ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କ ଠକେଇ ମାମଲା ବହୁମାତ୍ରାରେ ବଢ଼ିବାରେ ଲାଗିଛି। ଚଳିତ ଆର୍ଥିକବର୍ଷର ପ୍ରଥମାର୍ଦ୍ଧ (ଏପ୍ରିଲ-ସେପ୍ଟେମ୍ବର)ରେ ଦେଶରେ ୧୮,୪୬୧ଟି ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି ଯାହାର ପରିମାଣ ୨୧,୩୬୭ କୋଟି ଟଙ୍କା ବୋଲି ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାଯାଇଛି। ୨୦୨୩-୨୪ ଆର୍ଥିକବର୍ଷର ପ୍ରଥମାର୍ଦ୍ଧ ତୁଳନାରେ ଠକେଇ ସଂଖ୍ୟାରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୩-୨୪ର ଏପ୍ରିଲ-ସେପ୍ଟେମ୍ବରରେ ଏହି ଠକେଇ ସଂଖ୍ୟା ୧୪,୪୮୦ ରହିଥିଲା। କିନ୍ତୁ ଠକେଇ ରାଶିକୁ ଦେଖିଲେ ଏଥିରେ ୮ ଗୁଣା ବୃଦ୍ଧି ଘଟିଛି।
ଗତ ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ଠକେଇ ରାଶି ୨୬୨୩ କୋଟି ଟଙ୍କା ରହିଥିଲା। ୨୦୨୩-୨୪ରେ ମୋଟ ବ୍ୟାଙ୍କ ଠକେଇରେ ଇଣ୍ଟରନେଟ୍ ଓ କାର୍ଡ ଠକେଇ ରାଶି ୪୪.୭ ପ୍ରତିଶତ ରହିଛି। କିନ୍ତୁ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ମୋଟ ଠକେଇର ଏହାର ମାତ୍ରା ୮୫.୩ ପ୍ରତିଶତ। ମୋଟ ଠକେଇ ସଂଖ୍ୟାରେ ଘରୋଇ ବ୍ୟାଙ୍କଗୁଡ଼ିକରେ ୬୭.୧ ପ୍ରତିଶତ ଠକେଇ ହୋଇଛି। କିନ୍ତୁ ଠକେଇ ରାଶି ଦୃଷ୍ଟିରୁ ସର୍ବାଧିକ ପ୍ରଭାବ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସହିଛନ୍ତି। ବ୍ୟାଙ୍କଗୁଡ଼ିକ ଉପରେ ୨୦୨୩-୨୪ରେ ୮୬.୧ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ଠକେଇ କାରଣରୁ ବ୍ୟାଙ୍କ ପ୍ରତି ବିଭିନ୍ନ ବିପଦ ଦେଖାଦେଉଛି। ତେଣୁ ଠକେଇକୁ ରୋକିବା ପାଇଁ ବଳିଷ୍ଠ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି।
Follow Us