ନୂଆଦିଲ୍ଲୀ: ଗତ ଚାରି ବର୍ଷ ଭିତରେ ୩୮ଜଣ ବ୍ୟାଙ୍କରେ ଠକେଇ କରି ଦେଶ ଛାଡ଼ି ପଳାୟନ କରିଛନ୍ତି। ୨୦୧୫ ଜାନୁଆରି ପରଠାରୁ ସେମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ କରାଯାଉଛି। ବ୍ୟାଙ୍କ ଠକେଇ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ୨୦୧୫-୨୦୧୯ ଭିତରେ ବ୍ୟାଙ୍କରେ ଆର୍ଥିକ ଅନିୟମିତତା ଓ ଜାଲିଆତି କରିଥିବା ୩୮ ଜଣ ଅଭିଯୁକ୍ତ ବିଦେଶ ଫେରାର ହୋଇଯାଇଛନ୍ତି। ସିବିଆଇ ସେମାନଙ୍କ ନାମରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଇଣ୍ଟରପୋଲ୍ ନିକଟରେ ଅାବେଦନ କରାଯାଇଛି। ୧୪ ଜଣଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ବିଭିନ୍ନ ଦେଶରେ ପ୍ରତ୍ୟର୍ପଣ ମାମଲା ରୁଜୁ କରାଯାଇଛି। ୧୧ ଜଣଙ୍କ ବିରୋଧରେ ପଳାତକ ଅର୍ଥନୈତିକ ଅପରାଧୀ ନିୟମ, ୨୦୧୮ ଅନୁସାରେ ମାମଲା ରୁଜୁ ହୋଇଛି। ଏହି ସବୁ ଲୋକ କେତେ କୋଟି ଟଙ୍କା ବ୍ୟାଙ୍କ ଠକେଇ କରିଛନ୍ତି ତାହାର ସୂଚନା ସରକାର ଦେଇନାହାନ୍ତି। ଇଡିରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୯ ଜାନୁଆରି ୪ ସୁଦ୍ଧା ୨୭ ଜଣ ବ୍ୟାଙ୍କ ଠକେଇ ଅଭିଯୁକ୍ତ ଦେଶ ଛାଡ଼ି ପଳାୟନ କରିଥିଲେ। ସେମାନଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ୧୦ କୋଟି ଟଙ୍କାର ଠକେଇ କରିଥିବା ସନି କାଲ୍ରା ଓ ୪୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଥିବା ବିନୟ ମିତ୍ତଲଙ୍କୁ ସଫଳତାର ସହ ସ୍ବଦେଶ ଫେରାଇ ଅଣାଯାଇଛି। ପଳାତକଙ୍କ ଲମ୍ବା ତାଲିକାରେ ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକ୍ସି ଓ ସନ୍ଦସେରା ଭ୍ରାତାଙ୍କ ନାମ ରହିଛି। ବିଜୟ ମାଲ୍ୟାଙ୍କ ନାମରେ ୯୦୦୦ କୋଟି ଟଙ୍କା, ନିରବ ଓ ମେହୁଲଙ୍କ ନାମରେ ୧୪ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us