ଆସୋଚାମ୍‌ ରିପୋର୍ଟ: ୨୦% ଏମ୍‌ବିଏ ଛାତ୍ରଛାତ୍ରୀ ପାଉଛନ୍ତି ଚାକିରି

ବନ୍ଦ ହେଲାଣି ୨୫୦ରୁ ଅଧିକ ବି-ସ୍କୁଲ୍‌

ଆସୋଚାମ୍‌ ରିପୋର୍ଟ: ୨୦% ଏମ୍‌ବିଏ ଛାତ୍ରଛାତ୍ରୀ ପାଉଛନ୍ତି ଚାକିରି

ବନ୍ଦ ହେଲାଣି ୨୫୦ରୁ ଅଧିକ ବି-ସ୍କୁଲ୍‌
ନୂଆଦିଲ୍ଲୀ: ଦେଶରେ ବିଜ୍‌ନେସ୍‌ ସ୍କୁଲ ଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଚଳିତବର୍ଷ ଚାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। କେବଳ ୨୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର ମିଳୁଛି ବୋଲି ଶିଳ୍ପ ସଂଘ ଆସୋଚାମ୍‌ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଜଣାଯାଇଛି।
ବିମୁଦ୍ରାକରଣ, ନୂଆ ପ୍ରକଳ୍ପ ଗୁଡ଼ିକ ଆରମ୍ଭ ନହେବା ଏବଂ ବିଜ୍‌ନେସ୍‌ ମନୋଭାବରେ ମାନ୍ଦାବସ୍ଥା ଯୋଗୁଁ ବିଜ୍‌ନେସ୍‌ ସ୍କୁଲ ବା ବି-ସ୍କୁଲ ଗୁଡ଼ିକର ଛାତ୍ରଛାତ୍ରୀମାନେ କ୍ୟାମ୍ପସ ମାଧ୍ୟମରେ ନିଯୁକ୍ତି ସୁଯୋଗ ପାଇ ପାରୁନାହାନ୍ତି। ଗତବର୍ଷ ବିଜ୍‌ନେସ୍‌ ସ୍କୁଲ ଗୁଡ଼ିକରେ କ୍ୟାମ୍ପସ ପ୍ଲେସମେଣ୍ଟ ମାଧ୍ୟମରେ ୩୦ ପ୍ରତିଶତ ଏମ୍‌ବିଏ ଛାତ୍ରଛାତ୍ରୀ ନିଯୁକ୍ତି ପାଇଥିଲେ। କିନ୍ତୁ ଚଳିତବର୍ଷ ଏହା ୨୦ ପ୍ରତିଶତକୁ ଖସିଆସିଛି। କେବଳ ସଂଖ୍ୟା ଦୃଷ୍ଟିରୁ ନୁହେଁ ଛାତ୍ରଛାତ୍ରୀଙ୍କୁ କମ୍ପାନି ଗୁଡ଼ିକ କମ୍‌ ବେତନରେ ନିଯୁକ୍ତି ପ୍ରଦାନ କରୁଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ କମ୍ପାନି ଗୁଡ଼ିକ ମ୍ୟାନେଜମେଣ୍ଟ ଓ ଇଞ୍ଜିନିଅରିଂ ଛାତ୍ରଛାତ୍ରୀଙ୍କୁ ୪୦ରୁ ୪୫ ପ୍ରତିଶତ କମ୍‌ ବେତନରେ ନିଯୁକ୍ତି ଅଫର ଦେଉଛନ୍ତି ବୋଲି ଆସୋଚାମ କହିଛି।
ଅଧିକାଂଶ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଏଭଳି ପାଠ୍ୟକ୍ରମରେ ୩/୪ ବର୍ଷ ସମୟ ନିୟୋଜିତ କରିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ମନ ପସନ୍ଦର ନିଯୁକ୍ତି ମିଳୁ ନଥିବାରୁ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଏହି ପାଠ୍ୟକ୍ରମକୁ ନେଇ ସଂଶୟ ଦେଖାଦେଇଛି। ଦେଶରେ ପ୍ରାୟ ୪୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ହେଉ ନଥିବା କାରଣରୁ ବନ୍ଦ ହୋଇଗଲାଣି ବୋଲି ଆସୋଚାମ କହିଛି। ଅଧିକାଂଶ ବି-ସ୍କୁଲ ଓ ଇଞ୍ଜିନିଅରିଂ କଲେଜ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉନାହାନ୍ତି। ଆସୋଚାମ୍‌ର ରିପୋର୍ଟ ଅନୁଯାୟୀ, ୨୦୧୫ ମସିହାରୁ ଦିଲ୍ଲୀ-ଏନ୍‌ସିଆର୍‌, ମୁମ୍ବାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, କୋଲକାତା, ଲକ୍ଷ୍ନୌ, ଡେରାଡୁନ୍‌ ଆଦି ସହରରେ ଥିବା ୨୫୦ରୁ ଅଧିକ ବି-ସ୍କୁଲ ବନ୍ଦ ହୋଇଯାଇଛି। ଏତଦ୍‌ବ୍ୟତୀତ ଆଉ ୯୯ଟି କଲେଜ ତିଷ୍ଠି ରହିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏଭଳି ସମସ୍ୟା ସୃଷ୍ଟି ହେବାର ମୂଳ କାରଣ ହେଲା ଦେଶରେ ଦ୍ୱିତୀୟ ଏବଂ ତୃତୀୟ କ୍ୟାଟେଗୋରିର ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ଗୁଡ଼ିକ ବହୁସଂଖ୍ୟାରେ ଗଢ଼ିଉଠିବା। ନାମଲେଖା ସମୟରେ ଏହି ପ୍ରତିଷ୍ଠାନ ଗୁଡ଼ିକ କେବଳ ସିଟ୍‌ ପୂରଣ ଉପରେ ଧ୍ୟାନଦେଉଛନ୍ତି। ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ମାନକୁ ବିଚାରକୁ ନେଉନାହାନ୍ତି। ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ଆସୋଚାମ କହିଛି। ଆସୋଚାମ ପକ୍ଷରୁ ପରିସ୍ଥିତିରେ ସୁଧାର ଲାଗି କେତେକ ପରାମର୍ଶ ଦିଆଯାଇଛି। ଭିତ୍ତିଭୂମିରେ ଉନ୍ନତି ଆଣିବା, ଶିକ୍ଷାଦାନ କରୁଥିବା ଅଧ୍ୟାପକଅଧ୍ୟାପିକାମାନଙ୍କୁ ତାଲିମ ଦେବା, ଶିଳ୍ପ ପ୍ରତିଷ୍ଠାନ ସହିତ ସଂଯୋଗ ସ୍ଥାପନ କରିବା, ଗବେଷଣାରେ ଅଧିକ ଅର୍ଥ ବ୍ୟୟ କରିବା ଏବଂ ଛାତ୍ରଛାତ୍ରୀଙ୍କୁ କେବଳ ନିଯୁକ୍ତି ଯୋଗାଇଦେବା ପରିବର୍ତ୍ତେ ସେମାନଙ୍କୁ ନିଯୁକ୍ତିଯୋଗ୍ୟ କରିତୋଳିବା ଉପରେ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe