ThePrint
ନୂଆଦିଲ୍ଲୀ: ଦେଶରେ ବନ୍ଦେ ଭାରତ ଟ୍ରେନ ଘଣ୍ଟା ପ୍ରତି ୧୮୦ କିମିରୁ ଅଧିକ ବେଗରେ ଦୌଡ଼ିଛି। ଗତକାଲି ପରୀକ୍ଷଣ ବେଳେ ଟ୍ରେନ ଏହି ବେଗରେ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଉକ୍ତ ଟ୍ରେନର ନିର୍ମାଣ ଭାରତରେ ସଂପୂର୍ଣ୍ଣ ଭାବେ ହୋଇଥିବା ଦାବି କରାଯାଉଛି। ୨୦୧୯ ଫେବ୍ରୁଆରିରେ ଉକ୍ତ ଟ୍ରେନ ଚଳାଚଳର ଶୁଭାରମ୍ଭ କରାଯାଇଛି। ପ୍ରଥମ ଟ୍ରେନ ନୂଆଦିଲ୍ଲୀରୁ ବାରଣାସୀ ମଧ୍ୟରେ ଏବଂ ଦ୍ବିତୀୟ ଟ୍ରେନ ଦିଲ୍ଲୀରୁ ବୈଷ୍ନୌଦେବୀ ମଧ୍ୟରେ ଚଳାଚଳ କରୁଛି। ପର୍ଯ୍ୟାୟକ୍ରମେ ଦେଶବ୍ୟାପୀ ଏହି ଟ୍ରେନ ଚଳାଯିବାର ଯୋଜନା ରହିଛି।
ଗତକାଲି ରାଜସ୍ଥାନର କୋଟାରୁ ମଧ୍ୟପ୍ରଦେଶର ନଗଡ଼ା ମଧ୍ୟରେ ଉକ୍ତ ଟ୍ରେନର ପରୀକ୍ଷଣ ହୋଇଛି। ଟ୍ରେନଟି ବିଭିନ୍ନ ସ୍ଥାନରେ ଘଣ୍ଟାପ୍ରତି ୧୨୦, ୧୩୦, ୧୫୦ ଏବଂ ୧୮୦ କିମି ବେଗରେ ଯାତ୍ରା କରିଛି। ସେଲ୍ଫ ପ୍ରପେଲ୍ଡ ଇଞ୍ଜିନ ବିଶିଷ୍ଟ ଉକ୍ତ ଟ୍ରେନରେ ସ୍ବୟଂକ୍ରିୟ ଦ୍ବାର ରହିଛି। ଏଥିସହିତ ବାତାନୁକୂଳିତ ଚେୟାର କାର ବଗି ଏଥିରେ ଲାଗିଛି। ଟ୍ରେନଟି ୧୮୦ରୁ ୧୮୩ କିମି ବେଗରେ ଯାତ୍ରା କରିଛି ବୋଲି ରେଳମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ପାଖାପାଖି ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ ନେଇ ୨୦୨୨ ବଜେଟରେ ଯୋଜନା ରହିଛି।
Follow Us