ନୂଆଦିଲ୍ଲୀ : କ୍ରିପ୍ଟୋକରେନ୍ସି ଗୁଡ଼ିକ ମଧ୍ୟରେ ବିଟ୍କଏନ୍ର ଚାହିଦା ଅଧିକ ରହିଥିବାରୁ ଏହାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ଶନିବାର ଏହାର ମୂଲ୍ୟ ପ୍ରଥମ ଥର ପାଇଁ ୩୧ ହଜାର ଡଲାର ବା ପ୍ରାୟ ୨୩ ଲକ୍ଷ ଟଙ୍କା ଅତିକ୍ରମ କରିଛି। ଗତ ଶନିବାର ବିଟ୍କଏନ୍ ମୂଲ୍ୟରେ ୬ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ପରେ ଏଥିରେ କିଛିଟା ହ୍ରାସ ଘଟି ଏହା ୩୦୮୦୦ ଡଲାରରେ କାରବାର ହେଉଥିଲା। କ୍ରିପ୍ଟୋକରେନ୍ସି ବଜାରରେ ଡିଜିଟାଲ ମୁଦ୍ରାର ହ୍ରାସବୃଦ୍ଧି ବହୁମାତ୍ରାରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ବିଟକଏନ ମୂଲ୍ୟ ୩୦ ହଜାର ଡଲାର ଉପରେ ରହିଛି।
ଗତ ଡିସେମ୍ବରରୁ ବିଟ୍କଏନର ମୂଲ୍ୟବୃଦ୍ଧି ଜାରି ରହିଛି। କିନ୍ତୁ କରୋନା ମହାମାରୀ ବେଳେ ଗତ ମାର୍ଚ୍ଚ ବେଳେ ଏଥିରେ ୨୫ ପ୍ରତିଶତ ହ୍ରାସ ଘଟିଥିଲା। ତେବେ ଗତମାସରେ ବ୍ଲୁମବର୍ଗ ଇଣ୍ଟେଲିଜେନ୍ସ କମୋଡିଟିର ରଣନୀତିକାରୀ ମାଇକ୍ ମ୍ୟାକଗ୍ଲୋନଙ୍କ କହିବାନୁଯାୟୀ, ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏବେ ନିବେଶର ସବୁଠୁ ଭଲ ବିକଳ୍ପ ବିଟକଏନ ହୋଇପାରିଛି। ଏହାପରେ ବିଟକଏନରେ ନିବେଶ ବଢ଼ିବାରେ ଲାଗିଛି। ମଗେନହାଇମ୍ ଇନଭେଷ୍ଟମେଣ୍ଟର ମୁଖ୍ୟ ନିବେଶ ଅଧିକାରୀଙ୍କ କହିବାନୁଯାୟୀ ବିଟ୍କଏନ୍ ୪ ଲକ୍ଷ ଡଲାର ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଏପରିକି କିଛି ବିଶେଷଜ୍ଞଙ୍କ କହିବାନୁଯାୟୀ ୨୦୩୦ ସୁଦ୍ଧା ଏହାର ମୂଲ୍ୟ ୧ କୋଟି ଟଙ୍କାରେ ପହଞ୍ଚିପାରେ।
Follow Us