ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନ ଆସନ୍ତା ତିନି ମାସରେ ୧୬ହଜାର କର୍ମଚାରୀ ଛଟେଇ କରିବ। ଗତବର୍ଷ ଅକ୍ଟୋବର ୨୮ରେ କମ୍ପାନି ୧୪ ହଜାର କର୍ମଚାରୀଙ୍କୁ ବିଦା କରିଥିଲା। ଏହି ଦୁଇ ପର୍ଯ୍ୟାୟରେ କମ୍ପାନି ମୋଟ୍ ଉପରେ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରୁଛି। ଆମାଜନ ପ୍ରତିଷ୍ଠା ହେବା ପରଠାରୁ ଏହା ହେଉଛି ସର୍ବବୃହତ୍ ଛଟେଇ ପ୍ରକ୍ରିୟା। କରୋନା ମହାମାରୀ ପରବର୍ତ୍ତୀ ସମୟରେ ଦେଖାଦେଇଥିବା ଅନିଶ୍ଚିତତା ବେଳେ କମ୍ପାନି ଏହାଠାରୁ କମ୍ ଅର୍ଥାତ ୨୭ହଜାର କର୍ମଚାରୀଙ୍କୁ ୨୦୨୩ରେ ଛଟେଇ କରିଥିଲା। ଏଥର ହେଉଥିବା ଛଟେଇ ଦ୍ବାରା ଆମେରିକାରେ କାମ କରୁଥିବା ଆମାଜନର କର୍ମଚାରୀମାନେ ଅଧିକ ପ୍ରଭାବିତ ହେବେ। ନୂଆ ଚାକିରି ଖୋଜିବା ପାଇଁ ସେମାନଙ୍କୁ ତିନି ମାସ ସମୟ ଦିଆଯିବ।
ଆମାଜନ ସିଇଓ ଆଣ୍ଡି ଜାସି କମ୍ପାନିକୁ ଏକ ଷ୍ଟାର୍ଟଅପ୍ ଭଳି କ୍ଷୀପ୍ର ଗତିରେ ଚଲାଇବାକୁ ଚାହୁଛନ୍ତି। ସେଥି ବୃହତ୍ ରଣନୀତିର ଏକ ଅଂଶ ହେଉଛି କର୍ମଚାରୀ ସଂଖ୍ୟାରେ ହ୍ରାସ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଲଢ଼େଇରେ କମ୍ପାନି ମାଇକ୍ରୋସଫ୍ଟ ଓ ଗୁଗଲ୍ ସହ ପ୍ରତିଦ୍ବନ୍ଦ୍ବିତାରେ ଆଗରେ ରହିବାକୁ ମଧ୍ୟ ଉଦ୍ୟମ କରୁଛି। ଗତବର୍ଷ କମ୍ପାନିର ସିଇଓ ଶ୍ରୀ ଜାସି କହିଥିଲେ ଯେ ଏଆଇ ପ୍ରଭାବରେ କର୍ପୋରେଟ୍ ଉତ୍ପାଦକତା ବଢ଼ିବ ଓ ସମୟ ଅନୁସାରେ କର୍ମଚାରୀ ସଂଖ୍ୟା କମ୍ ହେବ।
ଆହୁରି ପଢ଼ନ୍ତୁ: Literature: ଗଳ୍ପ ‘ମାଲିକାଣୀ’, ରୋଜାଲିନି ମିଶ୍ରଙ୍କ କଲମରୁ ନିସୃତ...
ଆମାଜନ ଏଭଳି ଏକ ସମୟରେ ଛଟେଇ ଭଳି କଠୋର ପଦକ୍ଷେପ ଗ୍ରହଣ କରୁଛିି ଯେତେବେଳେ ଏହା ୨୧ ବିଲିୟନ ଡଲାର ଭଳି ଲାଭ କରିଛି। ସେ ସମ୍ପର୍କରେ ଜାସି କହିଥିଲେ ଯେ ଏହା ଲାଭ କଥା ନୁହେଁ। ଆମେ କମ୍ପାନିକୁ ଦ୍ରୁତ ଗତିରେ ଚଲାଇବାକୁ ଚାହୁୂଛୁ। ଅଧିକ ପ୍ରବନ୍ଧକ, ଅଧିକ ମଞ୍ଜୁରି ସ୍ତର ରହିଲେ ତାହା ହାସଲ କରିବା ସମ୍ଭବ ହେବନାହିଁ। ଆମାଜନ ଏହାର ଆମାଜନ ଗୋ ଓ ଆମାଜନ ଫ୍ରେସ୍ ଷ୍ଟୋର୍ଗୁଡ଼ିକୁ ବନ୍ଦ କରୁଛି। ଏହାର ହତପାପୁଲି ସ୍କାନିଂ ପେମେଣ୍ଟ ବ୍ୟବସ୍ଥା ଆମାଜନ ୱାନ୍ ମଧ୍ୟ ବନ୍ଦ ହୋଇଛି। ଗୋଦାମରେ କାମ କରୁଥିବା କର୍ମଚାରୀମାନଙ୍କ ଚାକିରି ମଧ୍ୟ ସୁରକ୍ଷିତ ନାହିଁ। ଅଟୋମେସନ ଜରିଆରେ ଗୋଦାମର ଅଧିକାଂଶ କାମକୁ କମ୍ପାନି ସ୍ବୟଂକ୍ରିୟ କରିବା ଉପରେ କାମ କରୁଛି। ସାରା ବିଶ୍ବରେ ଆମାଜନର ୧୫.୭ ଲକ୍ଷ କର୍ମଚାରୀ ରହିଛନ୍ତି। କିନ୍ତୁ ସେହି ସଂଖ୍ୟା ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/28/28bbs_57_28012026_112-2026-01-28-18-22-32.jpg)