ଏଟିଏମ୍‌ ସଙ୍କଟ: ଚବିଶ ଘଣ୍ଟା ନୋଟ୍‌ ଛପା ଚାଲିଛି

Advertisment
ଏଟିଏମ୍‌ ସଙ୍କଟ: ଚବିଶ ଘଣ୍ଟା ନୋଟ୍‌ ଛପା ଚାଲିଛି

ନୂଆଦିଲ୍ଲୀ: ଦେଶରେ ଥିବା ୭୦ ହଜାର କୋଟିର ନଗଦ ଟଙ୍କା ଅଭାବ ପୂରଣ କରିବା ପାଇଁ ନୋଟ୍‌ ଛାପାଖାନାଗୁଡ଼ିକରେ ୨୪ ଘଣ୍ଟା ନୋଟ୍‌ ଛପା ଚାଲିଛି। ଅଧିକ ୫୦୦ ଓ ୨୦୦ ଟଙ୍କିଆ ନୋଟ୍‌ ଛପା ହେଉଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ନୋଟ୍‌ ଛାପାଖାନାଗୁଡ଼ିକ ପ୍ରତିଦିନ ୩-୪ ଘଣ୍ଟାର ବିରାମ ସହିତ ୧୮-୧୯ ଘଣ୍ଟା କାମ କରୁଥିଲା। ମାତ୍ର ଏଟିଏମ୍‌ରେ ଟଙ୍କା ଅଭାବ ଦେଖାଦେବା ପରେ ସବୁ ଟଙ୍କା ଛପାଖାନାକୁ ୨୪ ଘଣ୍ଟା ଚାଲୁ ରଖାଯାଇଛି। ଶେଷ ଥର ପାଇଁ ବିମୁଦ୍ରାକରଣ ସମୟରେ ଅଧିକ ୨୦୦୦ ଟଙ୍କିଆ ଛପାଇବା ପାଇଁ ଛାପାଖାନାରେ ଚବିଶ ଘଣ୍ଟା ନୋଟ୍‌ ଛପା ହେଉଥିଲା। ଏଥି ସହିତ ବିଭିନ୍ନ ସ୍ଥାନକୁ ବିପୁଳ ପରିମାଣର ଟଙ୍କା ପରିବହନ ମଧ୍ୟ ଆରମ୍ଭ କରାଯାଇଛି। ଦେଶରେ ଥିବା ୨ ଲକ୍ଷ ୨୦ ହଜାର ଏଟିଏମ୍‌ ମଧ୍ୟରୁ ୮୬% ଏଟିଏମ୍‌ରୁ ଟଙ୍କା ବାହାରୁଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ଷ୍ଟେଟ୍‌ ବ୍ୟାଙ୍କ ପିଓଏସ୍‌ ମେସିନ୍‌ରୁ ଟଙ୍କା ଉଠାଇ ହେବ
ନୂଆଦିଲ୍ଲୀ: ଛୋଟ ସହରଗୁଡ଼ିକରେ ବସବାସ କରୁଥିବା ଲୋକମାନେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଥିବା ପଏଣ୍ଟ୍‌ ଅଫ୍‌ ସେଲ୍‌ (ପିଓଏସ୍‌) ମେସିନ୍‌ରୁ ୨୦୦୦ ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ। ଏଟିଏମ୍‌ରୁ ଟଙ୍କା ବାହାରୁ ନଥିବାରୁ ଲୋକମାନେ ସାମ୍ନା କରୁଥିବା ସମସ୍ୟା ଦୂର କରିବା ନିମନ୍ତେ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ୟ ପକ୍ଷରେ ନଗଦ ସଙ୍କଟ ବିଷୟରେ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ରଜନୀଶ କୁମାର କହିଛନ୍ତି ଯେ ଆସନ୍ତାକାଲି ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ। ଯେଉଁ ସବୁ ସ୍ଥାନରେ ଟଙ୍କାର ଅଭାବ ରହିଛି ସେଠାକୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ପରିବହନ କରାଯାଇଥିବା ସେ କହିଛନ୍ତି।

ଟଙ୍କା ମହଜୁଦକାରୀଙ୍କ ଉପରେ ଚଢ଼ଉ
ନୂଆଦିଲ୍ଲୀ: ବଜାରରୁ ଉଭାନ ହୋଇଯାଇଥିବା ନଗଦ ଟଙ୍କାଗୁଡ଼ିକୁ ଖୋଜି ବାହାର କରିବା ପାଇଁ ଆୟକର ବିଭାଗ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ଗତକାଲି କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର ୩୫ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଯେଉଁ ସବୁ ସଂସ୍ଥା ଓ ବ୍ୟକ୍ତିବିଶେଷ ବିପୁଳ ପରିମାଣର ଟଙ୍କା ଉଠାଇଛନ୍ତି ସେମାନଙ୍କୁ ନଜରରେ ରଖି ଆୟକର ବିଭାଗ ଚଢ଼ଉ କରିଛି। ତେବେ ଏହି ଚଢ଼ଉରୁ ବିଭାଗକୁ ବିଶେଷ କିଛି ସଫଳତା ମିଳିପାରିନାହିଁ। କୌଣସି ସ୍ଥାନରୁ ମୋଟା ଅଙ୍କର ଟଙ୍କା ଜବତ ହୋଇନାହିଁ। ଆଗାମୀ ଦିନରେ ଚଢ଼ଉ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ଟଙ୍କା ଉଠାଇ ତାହାକୁ ମହଜୁଦ ରଖିଥିବା ସଂସ୍ଥା ଓ ଲୋକମାନଙ୍କୁ ଟାର୍ଗେଟ୍‌ କରି ଏହି ଚଢ଼ଉ କରାଯାଉଛି। ବଡ଼ ବଡ଼ ଠିକାଦାରଙ୍କ ଉପରେ ଚଢ଼ଉ ଜାରି ରହିଛି।

