ମାଲିକାଣୀ
ରୋଜାଲିନି ମିଶ୍ର
ସୁଲଗ୍ନାଙ୍କର ମାଲିକାଣୀପଣିଆ ଦେଖେଇବାରେ ଭାରି ଆନନ୍ଦ। ପିଲାବେଳରୁ ଅଳିଅଳରେ ବଢ଼ିଆସିଛନ୍ତି ସେ। ଛୋଟବେଳୁ ବାପଘରେ ଚାକରବାକରଙ୍କ ମେଳରେ ଅୟସରେ ତାଙ୍କ ଦିନ କଟିଛି। ଆଉ ଶାଶୂଘରେ ବି ସେଇଆ। ସେଥିପାଇଁ ମାଲିକାଣୀପଣିଆଟା ତାଙ୍କ ରକ୍ତରେ ରହିଯାଇଛି ବୋଧେ। ହୁକୁମ୍ ଜାହିର କରିବାରେ ତାଙ୍କୁ ମିଳେ ଆତ୍ମସନ୍ତୋଷ।
ଘରେ ଖାଇସାରିବା ପରେ ବଳିପଡ଼ିଥିବା ମଟନ୍ ହେଉ କି ମାଛ ତରକାରି- ସବୁକୁ ସୁଲଗ୍ନା ଧରେଇ ଦିଅନ୍ତି ଚାକରାଣୀ ଚମ୍ପା ହାତରେ। ପୁଅ ପିଙ୍କୁ ସ୍କୁଲରୁ ଫେରେଇ ଆଣିଥିବା ଦାମିକିଆ କେକ୍ ଆଉ ବିସ୍କୁଟ୍ ସବୁକୁ ଫୋପାଡ଼ି ନ ଦେଇ ସୁଲଗ୍ନା ଦେଇଦିଅନ୍ତି ଚମ୍ପାକୁ ତା’ ପୁଅ ବୁଲୁ ପାଇଁ। ପିଙ୍କୁର ଦାମିକିଆ କିନ୍ତୁ ରଙ୍ଗଛଡ଼ା ପ୍ୟାଣ୍ଟ-ସାର୍ଟ ବି ସବୁ ଚମ୍ପା ପୁଅ ଭାଗରେ ପଡ଼େ। ଚମ୍ପା ଦିନେ ଦିନେ ତା’ ପୁଅକୁ ଧରି କାମକୁ ପଳେଇ ଆସେ। ବୁଲୁକୁ ଦେଖି ବହୁତ ଖୁସିହୁଏ ପିଙ୍କୁ। ସବୁ ଖେଳଣା ଆଣି ଗଦେଇଦିଏ ବୁଲୁ ଆଗରେ। ମିଶିକି ଖୁବ୍ ଖେଳନ୍ତି ଦୁହେଁ। ଗଲାବେଳେ କିଛି ପୁରୁଣା ଆଉ ଭଙ୍ଗାଖେଳଣା ଧରେଇ ଦିଅନ୍ତି ସୁଲଗ୍ନା ବୁଲୁ ହାତରେ। ବହୁତ ଖୁସି ହୋଇଯାଏ ବୁଲୁ। ବୁଲୁର ଖୁସି ଦେଖି ଆତ୍ମତୃପ୍ତିରେ ବିଭୋର ହୋଇ ଉଠନ୍ତି ସୁଲଗ୍ନା। ଆତ୍ମଗର୍ବରେ ଫୁଲିଉଠେ ତାଙ୍କ ହୃଦୟ। ମନେ ମନେ ଭାବନ୍ତି ସେ ଗୋଟେ ବିଶାଳ ହୃଦୟର ଅଧିକାରିଣୀ। ତାଙ୍କ ପାଇଁ ଚାକରାଣୀ ପିଲାଟାର ପାଟିରେ ଟିକେ ଭଲ-ମନ୍ଦ ଦାମିକିଆ ଜିନିଷ ବାଜୁଛି। ଭଲ ଡ୍ରେସ୍ ଖଣ୍ଡେ ଦି’ଖଣ୍ଡ ବି ପିନ୍ଧି ପାରୁଛି ପିଲାଟା।
ଆହୁରି ପଢ଼ନ୍ତୁ- UGC New Rules 2026: ୟୁଜିସିର ନୂଆ ନିୟମକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି
ଦିନେ ଚମ୍ପା କହିଲା, ‘‘ମା’, କାଲି ସନ୍ଧ୍ୟାବେଳଟା ମୋତେ ଟିକେ ଛୁଟି ଦିଅନ୍ତୁ। କାଲି ମୋ ପୁଅର ଜନ୍ମଦିନ। ଜନ୍ମଦିନ ନ କଲେ ପିଲାଟା ମନଦୁଃଖ କରୁଛି ତ, ସେଥିପାଇଁ କାଲି ସନ୍ଧ୍ୟାରେ ସାହିର ଦୁଇ ତିନିଜଣ ପିଲାଙ୍କୁ ଡାକିଛି। ଚକୁଳିପିଠା ଖିରି ଟିକେ କରିଦେବି ମା’। ପିଲାଟାର ମନ ବୁଝିଯିବ। ଆଉ ଅଧିକା ପାଇଁ ମୋର ପଇସା ନାହିଁ।’’
ଛୁଟି ନେବା କଥା ଶୁଣିଲେ ଚିହିଁକି ଉଠନ୍ତି ସୁଲଗ୍ନା। କିନ୍ତୁ ପୁଅର ଜନ୍ମଦିନ କଥା ଶୁଣି କିଛି କହିପାରିଲେନି ଆଉ। ତା’ ପରେ ବି ସେ ଅନୁଭବ କରନ୍ତି ଯେ ଚମ୍ପା ଅନ୍ୟ ଚାକରାଣୀଙ୍କ ପରି କାମ ଠକ ନୁହେଁ। ସେଥିପାଇଁ ରାଜି ହୋଇଗଲେ ସୁଲଗ୍ନା ତା’ କଥାରେ। କିଛି ସମୟ ପରେ ସୁଲଗ୍ନା ଦେଖିଲେ ଯେ ଚମ୍ପା ପୁଣି କ’ଣ କହିବ କହିବ ହଉଛି। ଗମ୍ଭୀର ସ୍ୱରରେ ସୁଲଗ୍ନା ପଚାରିଲେ, ‘‘ପୁଣି କ’ଣ ହେଲା?’’ ଟିକେ ଆଗପଛ ହୋଇ ଚମ୍ପା କହିଲା, ‘‘ମା’ ଟଙ୍କା ପାଞ୍ଚଶହ ଧାର ଦିଅନ୍ତେ ଯଦି ପୁଅ ପାଇଁ ନୂଆ ଡ୍ରେସ୍ ହଳେ କିଣନ୍ତି ମୁଁ। ପିଲାଟା ଖୁସି ହୁଅନ୍ତା ଟିକେ।’’ ଚମ୍ପା କଥା ଶୁଣି ସୁଲଗ୍ନା ଉଠିଗଲେ ବେଡ୍ରୁମ୍କୁ। କପ୍ବୋର୍ଡରୁ ପିଙ୍କୁର ଡ୍ରେସ୍ ହଳେ କାଢ଼ିଆଣି ଧରେଇଦେଲେ ଚମ୍ପା ହାତରେ। କହିଲେ ନେ ଏଇଟା। ବହୁତ ଦାମିକିଆ ଡ୍ରେସ୍ଟା। ବାବୁ ଏଇଥର ଦିଲ୍ଲୀରୁ ଆଣିଥିଲେ ପିଙ୍କୁ ପାଇଁ। ପିଙ୍କୁ ଥରେ ମାତ୍ର ପିନ୍ଧିଛି। ଆଉ ପିନ୍ଧିବାକୁ ରାଜି ହଉନି। ଚମ୍ପା ଟିକେ ମୁହଁକୁ ଶୁଖେଇ ଡ୍ରେସ୍ ନେଇ ଚାଲିଗଲା।
ତା’ ପରଦିନ ସନ୍ଧ୍ୟାବେଳେ ଚମ୍ପାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସୁଲଗ୍ନା। ପଚାରିଲେ, ‘‘ଆରେ ଆଜି ପରା ତୋ ପୁଅର ଜନ୍ମଦିନ। ତୁ ଆସିବୁନି ବୋଲି କହିଥିଲୁ। ପୁଣି କୁଆଡ଼େ?’’ ଚମ୍ପା କହିଲା, ‘‘ହଁ ଯେ ମା’, ଗୋଟେ କାମରେ ଆସିଛି।’’ ସୁଲଗ୍ନା ପଚାରିଲେ, ‘‘କି କାମ?’’ ଡରିଡରି ତଳକୁ ମୁହଁ ପୋତି ଚମ୍ପା କହିଲା, ‘‘ମା’, ଅଧଘଣ୍ଟାଏ ପାଇଁ ପିଙ୍କୁବାବୁଙ୍କୁ ଟିକେ ମୋ ଘରକୁ ଛାଡ଼ନ୍ତେନି। ମୋ ପୁଅ ଭାରି ଖୁସି ହୁଅନ୍ତା। ସାଙ୍ଗ ହୋଇ ଖେଳନ୍ତେ ଦି’ଜଣଯାକ।’’
ସିଧାସିଧା ମନା କରିଦେଲେ ସୁଲଗ୍ନା। କିନ୍ତୁ ପିଙ୍କୁର ଏକା ଜିଦ୍ ସେ ଯିବ ବୁଲୁର ଜନ୍ମଦିନକୁ। ପୁଅର କାନ୍ଦ ଆଉ ଜିଦ୍ ଆଗରେ ହାର୍ ମାନିଲେ ସୁଲଗ୍ନା। ବାଧ୍ୟହୋଇ ପୁଅକୁ ଛାଡ଼ିଲେ ଚମ୍ପା ସହ। ଆଉ କହିଲେ, ‘‘ଖବରଦାର୍, ମୋ ପୁଅକୁ କିଛି ବି ଖାଇବାକୁ ଦବୁନି ତୋ ଘରେ। ପାଣି ଗ୍ଲାସ୍ଟେ ବି ନୁହେଁ। ନ ହେଲେ ତା’ ଦେହ ଖରାପ ହୋଇଯିବ। ଠିକ୍ ଅଧଘଣ୍ଟାଏରେ ଆଣି ଛାଡ଼ି ଦେଇଯିବୁ।’’ ମୁଣ୍ଡ ଟୁଙ୍ଗାରି ପିଙ୍କୁର ହାତ ଧରି ଚାଲିଗଲା ଚମ୍ପା।
ଆହୁରି ପଢ଼ନ୍ତୁ- Enterprise Odisha: ‘ଓଡ଼ିଶାକୁ ଦେଶର ଶିଳ୍ପ ହବ୍ ଭାବେ ଗଢ଼ିବା ପାଇଁ କାମ କରୁଛୁ‘
ଏ ଭିତରେ ଅଧଘଣ୍ଟାଏ ଉପରେ ବିତି ସାରିଥିଲା। ବ୍ୟସ୍ତବିବ୍ରତ ହୋଇ ଘର ବାହାର ହେଉଥିଲେ ସୁଲଗ୍ନା। ଏତେବେଳ ହେଲାଣି କୁଆଡ଼େ ଗଲା ଛୁଆଟା। ଅଧଘଣ୍ଟାଏ ଯାଇ ଘଣ୍ଟାଏ ହେଲାଣି ଦେଖା ନାହିଁ ଚମ୍ପାର। କିଛି ସମୟ ପରେ ପିଙ୍କୁର ପାଟି ଶୁଣି ବାହାରକୁ ବାହାରିଆସିଲେ ସୁଲଗ୍ନା। ଦେଖିଲେ ଚମ୍ପା ଆଉ ବୁଲୁ ଛାଡ଼ିବାକୁ ଆସିଛନ୍ତି ପିଙ୍କୁକୁ। କାଲି ସେ ଦେଇଥିବା ପିଙ୍କୁର ପୁରୁଣା ଡ୍ରେସ୍ଟା ବୁଲୁ ଆଜି ଆଜି ପିନ୍ଧିଛି ତା’ ଜନ୍ମଦିନରେ। ପିଙ୍କୁ ଦେହରେ ନୂଆ ଡ୍ରେସ୍ ହଳେ। ସୁଲଗ୍ନା ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ଚମ୍ପାକୁ। ଚମ୍ପା ଟିକେ ହସିଦେଇ କହିଲା, ‘‘ମା’, ପିଙ୍କୁବାବୁ ମୋ ଘରକୁ ନୂଆ ହୋଇ ଯାଇଥିଲେ। ସେମିତି କେମିତି ଛାଡ଼ି ଦେଇଥାନ୍ତି। ମୁଁ ତ ଆଉ ତାଙ୍କ ପାଇଁ ବଡ଼ ଦୋକାନରୁ ଦାମିକିଆ ଡ୍ରେସ୍ କିଣିପାରିବିନି। ସେଥିପାଇଁ ପାଖ ଦୋକାନରୁ ନୂଆ ସାର୍ଟ ଖଣ୍ଡେ କିଣି ଆଣିଛି। ଗଲାବେଳକୁ ସୁଲଗ୍ନାଙ୍କ ହାତରେ ପ୍ୟାକେଟ୍ଟିଏ ଧରେଇଦେଇ ଚମ୍ପା କହିଲା, ‘‘ମୁଁ ଯାଉଛି ମା’। ମୋର ଘରେ ବହୁତ କାମ। ପିଙ୍କୁବାବୁ ମୋ ଘରେ କିଛି ଖାଇବେନି ସେଥିପାଇଁ ସେ ଯୋଉ ହୋଟେଲରୁ ସବୁବେଳେ ପିଜା ମଗେଇକି ଖାଆନ୍ତି, ସେଇ ହୋଟେଲରୁ ମୁଁ ପିଜା କିଣି ଆଣିଛି ବୁଲୁବାପାକୁ ପଠେଇକି। ପିଙ୍କୁବାବୁଙ୍କୁ ଖୁଆଇଦେବ ମା’, ନ ହେଲେ ମୋ ମନ ବହୁତ ଦୁଃଖ ହବ।’’
ସୁଲଗ୍ନାଙ୍କୁ ପିଜା ପ୍ୟାକେଟ୍ଟା ଧରେଇ ଦେଇ ଚମ୍ପା ଚାଲିଗଲା ବୁଲୁକୁ ନେଇକି। ଘର ଭିତରକୁ ଆସୁଆସୁ ପିଙ୍କୁ କହିଲା, ‘‘ଜାଣିଛ ମାମା, ମୋ ପାଇଁ ନୂଆ ଡ୍ରେସ୍ କିଣିବେ ବୋଲି ଚମ୍ପା ଆଣ୍ଟି ଆଜି ତାଙ୍କ ପଇସାଘଡ଼ି ଭାଙ୍ଗିଦେଲେ।’’ ସ୍ତବ୍ଧ ରହିଗଲେ ସୁଲଗ୍ନା। ତାଙ୍କ ମାଲିକାଣୀପଣିଆ ଉପରେ ଯେମିତି କିଏ ଗୋଟେ ଶକ୍ତ ପ୍ରହାର ଦେଲା। ସେ ପ୍ରହାରରେ ଭାଙ୍ଗି ଚୂର୍ମାର୍ ହୋଇଗଲା ତାଙ୍କର ଗର୍ବ, ଦର୍ପ ଆଉ ଅହଂକାର। ନିଜ ଭିତରେ ସେ ନିଜେ ବହୁତ ଛୋଟ ହୋଇଯାଇଥିଲେ ଚାକରାଣୀ ଚମ୍ପା ଆଗରେ। ତାଙ୍କର ବିବେକ ତାଙ୍କ କାନ ପାଖରେ ରହି ରହି କହୁଥିଲା, ‘‘ହୋଇପାରୁ ତୁ ଏ ଘର, ଗାଡ଼ି, ବଙ୍ଗଳା, ଧନସଂପତ୍ତି ସବୁର ମାଲିକାଣୀ କିନ୍ତୁ ମନରେ ତୁ କେଡ଼େ ଗରିବ ସତେ! ପ୍ରକୃତରେ ବିଶାଳ ଆଉ ଉଦାର ହୃଦୟର ମାଲିକାଣୀ ତ ହଉଛି ଚମ୍ପା।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/01/28/ka2-2026-01-28-16-42-31.jpg)