ଭୁବନେଶ୍ବର: ବ୍ୟାଙ୍କ କର୍ମଚାରୀଙ୍କ ଦୁଇଟି ସଂଘ ‘ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଓ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ (ବେଫି) ତରଫରୁ ଆଜି କରାଯାଇଥିବା ଧର୍ମଘଟ ଯୋଗୁ ବ୍ୟାଙ୍କ ସେବା ଆଂଶିକ ପ୍ରଭାବିତ ହୋଇଥିଲା। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକର ଶାଖା ଓ ଏଟିଏମ୍ ଖୋଲାରହିଥିଲା। ତେବେ କିଛି କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଥିବାରୁ ଅନେକ ଶାଖାରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇଥିଲା। କିଛି ସ୍ଥାନରେ ଏଟିଏମ୍ ବନ୍ଦ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଦେଶର ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ୪ଟି ବଡ଼ ବ୍ୟାଙ୍କ ଗଠନ କରିବା ଲାଗି କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ବିରୋଧ କରି ଏହି ଧର୍ମଘଟ କରାଯାଇଛି। ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି ଯେ, ଏହି ଧର୍ମଘଟ ଜରିଆରେ ଆମେ ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛୁ। ସରକାରଙ୍କ ଆଭିମୁଖ୍ୟ ବିଷୟରେ ସେମାନଙ୍କୁ ଅବଗତ କରିଛୁ। ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ। ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ଆଜି ରାଜ୍ୟରେ ୪୦୦୦ରୁ ଅଧିକ ଶାଖା ବନ୍ଦ ରହିଥିଲା ଏବଂ ଧର୍ମଘଟରେ ୧୦ ହଜାର ପାଖାପାଖି କର୍ମଚାରୀ ଭାଗ ନେଇଥିଲେ। ଆନ୍ଦୋଳନକାରୀ କର୍ମଚାରୀମାନେ ଅନେକ ସ୍ଥାନରେ ପିକେଟିଂ କରି ଏଟିଏମ୍ ବନ୍ଦ କରିଥିଲେ।
ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘର ଧର୍ମଘଟ ପାଇଁ ବ୍ୟାଙ୍କ ସେବା ପ୍ରଭାବିତ
Advertisment
Follow Us