Moneycontrol
ଭୁବନେଶ୍ବର: ମାର୍ଚ୍ଚ ୧୧ ତାରିଖରୁ ଦେଶବ୍ୟାପୀ ହେବାକୁ ଥିବା ୩ ଦିନିଆ ଏବଂ ଏପ୍ରିଲରୁ ହେବାକୁ ଥିବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଇଣ୍ଡଆନ୍ ବ୍ୟାଙ୍କ୍ସ୍ ଆସୋସିଏସନ୍ (ଆଇବିଏ) ଏବଂ ବ୍ୟାଙ୍କ କର୍ମଚାରୀ ମିଳିତ ସଂଘ (ୟୁଏଫବିୟୁ)ପକ୍ଷରୁ ବେତନ ସଂଶୋଧନ ସମେତ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ଆଦି ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। କିନ୍ତୁ ଆଜି ମୁମ୍ବାଇଠାରେ ଆଇବିଏ ଓ ୟୁଏଫବିୟୁ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନାକୁ ଆଗେଇ ନେବା ପାଇଁ ସହମତି ପ୍ରକାଶ ପାଇଥିବାରୁ ଧର୍ମଘଟକୁ ସ୍ଥଗିତ ରଖାଯାଇଛି ବୋଲି ୟୁଏଫବିୟୁର ଓଡ଼ିଶା ଆବାହକ ସମ୍ବିତ ମିଶ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୩୧ରେ ୟୁଏଫବିୟୁ ପକ୍ଷରୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ କରାଯାଇଥିଲା। ଧର୍ମଘଟକୁ ସ୍ଥଗିତ ରଖାଯିବା ଫଳରେ ମାର୍ଚ୍ଚ ମାସରେ ୮ ଦିନ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚରେ ୫ଟି ରବିବାର ସମେତ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବାକୁ ଥିବାବେଳେ ୧୦ ତାରିଖ ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ୩ ଦିନ ଧର୍ମଘଟ ହୋଇଥିଲେ ମାର୍ଚ୍ଚ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ଓ ହୋଲି ପାଇଁ ବ୍ୟାଙ୍କ ଲଗାତାର ୬ ଦିନ ବନ୍ଦ ରହିଥାନ୍ତା।
Follow Us