ଚୀନ୍‌କୁ ପଛରେ ପକାଇଲା ଆମେରିକା, ଏବେ ଭାରତର ବୃହତ୍ତମ ବାଣିଜ୍ୟ ସହଯୋଗୀ

Advertisment
ଚୀନ୍‌କୁ ପଛରେ ପକାଇଲା ଆମେରିକା, ଏବେ ଭାରତର ବୃହତ୍ତମ ବାଣିଜ୍ୟ ସହଯୋଗୀ

ନୂଆଦିଲ୍ଲୀ: ଭାରତର ବୃହତ୍ତମ ବାଣିଜ୍ୟ ସହଯୋଗୀ ଏବେ ଆମେରିକା ହୋଇଛି। ପୂର୍ବରୁ ଭାରତର ବୃହତ୍ତମ ବାଣିଜ୍ୟ ସହଯୋଗୀ ଚୀନ୍ ଥିବାବେଳେ ଏବେ ଆମେରିକା ଚୀନକୁ ଏ କ୍ଷେତ୍ରରେ ଟପିଯାଇଛି। ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟରୁ ଏହା ଜଣାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ୮୭.୯୫ ବିଲିଅନ ଡଲାରରେ ପହଞ୍ଚିଛି। ତେବେ ସେହିବର୍ଷ ଚୀନ୍ ସହିତ ଭାରତର ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୮୭.୦୭ ବିଲିଅନ ଡଲାର ରହିଛି।

ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଡିସେମ୍ବର ମଧ୍ୟରେ ଆମେରିକା ସହିତ ଭାରତର ଦ୍ବିପାକ୍ଷିକ ବାଣିଜ୍ୟ ୬୮ ବିଲିଅନ ଡଲାରରେ ପହଞ୍ଚିଥିବାବେଳେ ଚୀନ୍ ସହିତ ଭାରତର ଦ୍ବିପାକ୍ଷିକ ବାଣିଜ୍ୟ ୬୪.୯୬ ବିଲିଅନ ଡଲାର ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ ଭାରତ ସହିତ ଆମେରିକା ଏବଂ ଚୀନର ଦ୍ବିପାକ୍ଷିକ ବାଣିଜ୍ୟ ରାଶିରେ ଦେଖାଦେଇଥିବା ପାର୍ଥକ୍ୟ ଆଗାମୀ ଦିନରେ ବଢ଼ିବାରେ ଲାଗିବ। ନୂଆଦିଲ୍ଲୀ ଏବଂ ୱାସିଂଟନ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ବଢ଼ାଇବା ଲାଗି ପ୍ରଚେଷ୍ଟା ଚଳାଇଥିବାରୁ ଏହା ହେବ ବୋଲି କୁହାଯାଇଛି। ଏପରିକି ଆମେରିକା ସହିତ ଭାରତ ଯଦି ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ସ୍ବାକ୍ଷର କରେ ତାହେଲେ ଏହି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବହୁ ଅଧିକ ହୋଇଯିବ। ଆମେରିକା ସହିତ ଏଫ୍‌ଟିଏ ଭାରତ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। କାରଣ ଭାରତର ଉତ୍ପାଦ ଏବଂ ସେବା ପାଇଁ ଆମେରିକା ଏକ ବଡ଼ ବଜାର ବୋଲି ଭାରତୀୟ ରପ୍ତାନି ମହାସଂଘ ବା ଫିଓର ମହାନିର୍ଦ୍ଦେଶକ ଅଜୟ ସହାୟ କହିଛନ୍ତି। ଆମେରିକା ସହିତ ଭାରତର ଉଭୟ ରପ୍ତାନି ଏବଂ ଆମଦାନି ବଢ଼ୁଥିବାବେଳେ ଚୀନ୍ ସହିତ ଉଭୟ ହ୍ରାସ ପାଉଛି।

ଏତଦବ୍ୟତୀତ ବିଶ୍ବର ଅଳ୍ପ କେତୋଟି ଦେଶ ମଧ୍ୟରେ ଆମେରିକା ଏକ ଦେଶ ଯାହା ସହିତ ଭାରତର ବାଣିଜ୍ୟ ବଳକା ରହିଛି। ଅର୍ଥାତ୍ ଭାରତ ଆମେରିକାକୁ ଅଧିକ ପରିମାଣର ସାମଗ୍ରୀ ଓ ସେବା ରପ୍ତାନି କରୁଥିବାବେଳେ ସେଠାରୁ କମ୍ ସାମଗ୍ରୀ ଓ ସେବା ଆମଦାନି କରୁଛି। ୨୦୧୮-୧୯ରୋ ଆମେରିକା ସହିତ ଭାରତର ବାଣିଜ୍ୟ ବଳକା ୧୬.୮୫ ବିଲିଅନ ଡଲାର ରହିଥିବାବେଳେ ଚୀନ୍ ସହିତ ବାଣିଜ୍ୟ ନିଅଣ୍ଟ ୫୩.୫୬ ବିଲିଅନ ଡଲାର ରହିଛି। ୨୦୧୩-୧୪ରୁ ୨୦୧୭-୧୮ ପର୍ଯ୍ୟନ୍ତ ଚୀନ୍ ଭାରତର ସର୍ବବୃହତ୍ ବାଣିଜ୍ୟ ସହଯୋଗ ରାଷ୍ଟ୍ର ରହିଥିଲା। ଚୀନ ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ ଭାରତର ବୃହତ୍ତମ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର ଥିଲା।

୨୫ରୁ ୟୁଏସ୍-ଭାରତ ଟିକସ ଫୋରମ୍
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଏବଂ ସ୍ଥାନୀୟ ଟିକସ ନୀତିରେ ସରକାରୀ ଏବଂ ବେସରକାରୀ ଶିଳ୍ପ ପ୍ରତିଷ୍ଠାନକୁ ସହାୟତା ଯୋଗାଇବା ପାଇଁ ଆସନ୍ତା ୨୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ଟିକସ ଫୋରମ୍ ଆରମ୍ଭ ହେବ। ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସ୍‌ଆଇପିଏଫ୍‌) ପକ୍ଷରୁ ଏହି ଫୋରମ୍ ଆରମ୍ଭ ହେବ। ଉକ୍ତ ଫୋରମ୍‌ରେ ଫଚ୍ୟୁନ୍ ୫୦୦ କମ୍ପାନିରୁ ୫୦ରୁ ଅଧିକ ଟିକସ ବିଶେଷଜ୍ଞ ରହିବେ। ଏଥିସହିତ ଅର୍ଥ ମନ୍ତ୍ରାଳୟ, ସିବିଡିଟି, ଜିଏସ୍‌ଟି ପରିଷଦ ଏବଂ ସିବିଆଇସିର ଅଧିକାରୀମାନେ ରହିବେ ବୋଲି ‌ୟୁଏସଆଇପିଏଫ୍ ପକ୍ଷରୁ କୁହାଯାଇଛି। ଟିକସ ସମ୍ପର୍କରେ ଆଲୋଚନା ପାଇଁ ଏହି ଫୋରମର ନିୟମିତ ବୈଠକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe