରେ ଯୋଗଦେଇ ପାରି ନଥିଲେ। ଶୁଣାଣି ପାଇଁ ଅଧିକ ସମୟ ସେମାନେ ମାଗିଥିଲେ। ଆସନ୍ତା ଦୁଇ ତିନି ସପ୍ତାହ ମଧ୍ୟରେ ପୁଣିଥରେ ବୈଠକ ହେବ ବୋଲି ଜଣାଯାଇଛି।
Follow Us