ସର୍ବନିମ୍ନ ସ୍ତରରେ ଟଙ୍କା ମୂଲ୍ୟ, ଡଲାର ଦାମ୍ ୭୯ ଟଙ୍କା ଟପିଲା

Advertisment
ଟଙ୍କା ମୂଲ୍ୟରେ ସୁଧାର

Image: PTC News

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବାର ଲାଗିଛି। ଆଜି ଡଲାର ମୂଲ୍ୟ ୭୯ ଟଙ୍କାରୁ ଅଧିକ ହୋଇଯାଇଛି। ବ୍ୟାଙ୍କ ଓ ଆମଦାନିକାରୀମାନଙ୍କୁ ଡଲାର କିଣିବା ଲାଗି ପ୍ରଥମ ଥର ପାଇଁ ୭୯ ଟଙ୍କାରୁ ଅଧିକ ଗଣିବାକୁ ପଡ଼ିଛି। ଡଲାର ମୂଲ୍ୟରେ ବୃଦ୍ଧି ଆମଦାନିକୁ ମହଙ୍ଗା କରିଛି। ପ୍ରଥମ ଥର ପାଇଁ ଟଙ୍କା ଏଭଳି ଦୁର୍ବଳ ସ୍ତରରେ ପହଞ୍ଚିଥିବା କୁହାଯାଉଛି। ମୁଦ୍ରାସ୍ଫୀତିକୁ ନେଇ ସାରା ବିଶ୍ବରେ ଲାଗି ରହିଥିବା ଭୟ ଓ ଅଶୋଧିତ ତୈଳ ଦାମ୍‌ରେ ବୃଦ୍ଧି ଯୋଗୁଁ ଡଲାର ମୂଲ୍ୟ ବଢ଼ୁଥିବା ବେଳେ ଟଙ୍କା ଗତ ଛଅ ଦିନରେ ଦୁର୍ବଳରୁ ଆହୁରି ଅତି ଦୁର୍ବଳ ‌ହେବାରେ ଲାଗିଛି। ବୁଧବାର ତାହାର ମୂଲ୍ୟ ଡଲାର ତୁଳନାରେ ଆଉ ୧୮ ପଇସା ହ୍ରାସ ପାଇ ୭୯ ଟଙ୍କା ୩ ପଇସା ହୋଇଯାଇଛି।

ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିବା ମଧ୍ୟ ଟଙ୍କାର ଦୁର୍ବଳ ସ୍ଥିତିର ଅନ୍ୟତମ କାରଣ ବୋଲି କୁହାଯାଉଛି। ଟଙ୍କା ମୂଲ୍ୟରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ହସ୍ତକ୍ଷେପ କରିବାକୁ ପଡ଼ୁଛି। ନିଜ ପାଖରେ ଥିବା ଡଲାରକୁ ଏହା ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବା ପରେ ଡଲାର ମୂଲ୍ୟରେ ହେଉଥିବା ବୃଦ୍ଧିରେ ଅଙ୍କୁଶ ଲାଗୁଛି। କିନ୍ତୁ ଏହାର ଖରାପ ଦିଗଟି ହେଉଛି ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ସଙ୍କୁଚିତ ହେଉଛି। ସମଗ୍ର ବିଶ୍ବରେ ମୁଦ୍ରାସ୍ଫୀତି, ଅଭିବୃଦ୍ଧି ଓ ତୈଳ ଦାମ୍‌କୁ ନେଇ ଚିନ୍ତା ଲାଗି ରହିଛି। ଡଲାର ପାଇଁ ଚାହିଦା ବଢ଼ିଥିବା ବେଳେ ଯୋଗାଣ ହ୍ରାସ ପାଇବାରୁ ତାହା ଦରବୃଦ୍ଧିର କାରଣ ହୋଇଛି। ବଜାରରେ ଆବଶ୍ୟକତା ପରିମାଣର ଡଲାର ଉପଲବ୍ଧ ନାହିଁ। ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହାର ବଢ଼ାଇବା ପରେ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ଜୁନ୍‌ ମାସରେ ସେମାନେ ୪୬ ହଜାର କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe