ବରଗଡ଼ର ବାଲିଜୁରୀ ହାଟ ହେବ ଏସିଆର ବୃହତ୍ତମ ପୋଷାକ ବଜାର

Advertisment

ଓଡ଼ିଶା ବାନ୍ଧକଳାକୁ ‘ବିଶ୍ବ ବ୍ରାଣ୍ଡ୍‌’ରେ ପରିଣତ କରାଯିବ

ଓଡ଼ିଶା ବାନ୍ଧକଳାକୁ ‘ବିଶ୍ବ ବ୍ରାଣ୍ଡ୍‌’ରେ ପରିଣତ କରାଯିବ

ବରଗଡ଼ର ବାଲିଜୁରୀ ହାଟ ହେବ ଏସିଆର ବୃହତ୍ତମ ପୋଷାକ ବଜାର

ଭୁବନେଶ୍ବର: ବରଗଡ଼ର ବାଲିଜୁରୀ ହାଟକୁ ଏସିଆର ସର୍ବବୃହତ ଖୋଲା ପଡ଼ିଆ ପୋଷାକ ବଜାରରେ ଭାବେ ବିକଶିତ କରିବାକୁ ଆଜି ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ନିର୍ଦେଶ ଦେଇଛନ୍ତି। ବରଗଡ଼ ସହର ଠାରୁ ସାତ କିଲୋମିଟର ଦୂରରେ ଥିବା ଏହି ହାଟରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଓ ବଜାର ସହ ଯୋଡ଼ି ହେବାର ବ୍ୟବସ୍ଥା ରହିବ। ଆଜି ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶାର ବାନ୍ଧକଳା (ଇକତ୍‌)କୁ ବିଶ୍ବସ୍ତରୀୟ ବ୍ରାଣ୍ଡ୍‌ରେ ପରିଣତ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆୟୋଜନ କରାଯାଉଥିବା ଏକ୍ସପୋ ଓ ପ୍ରଦର୍ଶନୀ ଓ ତାରକା ହୋଟେଲ୍‌ଗୁଡ଼ିକ ମାଧ୍ୟମରେ ପ୍ରଚାରପ୍ରସାର କରି ଆନ୍ତର୍ଜାତିକ ସ୍ତରରେ ଏହି ସାମଗ୍ରୀଗୁଡ଼ିକର ଲୋକପ୍ରିୟତା‌ ବଢ଼ାଇବାକୁ ସେ କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପସାପାଲି, ସୋନପୁରୀ, ବୋମକେଇ ଓ କୋଟପାଡ଼ ଡିଜାଇନ୍ ଉପରେ ସରକାର ଗୁରୁତ୍ବ ଦେଇ ‘ବିଶ୍ବ ଡିଜାଇନ୍’ ଭାବେ ବିକଶିତ କରିବେ। ଏହି ବସ୍ତ୍ରଗୁଡ଼ିକୁ ବରଗଡ଼, ସୋନପୁର, କଳାହାଣ୍ଡି ଓ କୋରାପୁଟ ଆଦି ଅଞ୍ଚଳରେ ତିଆରି କରାଯାଉଛି। ଓଡ଼ିଶାର ବାନ୍ଧକଳାକୁ ଜିଆଇ ମାନ୍ୟତା ମଧ୍ୟ ମିଳିଛି। ବର୍ତ୍ତମାନ ସୁଦ୍ଧା ୧୬୬ ପ୍ରକାର ଡିଜାଇନ୍ ପ୍ରସ୍ତୁତ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଡିଜାଇନ୍ ପ୍ରକ୍ରିୟା ଜାରି ରହିଛି ବୋଲି ହସ୍ତତନ୍ତ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାଶ କହିଛନ୍ତି।

ଓଡ଼ିଶାର ଡିଜାଇନ୍‌ଗୁଡ଼ିକୁ ବିକଶିତ କରିବା ଲାଗି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଡିଜାଇନର୍‌ ଯଥା ରୀତା କପୁର ଚିଷ୍ଟି, ଆବ୍ରାହମ ଠାକୋରେ, ରାକେଶ ପ୍ରତାପ ସିଂହ, ଅଞ୍ଜଳି କାଲିଆ ଓ ବିଭୂ ମହାପାତ୍ରଙ୍କୁ ଆମନ୍ତ୍ରଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ବୁଣାକାରଙ୍କ ଠାରୁ ସାମଗ୍ରୀ କିଣିବା ଲାଗି ବୟନିକା, ଉତ୍କଳିକା ଓ ସମ୍ବଲପୁରୀ ବସ୍ତ୍ରାଳୟକୁ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ। ପୋଷାକ ଡିଜାଇନ୍ ପ୍ରତି ଯୁବ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଲାଗି ଇଣ୍ଟର୍ଣ୍ଣସିପ୍ ଓ ସ୍କଲାରସିପ୍ ବ୍ୟବସ୍ଥା କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଓଡ଼ିଶାର ହସ୍ତତନ୍ତ ବଜାର ମୂଲ୍ୟ ୭୦୦ କୋଟି ଟଙ୍କା ଭଳି ସ୍ତରରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବଡ଼ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଘରୋଇ କ୍ଷେତ୍ରର ପୁଞ୍ଜିନିବେଶ ହାସଲ କରିବା ଲାଗି ଉଦ୍ୟମ କରିବା ଲାଗି ଦକ୍ଷ ଅଧିକାରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରିବାକୁ ସେ ବୟନ, ହସ୍ତତନ୍ତ ଓ ହସ୍ତକଳା ବିଭାଗର ସଚିବ ଶୁଭା ଶର୍ମାଙ୍କୁ କହିଛନ୍ତି। ଇ-କମର୍ସ ସହିତ ରାଜ୍ୟର ପୋଷାକ ବଜାରକୁ ଯୋଡ଼ିବା ଲାଗି ଉଦ୍ୟମକୁ ତ୍ବରାନ୍ବିତ କରିବାକୁ ମଧ୍ୟ ମୁଖ୍ୟ ସଚିବ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe