ମୁମ୍ବାଇ: ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ କାରବାରର ପଞ୍ଚମ ବର୍ଷ ପୂରଣ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟାଙ୍କର ମୋଟ କାରବାର ୩୪% ବୃଦ୍ଧି ପାଇ ୬୯,୦୭୮ କୋଟି ଟଙ୍କା ହୋଇଛି। ଜମା ରାଶି ୪୬% ବୃଦ୍ଧି ପାଇ ୫୨,୫୮୫ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ କାସା ଅନୁପାତ ୩୭%କୁ ବୃଦ୍ଧି ପାଇଛି। ଅଗ୍ରୀମ ଏହି ସମୟରେ ୩୨% ବୃଦ୍ଧି ପାଇ ୪୬,୭୮୯ କୋଟି ଟଙ୍କା ହୋଇଛି। ବ୍ୟାଙ୍କର ୮୮% ଋଣ ହେଉଛି ଖୁଚୁରା ଋଣ। ବ୍ୟାଙ୍କର ମୋଟ ଆୟ ୨୧ ପ୍ରତିଶତ ବୃଦ୍ଧି ପାଇ ୬,୯୧୫ କୋଟି ଟଙ୍କା ହୋଇଥିବା ବେଳେ ବର୍ଷ ସାରାରେ ନିଟ୍ ଲାଭ ୧,୧୩୦ କୋଟି ଟଙ୍କା ରହିଛି। ନିଟ୍ ସୁଧ ଆୟ ଏହି ସମୟରେ ୩୭% ବୃଦ୍ଧି ପାଇ ୩,୨୩୪ କୋଟି ଟଙ୍କା ରହିଛି। ମୋଟ୍ ଏନ୍ପିଏ ୨%କୁ ଓ ନିଟ୍ ଏନ୍ପିଏ ୦.୫% ଭଳି ଉନ୍ନତ ସ୍ଥିତିରେ ପହଞ୍ଚିଛି।
ପଞ୍ଚମ ବର୍ଷ ପୂର୍ତି ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁ ୧:୧ ଅନୁପାତରେ ବୋନସ୍ ସେୟାର ଜାରି କରାଯାଇଥିବା ବେଳେ ସେୟାର ପିଛା ୧ ଟଙ୍କାର ଲାଭାଂଶ ମଧ୍ୟ ଘୋଷଣା କରାଯାଇଛି। ଆଲୋଚ୍ୟ ବର୍ଷରେ ବ୍ୟାଙ୍କ ୩୯ଟି ନୂତନ ଟଚ୍ପଏଣ୍ଟ୍ ଉଦ୍ଘାଟନ କରି ମୋଟ ଟଚ୍ପଏଣ୍ଟ୍ ସଂଖ୍ୟାକୁ ୯୧୯ରେ ପହଞ୍ଚାଇଛି। ବ୍ୟାଙ୍କ ଅତିରିକ୍ତ ନିର୍ଦେଶକଙ୍କୁ ନିଯୁକ୍ତି ଦେଇ ମୋଟ ନିର୍ଦେଶକଙ୍କ ସଂଖ୍ୟା ୧୦ରେ ପହଞ୍ଚାଇଛି। ଏହି ଅବସରରେ ବ୍ୟାଙ୍କର ଏମ୍ଡି ଓ ସିଇଓ ସଞ୍ଜୟ ଅଗ୍ରୱାଲ୍ କହିଛନ୍ତି ଯେ ଏକ ଆହ୍ବାନପୂର୍ଣ୍ଣ ସମୟରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୨୦୨୨ ଏପ୍ରିଲ୍ ୧୯ରେ ନିଜ ଯାତ୍ରାର ପଞ୍ଚମ ବର୍ଷ ପୂରଣ କରିଥିବା ମୁଁ ବେଶ ସନ୍ତୁଷ୍ଟ ଓ ଜଣେ ପ୍ରତିଷ୍ଠାତା ଭାବେ ମୁଁ ଗର୍ବିତ ମଧ୍ୟ। ଏୟୁ ଉପରେ ଭରସା ପ୍ରକଟ କରିଥିବାରୁ ମୁଁ ଆମର ଗ୍ରାହକ, ନିବେଶକ, କର୍ମଚାରୀ ଓ ଅନ୍ୟ ଅଂଶୀଦାରମାନଙ୍କ ପ୍ରତି କୃତଜ୍ଞ।
Follow Us