୧,୬୩୭ କୋଟିର ନିବେଶ ପ୍ରକଳ୍ପ ମଞ୍ଜୁର

Advertisment

୧୧୧୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଟାଟା ଷ୍ଟିଲ୍‌, ଏମ୍‌ସିଏଲ୍‌, ଶ୍ୟାମ ମେଟାଲିକ୍ସ ନିବେଶ କରିବେ

୧୧୧୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଟାଟା ଷ୍ଟିଲ୍‌, ଏମ୍‌ସିଏଲ୍‌, ଶ୍ୟାମ ମେଟାଲିକ୍ସ ନିବେଶ କରିବେ

୧,୬୩୭ କୋଟିର ନିବେଶ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ବର : ରାଜ୍ୟ ସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ୧୬୩୭.୪୧ କୋଟି ଟଙ୍କାର ୪ଟି ନିବେଶ ପ୍ରକଳ୍ପକୁ ଆଜି ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୧୧୬ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଡାଉନ୍‌ଷ୍ଟ୍ରିମ୍ ମାନୁଫାକ୍‌ଚରିଂ, ଧାତବ ଓ ଶକ୍ତି କ୍ଷେତ୍ରର ନିବେଶ ପ୍ରକଳ୍ପଗୁଡ଼ିକ ଅନୁମୋଦିତ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଟାଟ ଷ୍ଟିଲ୍‌ ପକ୍ଷରୁ କେନ୍ଦୁଝରର ଯୋଡ଼ାଠାରେ ୯୪୬ କୋଟି ଟଙ୍କା ବିନିଯୋଗରେ ଲୁହାପଥର ବେନିଫିକେସନ୍ ପ୍ଲାଣ୍ଟ୍‌ର କ୍ଷମତାକୁ ବର୍ତ୍ତମାନର ୧୨ ଏମ୍‌ଏମ୍‌ଟିପିଏରୁ ବଢ଼ାଇ ୧୭.୬ ଏମ୍ଏମ୍‌ଟିପିଏ କରାଯିବ। ଏହି ପ୍ରକଳ୍ପରେ ୮୦୩ ଜଣରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ପକ୍ଷରୁ ବୌଦ୍ଧ ଜିଲ୍ଲାରେ ୨୫୪.୭୧ କୋଟି ଟଙ୍କା ବିନିଯୋଗରେ ଏକ ୫୦ ମେଗାୱାଟ୍‌ର ସୋଲାର ପିଭି ଶକ୍ତି ଉତ୍ପାଦନକାରୀ କାରଖାନା ସ୍ଥାପନ କରାଯିବ। ଏହି ପ୍ରକଳ୍ପରେ ୩୬ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ। ଶ୍ୟାମ ମେଟାଲିକ୍ ଆଣ୍ଡ୍‌ ଏନର୍ଜି ଲିମିଟେଡ୍ ପକ୍ଷରୁ ୩୮୧.୬୦ କୋଟି ଟଙ୍କା ନିବେଶରେ ସମ୍ବଲପୁରର ହିରାକୁଦ ଠାରେ ରେଲ୍‌ୱେ ୱାଗନ ମାନୁଫାକ୍‌ଚରିଂ ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ଏହି କାରଖାନାରେ ବର୍ଷକୁ ୧୫୦୦ ୱାଗନ୍ ସମେତ ୦.୩୯୪ ଏମ୍ଏମ୍‌ଟିପିଏ ଇଲେକ୍ଟ୍ରିକ୍ ଆର୍କ ଫର୍ଣ୍ଣାସ୍, ୦.୧ ଏମ୍ଏମ୍‌ଟିପିଏର ଏଚ୍‌ଆର୍‌ ମିଲ, ୦.୧ ଏମ୍ଏମ୍‌ଟିପିଏର ସିଆର୍‌ ମିଲ୍‌ ଓ ୦.୫ ଏମ୍ଏମ୍‌ଟିପିଏର ରେଲ୍‌ୱେ ସାଇଡିଂ ପ୍ଲାଣ୍ଟ୍‌ ବ୍ୟବସ୍ଥା ରହିବ। ଏହି ପ୍ରକଳ୍ପରେ ୧୧୫ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ। ଶ୍ୟାମ ମେଟାଲିକ୍ସ ଆଣ୍ଡ୍‌ ଏନର୍ଜି ଲିମିଟେଡ୍ ତରଫରୁ ସମ୍ବଲପୁରର ରେଙ୍ଗାଲି ଶିଳ୍ପାଞ୍ଚଳରେ ୫୫.୧୦ କୋଟି ଟଙ୍କା ବିନିଯୋଗରେ ଏକ ଅକ୍ସିଜେନ୍ ସିଲିଣ୍ଡର ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ଏହି କାରଖାନାରେ ବର୍ଷକୁ ୧୦,୮୦,୦୦୦ ସିଲିଣ୍ଡର ଉତ୍ପାଦନ ହେବ। ଏହି ପ୍ରକଳ୍ପରେ ୧୬୨ ଲୋକଙ୍କୁ ନିଯୁକ୍ତି ମିଳିବ।

ଆଜି ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକର ଜମି ଓ ପାଣି ଆବଶ୍ୟକତାର ଅନୁଧ୍ୟାନ କରିବା ଲାଗି ଶ୍ରୀ ମହାପାତ୍ର ଇପିକଲ୍‌କୁ ନିର୍ଦେଶ ଦେଇଛନ୍ତି। ନୂଆ ଶିଳ୍ପ ସଂସ୍ଥାଗୁଡ଼ିକୁ ନିଜସ୍ବ ପାୱାର ପ୍ଳାଣ୍ଟ୍‌ ସ୍ଥାପନ କରିବା ବଦଳରେ ଗ୍ରିଡ୍‌କୋ ଠାରୁ ବିଦ୍ୟୁତ ଶକ୍ତି କିଣିବା ପାଇଁ ଉତ୍ସାହିତ କରିବାକୁ ଶିଳ୍ପ ବିଭାଗକୁ ସେ ନିର୍ଦେଶ ଦେଇଛନ୍ତି। ଗ୍ରିଡ୍‌କୋରୁ ବିଦ୍ୟୁତ କିଣିଲେ ତାହା ଶସ୍ତାରେ ମିଳିବ ଏବଂ ପ୍ରଦୂଷଣ କମ୍ କରିବାରେ ତାହା ସହାୟକ ହୋଇପାରିବ। ‌ନୂଆ ପ୍ରକଳ୍ପଗୁଡ଼ିକ ଯେଭଳି ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ତାହାର ବ୍ୟବସ୍ଥା କରିବା ଲାଗି ‌ସେ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଇପିକଲ୍‌ର ଏମ୍‌ଡି ନିତୀନ ଭାନୁଦାସ ଜାୱଲେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe