ମେକ୍‌ ଇନ୍‌ ଓଡ଼ିଶା ଆୟୋଜନ:ସିଆଇଆଇକୁ ହଟାଇଲେ ସରକାର

Advertisment
ମେକ୍‌ ଇନ୍‌ ଓଡ଼ିଶା ଆୟୋଜନ:ସିଆଇଆଇକୁ ହଟାଇଲେ ସରକାର

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା ଆୟୋଜନ ଓ ସବୁ ପ୍ରକାର ନିବେଶ ପ୍ରଚାର ପ୍ରସାର ଅଭିଯାନରୁ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ)କୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି।
ମେକ୍‌ ଇନ୍‌ ଓଡ଼ିଶା ଆୟୋଜନରେ ଭାଗ ନେଇପାରିବ ନାହିଁ ବୋଲି କିଛି ମାସ ତଳେ ସିଆଇଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା। ଏହା ପରଠାରୁ ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ ଏତେଟା ଭଲ ନଥିଲା। ମେକ୍‌ ଇନ୍‌ ଓଡ଼ିଶା ପାଇଁ ରାଜ୍ୟ ସରକାର ଅନ୍ୟ ଶିଳ୍ପ ସହଯୋଗୀ ସନ୍ଧାନରେ ମଧ୍ୟ ଥିଲେ। କିଛି ଦିନ ତଳେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଥିଲେ ଯେ ରାଜ୍ୟ ସରକାର ଏକାକୀ ଏହି ସମ୍ମିଳନୀକୁ ସଫଳତାର ସହିତ ଆୟୋଜନ କରିବେ। ସିଆଇଆଇ ରହୁ କିମ୍ବା ଅନ୍ୟ କେହି ନରୁହନ୍ତୁ କୌଣସି ଫରକ ପଡ଼ିବ ନାହିଁ। ମେକ୍‌ ଇନ୍‌ ଓଡ଼ିଶା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।
ଚଳିତ ବର୍ଷ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ମେକ୍‌ ଇନ୍‌ ଇଣ୍ଡିଆ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଆୟୋଜନ କରାଯିବ। ପ୍ରଥମ ସଂସ୍କରଣକୁ ୨୦୧୬ରେ ଜନତା ମୈଦାନଠାରେ ଆୟୋଜନ କରାଯାଇଥିଲା।
ଚଳିତ ବର୍ଷର ସମ୍ମିଳନୀକୁ ଆୟୋଜନ କରିବା ପାଇଁ ସରକାର ବିଭିନ୍ନ କମିଟି ଗଠନ କରିଛନ୍ତି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଭରସାଇଟ୍‌ କମିଟି (ପର୍ଯ୍ୟବେକ୍ଷଣ କମିଟି) ଗଠନ କରାଯାଇଛି। ଏଥିରେ ଉନ୍ନୟନ କମିସନର୍‌ଙ୍କଠାରୁ ଆରମ୍ଭ କରି ପୁଲିସ୍‌ ଡିଜି ଓ ଅନ୍ୟମାନଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି।
ସହରର ସୌନ୍ଦର୍ଯ୍ୟକରଣ, ପର୍ଯ୍ୟଟନ, ସଂସ୍କୃତି, ଆତିଥେୟତା ଓ କ୍ୟାଟରିଂ ଏବଂ ଅଭ୍ୟର୍ଥନା ଓ ପରିବହନ ପାଇଁ ତିନିଟି ସବ୍‌-କମିଟି ଗଠନ କରାଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ଵୟ କମିଟି ଗଠନ କରାଯାଇଛି। ଏହି କମିଟି ବିଭିନ୍ନ ଶିଳ୍ପ ସହଯୋଗୀ ଓ କାର୍ଯ୍ୟକ୍ରମ ପରିଚାଳନା ଏଜେନ୍ସି ସହିତ ମିଳିମିଶି କାମ କରିବ।
ଏହା ବ୍ୟତୀତ ସମ୍ମିଳନୀରେ ଆୟୋଜନ ହେବାକୁ ଥିବା ୨୭ ପ୍ରକାର କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କମିଟି ସବୁ ଗଠନ କରାଯାଇଛି। ଏହି ସବୁ କମିଟି ତୁରନ୍ତ ନିଜର କାମ ଆରମ୍ଭ କରିବେ ଓ ଓଭରସାଇଟ୍‌ କମିଟିକୁ ରିପୋର୍ଟ ପ୍ରଦାନ କରିବେ। ପ୍ରତି କମିଟିର ଅଧ୍ୟକ୍ଷ ଯେତେବେଳେ ଚାହିଁବେ ବୈଠକ ଡକାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe