Jagran Josh
ନୂଆଦିଲ୍ଲୀ : କରୋନା ଦ୍ବାରା ପ୍ରଭାବିତ ହୋଇଥିବା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ (ଏମ୍ଏସ୍ଏମ୍ଇ) ଜରୁରୀକାଳୀନ ଋଣ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ୩ ଲକ୍ଷ କୋଟି ଟଙ୍କାର ଏକ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ଘୋଷଣା କରିଛନ୍ତି। ଏହି ସ୍କିମ୍କୁ ସଫଳତାର ସହ କାର୍ଯ୍ୟକାରୀ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। କୌଣସି ବ୍ୟାଙ୍କ ଏମ୍ଏସ୍ଏମ୍ଇ ସଂସ୍ଥାକୁ ଜରୁରୀକାଳୀନ ଋଣ ଦେବାକୁ ମନା କରିପାରିବେ ନାହିଁ। ଯଦି କୌଣସି ବ୍ୟାଙ୍କ ସେଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାର ସୂଚନା ଦେବାକୁ ପଡ଼ିବ। ମୁଁ ତାହାର ବିଚାର କରିବି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଚଳିତ ମାସ ୨୩ ସୁଦ୍ଧା ୧୦୦ ପ୍ରତିଶତ ଜରୁରୀକାଳୀନ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ରେ ବ୍ୟାଙ୍କଗୁଡ଼ିକ ୧,୩୦,୪୯୧ କୋଟି ଟଙ୍କାର ଋଣ ମଞ୍ଜୁର କରିଥିବା ବେଳେ ସେଥିରୁ ୮୨,୦୬୫ କୋଟି ଟଙ୍କାର ଆବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଏହି ସ୍କିମ୍ ଏକ ଅଂଶ। ଏଥିରେ ବିନା ବନ୍ଧକରେ ଋଣ ଦିଆଯାଉଛି। କେନ୍ଦ୍ର ସରକାର ଋଣ ଉପରେ ୧୦୦ ପ୍ରତିଶତ ଗ୍ୟାରେଣ୍ଟି ଦେଉଛନ୍ତି। ଋଣ ଉପରେ ଯେଉଁ ମୋରାଟୋରିଅମ୍ ସୁବିଧା ଘୋଷଣା କରାଯାଇଥିଲା ତାହାର ଅବଧି ବଢ଼ାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା ଜାରି ରହିଛି ବୋଲି ନିର୍ମଳା ସୂଚନା ଦେଇଛନ୍ତି। ଆତିଥେୟତା ଶିଳ୍ପକୁ ଦିଆଯାଇଥିବା ଋଣର ପୁନର୍ଗଠନ ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି। ଦେଶରେ ଲକ୍ଡାଉନ୍ ଘୋଷଣା ହେବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ତିନି ମାସ ପାଇଁ ମୋରାଟୋରିଅମ୍ ଘୋଷଣା କରାଯାଇଥିଲା। ପରବର୍ତୀ ସମୟରେ ତାହାକୁ ଆଉ ତିନି ମାସ ଅର୍ଥାତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
Follow Us