ନୂଆଦିଲ୍ଲୀ: ଏକଦା ବିଶ୍ବର ଚର୍ଚ୍ଚିତ ବ୍ୟକ୍ତିମାନେ ବ୍ୟବହାର କରୁଥିବା ସ୍ମାର୍ଟାଫୋନ୍ ବ୍ଲାକ୍ବେରି ସବୁଦିନ ପାଇଁ ଅଚଳ ହୋଇଯାଇଛି। କଂପାନିର ନିଜସ୍ବ ଅପରେଟିଂ ସିଷ୍ଟମ୍ରେ ଚାଲୁଥିବା ବ୍ଲାକ୍ବେରି ଫୋନ୍ଗୁଡ଼ିକୁ ଆଜିଠାରୁ ସପୋର୍ଟ ବନ୍ଦ ହୋଇଛି। ତେଣୁ ସେଗୁଡ଼ିକ ଆଉ ଚାଲିବ ନାହିଁ। ଏକଦା ବିଶ୍ବର ଧନୀ ବ୍ୟକ୍ତି, ରାଜନେତା, ସେଲିବ୍ରିଟି, ବଡ଼ ସଂସ୍ଥାଗୁଡ଼ିକର ବରିଷ୍ଠ ଅଧିକାରୀ ଏବଂ ଯୁବପିଢ଼ିଙ୍କ ହାତରେ ଏହି ଫୋନ୍ ଦେଖିବାକୁ ମିଳୁଥିଲା। ବ୍ଲାକ୍ବେରି ଫୋନ୍ ଏକ ଆଭିଜାତ୍ୟର ପ୍ରତୀକରେ ପରିଣତ ହୋଇଥିଲା। ତାହାର କି’ ବୋର୍ଡ ଆକର୍ଷଣର ପ୍ରମୁଖ ବିଷୟ ଥିଲା। ତେବେ ଆମେରିକୀୟ କଂପାନି ଆପଲ୍ର ଆଇଫୋନ୍ ବିକ୍ରି ବଢ଼ିବା ଏବଂ ସୁଲଭ ମୂଲ୍ୟରେ ଆଣ୍ଡ୍ରଏଡ୍ ଫୋନ୍ ମିଳିବା ପରେ ବ୍ଲାକ୍ବେରିର ଚାହିଦା ହ୍ରାସ ପାଇଥିଲା। ବ୍ୟବସାୟ ଭଲ ନହେବାରୁ ୨୦୧୬ରେ କାନାଡାରେ ଏହି ସଂସ୍ଥା ଉତ୍ପାଦନ ବନ୍ଦ କରିଥିଲା। ଟିସିଏଲ୍କୁ ଉତ୍ପାଦନ ଦାୟିତ୍ବ ଦେଇ ନିଜେ କେବଳ ସଫ୍ଟଓୟାର ଓ ଲାଇସେନ୍ସ ପ୍ରଦାନ କରିଥିଲା। ୨୦୨୦ ପର୍ଯ୍ୟନ୍ତ ଫୋନ୍ ଯୋଗାଇବାକୁ ଉଭୟ ସଂସ୍ଥା ମଧ୍ୟରେ ଚୁକ୍ତି ହୋଇଥିଲା। ଚୁକ୍ତି ଅବଧି ଶେଷ ହେବା ସହ ବ୍ଲାକ୍ବେରି ଫୋନ୍ର ମୃତ୍ୟୁ ହୋଇଛି। ଯେଉଁ ବ୍ଲାକ୍ବେରି ଫୋନ୍ଗୁଡ଼ିକରେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ରହିଛି ତାହା ଚାଲିବ। ସେହି ଫୋନ୍ଗୁଡ଼ିକୁ କଂପାନି ଚଳିତ ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ସପୋର୍ଟ କରିବ।
ବ୍ଲାକ୍ବେରି ଫୋନ୍ ସବୁଦିନ ପାଇଁ ଅଚଳ
Advertisment
Follow Us