Wikipedia
ଭୁବନେଶ୍ବର: ରାଜ୍ୟ ସରକାର ଆଜି ୨୦ଟି ଖଣିର ନିଲାମ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଗତ ଅକ୍ଟୋବର ମାସରେ ୩ଟି ପର୍ଯ୍ୟାୟରେ ୪୦ଟି ଖଣିର ନିଲାମ ପାଇଁ ସରକାର ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ ଖଣି ହାତେଇବା ପାଇଁ ଆଇନରେ ଥିବା ଗଳାବାଟର ସୁଯୋଗ ନେଇ କେତେକ କମ୍ପାନି ଚଞ୍ଚକତା କରିଥିବା ବିଷୟରେ ଅନ୍ୟ କମ୍ପାନି ଗୁଡ଼ିକ ଅଭିଯୋଗ କରିଥିଲେ। ଫଳରେ ସରକାର ୪୦ ଯାକ ଖଣିର ନିଲାମକୁ ବାତିଲ କରିଦେଇଥିଲେ। ଏଥିସହିତ ୨୦ଟି ଖଣିର ନିଲାମ ଡିସେମ୍ବର ୬ ତାରିଖରେ କରିବେ ବୋଲି ଘୋଷଣା କରିଥିଲେ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ୨୦ଟି ଖଣିର ନିଲାମ ବିଜ୍ଞପ୍ତି ଜାରି ହୋଇଛି। ଏହି ୨୦ଟି ଖଣି ମଧ୍ୟରେ ୧୨ଟି ଲୁହାପଥର, ୨ଟି ମାଙ୍ଗାନିଜ୍ ଏବଂ ୬ଟି ଲୁହାପଥର ଓ ମାଙ୍ଗାନିଜ୍ ଖଣି ରହିଛି। ନିଲାମ ପାଇଁ ଯେଉଁ ୧୨ଟି ଲୁହାପଥର ଖଣି ଆଜିର ବିଜ୍ଞପ୍ତିରେ ରହିଛି ସେଗୁଡ଼ିକ ହେଲା ଗୋରୁମହିଷାଣୀ, ବାଦାମପାହାଡ଼, ଜଜାଙ୍ଗ, ନାଡ଼ିଡ଼ିହ(ବିକୋ), ବାଲ୍ଦା, ନୂଆଗାଁ, ଠାକୁରାଣୀ, ଝିଲିଙ୍ଗ୍-ଲଙ୍ଗଲୋତା, ଜରିବାହଲ, ରୋଇଡ଼ା-୨, ଜୁଜୁରି ଏବଂ ଗନୁଆ। ଯେଉଁ ଦୁଇଟି ମାଙ୍ଗାନିଜ୍ ଖଣିର ନିଲାମ ପାଇଁ ବିଜ୍ଞପ୍ତି ଜାରି ହୋଇଛି ସେଗୁଡ଼ିକ ହେଲା କଟାସାହି ଏବଂ କନ୍ଥେର-କୋଇଡ଼ା। ସେହିଭଳି ଯେଉଁ ୬ଟି ଲୁହାପଥର ଏବଂ ମାଙ୍ଗାନିଜ୍ ଖଣି ପାଇଁ ନିଲାମ ବିଜ୍ଞପ୍ତି ଜାରି ହୋଇଛି ସେଗୁଡ଼ିକ ହେଲା ନାଡ଼ିଡ଼ିହ (ଫ୍ରିଗେଡ୍), ତେହେରାଇ, କୋଲମଙ୍ଗ, ସିଲଯୋର-କାଲିମାଟି, ନାରାୟଣପୋଷି ଏବଂ ମହୁଲଶୁଖା।
ତେବେ ଏସବୁ ଖଣି ମଧ୍ୟରୁ ସରକାର ୬ଟି ଖଣିକୁ ସ୍ପଞ୍ଜ ଆଇରନ ଉତ୍ତପାଦନକାରୀ ଏବଂ/ବା ପିଗ୍ ଆଇରନ ଏବଂ/ବା ଇସ୍ପାତ ଏବଂ/ବା ପେଲେଟ ଉତ୍ପାଦନକାରୀଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି। ସେହି ଖଣିଗୁଡ଼ିକ ହେଲା ଠାକୁରାଣୀ ଲୁହାପଥର ଖଣି, ଜରିବାହଲ ଲୁହାପଥର ଖଣି, ରୋଇଡ଼ା ୨ ଲୁହାପଥର ଖଣି, ଗନୁଆ ଲୁହାପଥର ଖଣି ଏବଂ ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ୍ ଖଣି। ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ ୧୯୫୭ର ଧାରା ୧୦(ବି) ଏବଂ ଖଣିଜ (ନିଲାମ) ନିୟମ, ୨୦୧୫ ଅନୁଯାୟୀ ଏହି ନିଲାମ ଡକାଯାଇଛି। ଆର୍ଥିକ ନିଲାମକୁ କେବଳ ଡିଜିଟାଲ ଫର୍ମାଟରେ ଆହ୍ବାନ କରାଯାଇଥିବାବେଳେ ବୈଷୟିକ ନିଲାମକୁ ଉଭୟ ଡିଜିଟାଲ ଓ ଫିଜିକାଲ ଫର୍ମାଟରେ ଆହ୍ବାନ କରାଯାଇଛି। ଯୋଗ୍ୟ ସଂସ୍ଥା ଗୁଡ଼ିକ ଏହି ନିଲାମରେ ଭାଗ ନେଇପାରିବେ। ନିଲାମରେ ଭାଗ ନେବା ଯୋଗ୍ୟତା, ଆବେଦନ ସଂକ୍ରାନ୍ତ ତାରିଖ ଓ ସମୟ ଟେଣ୍ଡର ଦସ୍ତାବିଜ୍ରେ ରହିଛି। ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ଏମ୍ଏସ୍ଟିସି ଲିମିଟେଡ୍ ୱେବସାଇଟ୍ରୁ ଡାଉନଲୋଡ଼ କରାଯାଇ ପାରିବ। ଆଗ୍ରହୀ ଏବଂ ଯୋଗ୍ୟ ନିଲାମ ଡ଼କାଳୀମାନେ ଏମ୍ଏସ୍ଟିସି ଲିମିଟେଡ୍ର ୱେବସାଇଟ୍ରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ସଫଳ ହେଲେ ଯୋଗ୍ୟ ନିଲାମଡକାଳୀମାନେ ଇ-ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ଲଗଇନ୍ ଆଇଡି ଏବଂ ପାସୱାର୍ଡ ପାଇପାରିବେ। ଏମ୍ଏସ୍ଟିସି ଲିମିଟେଡର ୱେବସାଇଟ୍ରେ ଆଦର୍ଶ ଟେଣ୍ଡର ଦସ୍ତାବିଜ୍ ଏବଂ ଖଣିଜ ବ୍ଲକ ସମ୍ପର୍କିତ ତଥ୍ୟ ମାଗଣାରେ ଉପଲବ୍ଧ ହେବ। ଟେଣ୍ଡର କାଗଜପତ୍ର କ୍ରୟର ଶେଷ ତାରିଖ ଡିସେମ୍ବର ୩୦ ରଖାଯାଇଛି। ସେହିଭଳି ନିଲାମ ଦାଖଲର ଶେଷ ଦିବସକୁ ୨୦୨୦ ଜାନୁଆରି ୩ ତାରିଖ ମଧ୍ୟାହ୍ନ ୧୨ଟା ରଖାଯାଇଛି। ଗୋଟିଏ ଖଣି ପାଇଁ ଟେଣ୍ଡର କାଗଜପତ୍ରର ମୂଲ୍ୟ ୫ ଲକ୍ଷ ଟଙ୍କା ରଖାଯାଇଛି। ପୂର୍ବରୁ ଗତ ଅକ୍ଟୋବର ୪ ଏବଂ ୧୪ ତାରିଖରେ ଡକାଯାଇଥିବା ନିଲାମରେ ଯେଉଁମାନେ କାଗଜପତ୍ର କ୍ରୟ କରିଛନ୍ତି ସେମାନେ ଅର୍ଥ ଜମା ନକରି ଟେଣ୍ଡର କାଗଜପତ୍ର ପାଇପାରିବେ।
Follow Us