‘ସ୍ବାଧୀନ ଭାରତର ସବୁଠୁ ବଡ଼ ଜରୁରୀକାଳୀନ ସ୍ଥିତି’ ସାହାଯ୍ୟ ଦରକାର କରୁଥିବା ଲୋକଙ୍କୁ ପ୍ରାଥମିକତା ଦିଅ

Advertisment

ଲକ୍ ଡାଉନ୍ ଅଧିକ ଦିନ ରହିବା ଭଲ ନୁହେଁ, ଅର୍ଥନୀତିଜ୍ଞଙ୍କୁ ସରକାର ଆମନ୍ତ୍ରଣ କରିବା ଦରକାର

ଲକ୍ ଡାଉନ୍ ଅଧିକ ଦିନ ରହିବା ଭଲ ନୁହେଁ, ଅର୍ଥନୀତିଜ୍ଞଙ୍କୁ ସରକାର ଆମନ୍ତ୍ରଣ କରିବା ଦରକାର

‘ସ୍ବାଧୀନ ଭାରତର ସବୁଠୁ ବଡ଼ ଜରୁରୀକାଳୀନ ସ୍ଥିତି’ ସାହାଯ୍ୟ ଦରକାର କରୁଥିବା ଲୋକଙ୍କୁ ପ୍ରାଥମିକତା ଦିଅ

ନୂଆଦିଲ୍ଲୀ: କରୋନା ବିଶ୍ବ ମହାମାରୀ ସ୍ବାଧୀତ ଭାରତର ସବୁଠୁ ବଡ଼ ଜରୁରୀକାଳରୀନ ସ୍ଥିତି ସୃଷ୍ଟି କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଜଣାଇଛନ୍ତି। ଲିଙ୍କଡ୍‌ଇନ୍‌ରେ ନିଜର ଏକ ଲେଖାକୁ ପୋଷ୍ଟ୍‌ କରି ସେ ଭାରତରେ କରୋନା ଭୂତାଣୁର ପ୍ରଭାବ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସେ ଲେଖିଛନ୍ତି, ଆର୍ଥିକ ଦୃଷ୍ଟିରୁ ଭାରତ ବର୍ତ୍ତମାନ ସବୁଠୁ ବଡ଼ ଜରୁରୀକାଳୀନ ପରିସ୍ଥିତି ଦେଇ ଗତି କରୁଛି ବୋଲି କୁହାଯାଇପାରିବ। ୨୦୦୮-୦୯ର ବିଶ୍ବ ମାନ୍ଦାବସ୍ଥା ସମୟରେ ଚିତ୍ର ଭିନ୍ନ ଥିଲା। ଭାରତକୁ କେବଳ ଚାହିଦାକୁ ନେଇ ଝଟ୍‌କା ସହିଥିଲା। ଅର୍ଥାତ ବିଭିନ୍ନ ବିଷୟର ଚାହିଦା କମିଥିଲା। କିନ୍ତୁ ସେହି ସମୟରେ ଲୋକମାନେ କାମକୁ ଯାଉଥିଲେ। କଂପାନିଗୁଡ଼ିକ କିଛି ଦିନ ପରେ ଦ୍ରୁତ ଅଭିବୃଦ୍ଧି ପଥକୁ ଫେରିଥିଲେ।‌ ଦେଶର ଆର୍ଥିକ ବ୍ୟବସ୍ଥା ବହୁତ ସୁଦୃଢ଼ ଥିଲା। ସରକାରଙ୍କ ଆର୍ଥିକ ସ୍ଥିତି ଭଲ ବେଶ ଭଲ ଥିଲା। ତେବେ କରୋନା ବିରୋଧରେ ମୁକାବିଲା କରୁଥିବା ଭାରତ ଏହି ସବୁ କ୍ଷେତ୍ରରେ ଦୁର୍ବଳ ସ୍ଥିତି ଦେଇ ଗତି କରୁଛି ବୋଲି ରାଜନ ଜଣାଇଛନ୍ତି। କରୋନା ଭୂତାଣୁର ମୁକାବିଲା ଲାଗି ସେ ସରକାରଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ସେ ଲେଖିଛନ୍ତି, କରୋନା ବ୍ୟାପିବାକୁ ରୋକିବା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ପଡ଼ିବ। ସଂକ୍ରମଣ ରୋକିବାକୁ ସର୍ବାଧିକ ଗୁରୁତ୍ବ ଦେବାକୁ ହେବ। ଏହା ବ୍ୟତୀତ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କ ପାଇଁ ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଏହି ସବୁ ପଦକ୍ଷେପ ଗ୍ରହଣ କରି ଭାରତ କରୋନାକୁ ପ୍ରତିହତ କରିପାରିବ ଏବଂ ଏକ ସୁରକ୍ଷିତ ଭବିଷ୍ୟତ ନିଶ୍ଚିତ କରିପାରିବ ବୋଲି ସେ କହିଛନ୍ତି।

ଦେଶକୁ ଅଧିକ ଦିନ ଲକ୍ ଡାଉନ୍ ରଖିବା ଠିକ୍ ନୁହେଁ ବୋଲି ରାଜନ କହିଛନ୍ତି। କରୋନା ମୁକାବିଲା ଲାଗି ପରୀକ୍ଷାକୁ ବ୍ୟାପକ କରିବା, କଠୋର କ୍ବାରାଟିଂନ (ଏକାନ୍ତବାସ) ବ୍ୟବସ୍ଥା କରିବା ଏବଂ ସାମାଜିକ ଦୂରତ୍ବ ଉପରେ ଅଧିକ ଗୁରୁତ୍ବ ଦେବାକୁ ରାଜନ ପରାମର୍ଶ ଦେଇଛନ୍ତି। ଯେଉଁ ସବୁ ଅଞ୍ଚଳରେ କରୋନାର ପ୍ରଭାବ କମ୍ ରହିଛି ସେଠାରେ ବିଭିନ୍ନ କାର୍ଯ୍ୟକଳାପ କିଭଳି ଧୀରେ ଧୀରେ ଆରମ୍ଭ ହୋଇପାରିବ ସେଥିପ୍ରତି ସରକାର ଧ୍ୟାନ ଦେବା ଦରକାର ବୋଲି ରାଜନ କହିଛନ୍ତି। ଲକ୍ ଡାଉନ୍ ସମୟରେ ଗରିବ ଲୋକ ଏବଂ ବେତନ ପାଉନଥିବା ନିମ୍ନ ମଧ୍ୟ ବିତ୍ତ ବର୍ଗର ଲୋକମାନେ କିଭଳି ବଞ୍ଚି ରହିବେ ସେଥିପ୍ରତି ସରକାର ଧ୍ୟାନ ଦେବା ଉଚିତ। ପ୍ରବାସୀ ଶ୍ରମିକଙ୍କକୁ ନେଇ ଦେଶରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହାର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମିଳିତ ଭାବେ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ରାଜନ କହିଛନ୍ତି। ଖା୍ଦ୍ୟ, ସ୍ବାସ୍ଥ୍ୟ ସେବା ଓ ରହଣୀ ପାଇଁ ଏନ୍‌ଜିଓଗୁଡ଼ିକ ସହିତ ସହଭାଗିତା ସ୍ଥାପନ କରିବା, ଘରୋଇ ସରକାରୀ ସହଭାଗିତାରେ ଲୋକଙ୍କ ଋଣ ବୋଝକୁ କିଛି ମାସ ହାଲୁକା କରିବା ଓ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କ ପାଖରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ସହାୟତା‌ ପହଞ୍ଚାଇବା ଲାଗି ରାଜନ ପରାମର୍ଶ ଦେଇଛନ୍ତି। କରୋନା ଭୁତାଣୁ ପ୍ରଭାବରେ କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ସିଡ୍‌ବି ଜରିଆରେ ମିଆଦୀ ଋଣ ଯୋଗାଇ ଦେବା ଲାଗି ପଦକ୍ଷେପ ନିଆଯାଇପାରେ। ବଡ଼ କଂପାନିଗୁଡ଼ିକ ମଧ୍ୟ ନିଜ ଦକ୍ଷତା ଅନୁସାରେ ଛୋଟ କଂପାନିଗୁଡ଼ିକୁ ସାହାଯ୍ୟ କରିବା ଦରକାର ବୋଲି ସେ କହିଛନ୍ତି। କରୋନା ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ଅର୍ଥନୈତିକ ସମସ୍ୟାର ସମାଧାନ କରିବା ଲାଗି ସରକାର ଅର୍ଥନୀତିଜ୍ଞମାନଙ୍କୁ ଡାକି ଆଲୋଚନା କରିବା ଦରକାର ବୋଲି ରାଜନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe