Best Media Info
ଭୁବନେଶ୍ବର: ଅଗ୍ରଣୀ ଘରୋଇ ବୀମା କଂପାନି ଆଭିଭା ଇଣ୍ଡିଆର ନୂଆ ଏମ୍ଡି ଓ ସିଇଓ ଭାବେ ଓଡ଼ିଶାର ଅସିତ ରଥଙ୍କୁ ନିଯୁକ୍ତି ମିଳିଛି। ଆଜିଠାରୁ ସେ ନୂତନ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ପ୍ରୁଡେନ୍ସିଆଲ ମିଆଁମାର ଲାଇଫ୍ ଇନ୍ସ୍ୟୁରାନ୍ସର ସିଇଓ ଭାବେ କାର୍ଯ୍ୟ କରୁଥିଲେ। ଉଭୟ ଭାରତ ଓ ମିଆଁମାରର ବ୍ୟାଙ୍କିଙ୍ଗ ଓ ବୀମା କ୍ଷେତ୍ରରେ କାର୍ଯ୍ୟ କରିବାରେ ଅସିତଙ୍କ ଦୀର୍ଘ ୨୨ ବର୍ଷର ଅଭିଜ୍ଞତା ରହିଛି। ତାଙ୍କ ନିଯୁକ୍ତି ସମ୍ପର୍କରେ କଂପାନିର ଆଞ୍ଚଳିକ ସିଇଓ (ଏସିଆ) ରୢାଣ୍ଡି ଲିଆଙ୍ଗାରା କହିଛନ୍ତି ଯେ ଅସିତଙ୍କୁ ଆଭିଭାକୁ ସ୍ବାଗତ କରି ଆମେ ଉଲ୍ଲସିତ। ବ୍ୟବସାୟରେ ରୂପାନ୍ତରଣ ଓ ନବସୃଜନ ଆଣିବାରେ ତାଙ୍କର ଦକ୍ଷତାକୁ ସେ ପ୍ରମାଣିତ କରିଛନ୍ତି। ପରବର୍ତୀ ରୂପାନ୍ତରଣ ଯାତ୍ରା ପାଇଁ ଅଭିଭା ଇଣ୍ଡିଆର ନେତୃତ୍ବ ନେବାକୁ ସେ ହେଉଛନ୍ତି ଉପଯୁକ୍ତ ପ୍ରାର୍ଥୀ। ମୁଁ ତାଙ୍କ ଭବିଷ୍ୟତ ଉଦ୍ୟମ ପାଇଁ ଶୁଭକାମନା ଜଣାଉଛି।
ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ଅସିତ ଆଇଆଇଟି-କାନପୁରର କେନ୍ଦ୍ରୀୟ ବିଦ୍ୟାଳୟରେ ପାଠପଢ଼ିବା ପରେ ଢେଙ୍କାନାଳ କଲେଜରୁ ରସାୟନ ବିଜ୍ଞାନରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ଏହା ପରେ ସେ କାନପୁର ବିଶ୍ବବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକୋତ୍ତର ପାଠପଢ଼ିଥିଲେ। ୧୯୯୯ରେ ସେ ଆଇସିଆଇସିଆଇ ବ୍ୟାଙ୍କରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ଏହା ପରେ ଆକ୍ସିସ୍ ବ୍ୟାଙ୍କରେ କାମ କରିବା ପରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ରେ ଯୋଗ ଦେଇଥିଲେ। ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ରେ ସେ ବରିଷ୍ଠ ଉପାଧ୍ୟକ୍ଷ ପର୍ଯ୍ୟନ୍ତ ପଦୋନ୍ନତି ପାଇଥିଲେ। ଏହା ପରେ ପ୍ରୁଡେନ୍ସିଆଲ ମିଆଁମାରର ସିଇଓ ଭାବେ ସେ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କ ପତ୍ନୀ ଦୀପା ରଥ ଆକ୍ସିସ୍ ଟ୍ରଷ୍ଟି ସର୍ଭିସେସ୍ ଲିମିଟେଡ୍ର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଅସିତ ହେଉଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ ଓ ଶଙ୍କର ସଙ୍ଗୀତ ବିଦ୍ୟାଳୟର ଅଧ୍ୟକ୍ଷା ସଞ୍ଜୁବାଳା ରଥଙ୍କ ପୁଅ।
  
 Follow Us