The New York Times
ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ କିଛିମାତ୍ରାରେ ପ୍ରଶମିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନରମ ମନୋଭାବ ପୋଷଣ କରିବା ସହିତ ଚୀନ୍ ସାମଗ୍ରୀ ଉପରେ ନିକଟ ଭବିଷ୍ୟତରେ ଲଗାଇବାକୁ ଥିବା ଅତିରିକ୍ତ ଶୁଳ୍କକୁ ଅଟକାଇଛନ୍ତି। ରବିବାର ଠାରୁ ଚୀନରୁ ଆମଦାନି ହେବାକୁ ଥିବା ଯେଉଁସବୁ ସାମଗ୍ରୀ ଉପରେ ଶୁଳ୍କ ଲାଗୁ ହୋଇଥା’ନ୍ତା ତାହାକୁ ବର୍ତ୍ତମାନ ପାଇଁ ବାତିଲ କରି ଦିଆଯାଇଛି। ଏଥିସହିତ ୧୨୦ ବିଲିଅନ ଡଲାରର ଆମଦାନି ଉପରେ ଶୁଳ୍କକୁ ୧୫ ପ୍ରତିଶତ ପରିବର୍ତ୍ତେ ଅଧାକୁ ଅର୍ଥାତ୍ ୭.୫ ପ୍ରତିଶତକୁ କମାଇ ଦେଇଛନ୍ତି। ଏହାକୁ ଦୁଇ ଦେଶ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ରାଜିନାମା କୁହାଯାଉଛି। ୨୦୨୦ ନିର୍ବାଚନ ଶେଷ ହେବାକୁ ଅପେକ୍ଷା ନକରି ଆମେ ଦ୍ବିତୀୟ ପର୍ଯ୍ୟାୟ ବାଣିଜ୍ୟ ରାଜିନାମା ପାଇଁ କଥାବାର୍ତ୍ତା ଖୁବ୍ଶୀଘ୍ର ଆରମ୍ଭ କରିଦେବୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସମସ୍ତଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ରାଜିନାମା ବୋଲି ଟ୍ରମ୍ପ ଟ୍ବିଟ୍ ବାର୍ତ୍ତାରେ କହିଛନ୍ତି। ଆମେରିକାର ବାଣିଜ୍ୟ ପ୍ରତିନିଧି ରବର୍ଟ ଲାଇଥିଜର୍ ଶୁକ୍ରବାର ଅପରାହ୍ଣରେ ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମା ସଂକ୍ରାନ୍ତ ୮୬ ପୃଷ୍ଠାର ଦସ୍ତାବିଜ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଛନ୍ତି। ନୂଆ ବାଣିଜ୍ୟ ରାଜିନାମା କାର୍ଯ୍ୟକାରୀ ହେଲେ ୨୫୦ ବିଲିଅନ ଡଲାର ମୂଲ୍ୟର ଚୀନର ଆମଦାନି ଉପରେ ଆମେରିକା ୨୫ ପ୍ରତିଶତ ଶୁଳ୍କ ଏବଂ ୧୨୦ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ଉପରେ ୭.୫ ପ୍ରତିଶତ ଶୁଳ୍କ ଲାଗୁ କରିବ ବୋଲି କୁହାଯାଉଛି। ଏହାର ପ୍ରତିବଦଳରେ ଚୀନ୍ ଆମେରିକାରୁ ବିପୁଳ ପରିମାଣର ସୋୟାବିନ୍ ଓ ଅନ୍ୟ କୃଷିଜାତ ସାମଗ୍ରୀ ଆମଦାନି କରିବ ବୋଲି ପ୍ରତିଶ୍ରୁତି ଦେଇଛି। ତେବେ ଭବିଷ୍ୟତରେ ଚୀନ୍ ଯଦି ଏହାକୁ କାର୍ଯ୍ୟକାରୀ ନକରେ ତାହେଲେ ଟ୍ରମ୍ପ ପ୍ରଶାସନ ପୁଣି ଶୁଳ୍କ ଲାଗୁ କରିବ ବୋଲି କୁହାଯାଇଛି। ଯଦି ଏହି ନୂଆ ଶୁଳ୍କକୁ ଲାଗୁ କରାଯାଇଥାନ୍ତା ତାହେଲେ ଆମେରିକାରେ ଚୀନରୁ ଆମଦାନି ହେଉଥିବା ସାମଗ୍ରୀର ମୂଲ୍ୟ ବଢ଼ି ଯାଇଥାନ୍ତା। ବିଶେଷକରି ସ୍ମାର୍ଟଫୋନ୍, ପୋଷାକ ଏବଂ ଖେଳନା ଆଦିର ଦାମ୍ ଅଧିକ ହୋଇଥାନ୍ତା। ବଡ଼ଦିନ ଏବଂ ନୂଆବର୍ଷ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ଏପ୍ରକାର ରାଜିନାମା ଆମେରିକାର ଗ୍ରାହକଙ୍କୁ ଅନେକ ମାତ୍ରାରେ ଆଶ୍ବସ୍ତ କରିଛି। ତେବେ ଦ୍ବିତୀୟ ପର୍ଯ୍ୟାୟ ରାଜିନାମା କେବେ ହେବ ସେ ନେଇ ଆମେରିକାର ବାଣିଜ୍ୟ ପ୍ରତିନିଧି କୌଣସି ତାରିଖ ସ୍ପଷ୍ଟ କରି ନଥିଲେ ମଧ୍ୟ ଏହା ଶୀଘ୍ର ହେବ ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟ୍ବିଟ୍ କରିଛନ୍ତି।
Follow Us