‘ସମସ୍ୟା ପାଇଁ ସରକାର, ରିଜର୍ଭ ବ୍ୟାଙ୍କ ଦାୟୀ’
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏଟିଏମ୍‌ଗୁଡ଼ିକୁ ଟଙ୍କା ବାହାରୁ ନାହିଁ। ଏଥିପାଇଁ ବ୍ୟାଙ୍କ କର୍ମଚାରୀମାନଙ୍କୁ ସାଧାରଣ ଲୋକଙ୍କ ରୋଷର ଶିକାର ହେବାକୁ ପଡୁଛି। ଗ୍ରାହକମାନେ ବ୍ୟାଙ୍କ କର୍ମଚାରୀଙ୍କୁ ଗାଲିଗୁଲଜ କରୁଛନ୍ତି। ଏହି ପରିସ୍ଥିତି ପାଇଁ କୌଣସି ଭୁଲ ନଥିଲେ ମଧ୍ୟ ବ୍ୟାଙ୍କ କର୍ମଚାରୀମାନଙ୍କୁ ଅପ୍ରୀତିକର ପରିସ୍ଥିତି ସାମ୍ନା କରିବାକୁ ପଡୁଛି ବୋଲି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ)ର ସାଧାରଣ ସମ୍ପାଦକ ସିଏଚ୍‌ ଭେଙ୍କଟଚଲମ୍‌ କହିଛନ୍ତି। ଟଙ୍କା ସଙ୍କଟ ପାଇଁ ସେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ବିମୁଦ୍ରାକରଣ ପରେ ୨୦୦୦ ଟଙ୍କିଆ ନୋଟ୍‌ ଛପାଇବା ପାଇଁ ହୋଇଥିବା ନିଷ୍ପତ୍ତି ଯୋଗୁଁ ଏସବୁ ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି। ଟଙ୍କା ସଙ୍କଟର ଶୀଘ୍ର ସମାଧାନ ନହେଲେ ବ୍ୟାଙ୍କ କର୍ମଚାରୀମାନେ ସର୍ବଭାରତୀୟ ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସେ ଧମକ ଦେଇଛନ୍ତି। ଶ୍ରୀ ଭେଙ୍କଟଚଲମ୍‌ କହିଛନ୍ତି ଯେ କଳାଟଙ୍କା ଉପରେ ଅଙ୍କୁଶ ଲଗାଇବା ପାଇଁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବନ୍ଦ କରିିଦିଆଗଲା। ଏହା ବଦଳରେ ୨୦୦୦ ଟଙ୍କିଆ ନୋଟ୍‌ ଛପା ହେଲା। ଦୁଇ ହଜାର ଟଙ୍କିଆ ଯୋଗୁଁ କଳାଟଙ୍କା ମହଜୁଦକାରୀଙ୍କ କାମ ଆହୁରି ସହଜ ହୋଇଗଲା ବୋଲି ସେ କହିଛନ୍ତିି। ଟଙ୍କା ସଙ୍କଟ ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ୍‌ କହିଥିଲେ ଯେ, ଆବଶ୍ୟକ ପରିମାଣର ଟଙ୍କା ଛପା ହୋଇଛି ଓ ଯୋଗାଣ ମଧ୍ୟ କରାଯାଇଛି। ଯଦି ରିଜର୍ଭ ବ୍ୟାଙ୍କ ଠିକ୍‌ କହୁଥାଏ ତେବେ ଏତେ ଟଙ୍କା ସବୁ କୁଆଡ଼େ ଗଲା ଶ୍ରୀ ଭେଙ୍କଟଚଲମ୍‌ ପ୍ରଶ୍ନ କରିଛନ୍ତି। ନଗଦ ଟଙ୍କା ପରିଚାଳନା କରିବାରେ ରିଜର୍ଭ ବ୍ୟାଙ୍କର ବିଫଳତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରି ସେ କହିଛନ୍ତି ଯେ ଯଦି ବହୁତ ଟଙ୍କା ଛପା ହୋଇଥିଲା ବୋଲି କହୁଛ, ତେବେ ଏତେ ସବୁ ଟଙ୍କା କୁଆଡ଼େ ଗଲା ତାହାର ତଦନ୍ତ କରିବା କ’ଣ ତୁମର ଦାୟିତ୍ୱ ନୁହେଁ କି? ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ଉପଯୁକ୍ତ ନଗଦ ଟଙ୍କା ଯୋଗାଣକୁ ସେମାନେ ନିଶ୍ଚିତ କରୁଛନ୍ତି କି? ବୋଲି ସେ ପ୍ରଶ୍ନ କରିଛନ୍ତି। ବିମୁଦ୍ରାକରଣକୁ ୧୬ ମାସ ବିତିଯିବା ପରେ ମଧ୍ୟ ନୂଆ ନୋଟ୍‌ଗୁଡ଼ିକ ପାଇଁ ସବୁ ଏଟିଏମ୍‌ଗୁଡ଼ିକୁ ରିକାଲିବ୍ରେଟ୍‌ କରାଯାଇପାରିନାହିଁ। ଯାହା କିଛି ସମସ୍ୟା ଥିଲା, ସରକାରଙ୍କ ଆର୍ଥିକ ସମାଧାନ ଓ ଜମା ବୀମା ବିଲ୍‌ ତାହାକୁ ଆହୁରି ବଢ଼ାଇ ଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe