ନୂଆଦିଲ୍ଲୀ: ଧୀରୁଭାଇ ଅମ୍ବାନୀଙ୍କ ସାନ ପୁଅ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ସହ ଜଡ଼ିତ ୭୫୦୦ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି। କମ୍ପାନି ବିରୋଧରେ ଇଡି ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଛି। ମନି ଲଣ୍ଡରିଂ ନିରୋଧ ଆଇନ (ପିଏମ୍ଏଲ୍ଏ) ଅଧୀନରେ ଅନିଲଙ୍କ ମୁମ୍ବାଇର ପାଲି ହିଲ୍ରେ ଥିବା ବାସଭବନ ଏବଂ ତାଙ୍କ ଗ୍ରୁପ୍ କମ୍ପାନିର ଅନ୍ୟ ଆବାସିକ ଓ ବାଣିଜ୍ୟିକ ପ୍ରକଳ୍ପଗୁଡ଼ିକୁ ଜବତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସେଥିରେ ୪୪୬୨ କୋଟି ଟଙ୍କାର ୧୩୨ ଏକରର ଧୀରୁଭାଇ ଅମ୍ବାନୀ ନଲେଜ୍ ସିଟି, ମୁମ୍ବାଇ ବାସଭବନ, କାର୍ଯ୍ୟାଳୟ ଓ ଅନ୍ୟ କେତେକ ଜମି ରହିଛି। ପାଲି ହିଲ୍ରେ ଥିବା ୬୬ ମିଟର ଉଚ୍ଚତାର ଘରେ ଅନିଲ ନିଜ ପତ୍ନୀ ଟିନା ଓ ଦୁଇ ପୁଅ ଜୟ ଅନମୋଲ ଓ ଜୟ ଅନସୁଲଙ୍କ ସହିତ ରହୁଛନ୍ତି। ସେହି ଘରେ ହେଲିପ୍ୟାଡ୍, ସ୍ବିମିଂ ପୁଲ୍, ଜିମ୍ ଓ ବିଳାସପୂର୍ଣ୍ଣ କାର୍ ପ୍ରଦର୍ଶନୀ ପାଇଁ ଏକ ସ୍ବତନ୍ତ୍ର ଅଞ୍ଚଳ ରହିଛି।
ସୂଚନା ଅନୁସାରେ ଅନିଲଙ୍କ ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ, ମୁମ୍ବାଇ, ପୁଣେ, ଥାନେ, ହାଇଦ୍ରାବାଦ, ଚେନ୍ନାଇ ଓ ଇଷ୍ଟ ଗୋଦାବରୀରେ ଥିବା ସମ୍ପତ୍ତିଗୁଡ଼ିକୁ ଜବତ କରାଯାଇଛି। ଜବତ ହୋଇଥିବା ସବୁ କମ୍ପାନିର ମୂଲ୍ୟ ୭୫୦୦ କୋଟି ଟଙ୍କା ଆକଳନ କରାଯାଇଛି। ଇଡି ଅଭିଯୋଗ କରିଛି ଯେ ଅନିଲଙ୍କ କମ୍ପାନି ରିଲାଏନ୍ସ ହୋମ୍ ଫାଇନାନ୍ସ (ଆର୍ଏଚ୍ଏଫ୍ଏଲ୍) ଓ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ (ଆର୍ସିଏଫ୍ଏଲ୍) ହାସଲ କରିଥିବା ସାର୍ବଜନୀନ ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ୨୦୧୭-୧୯ ମଧ୍ୟରେ ଏହି ଦୁଇ କମ୍ପାନିରେ ୟେସ୍ ବ୍ୟାଙ୍କ ଯଥାକ୍ରମେ ୨୯୬୫ କୋଟି ଟଙ୍କା ଓ ୨୦୪୫ କୋଟି ଟଙ୍କା ନିବେଶ କରିଥିଲା। ୨୦୧୯ରେ ତାହା ଏନ୍ପିଏରେ ପରିଣତ ହୋଇଥିଲା। ଆରଏଚ୍ଏଫ୍ଏଲ୍ ଉପରେ ୧୩୫୩.୫୦ କୋଟି ଟଙ୍କା ଓ ଆର୍ସିଏଫ୍ଏଲ୍ ଉପରେ ୧୯୮୪ କୋଟି ଟଙ୍କାର ବକେୟା ଥିଲା।
ଅନିଲଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ନିଜ ଗ୍ରୁପ୍ର ବିଭିନ୍ନ କମ୍ପାନି ଜରିଆରେ ସେ ୧୭ ହଜାର କୋଟି ଟଙ୍କାର ପାଣ୍ଠି ହେରଫେର କରିଛନ୍ତି। ଗତ ଅଗଷ୍ଟରେ ତାଙ୍କୁ ଏନେଇ ଇଡି ଜେରା କରିଥିଲା। ତାଙ୍କ ୫୦ଟି କମ୍ପାନିର ୩୫ଟି ଠିକଣାରେ ଚଢ଼ଉ ପରେ ଏହି ହେରଫେର ହୋଇଥିବା ଜଣାପଡ଼ିଥିଲା।
  
 Follow Us