ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା : ଭାରତକୁ ମିଳିଲା ଦ୍ବିତୀୟ ପର୍ଯ୍ୟାୟ ତଥ୍ୟ

Advertisment
ଭାରତୀୟଙ୍କ ସ୍ବିସ୍ ବ୍ୟାଙ୍କ ତଥ୍ୟ ଆସିଲା: ତାଲିକାରେ ବହୁ ବ୍ୟବସାୟୀ, ପ୍ରବାସୀ ଭାରତୀୟ

DNA India

ନୂଆଦିଲ୍ଲୀ/ବର୍ନ : ସ୍ବିସ୍ ବ୍ୟାଙ୍କରେ ଜମା ଥିବା କଳାଟଙ୍କାକୁ ଖୋଜି ବାହାର କରିବା କ୍ଷେତ୍ରରେ ସରକାରଙ୍କୁ ଆଉ ଏକ ସଫଳତା ମିଳିଛି। ଗତବର୍ଷ ସେପ୍ଟେମ୍ବରରେ ସ୍ବିଜରଲାଣ୍ଡ ସରକାର ଭାରତ ସମେତ ୭୫ଟି ଦେଶକୁ ପ୍ରଥମ ପର୍ଯ୍ୟାୟ ତଥ୍ୟ ପ୍ରଦାନ କରିଥିଲେ। ଏହି ଦେଶ ସହିତ ହୋଇଥିବା ସ୍ବୟଂକ୍ରିୟ ତଥ୍ୟ ଆଦାନପ୍ରଦାନ ରାଜିନାମା ଅନୁସାରେ ଏସବୁ ମିଳିଛି। ସେହିଭଳି ଚଳିତବର୍ଷ ଦ୍ବିତୀୟ ପର୍ଯ୍ୟାୟରେ ଭାରତ ସମେତ ୮୬ଟି ଦେଶକୁ ସ୍ବିଜରଲାଣ୍ଡ ସରକାର ସ୍ବିସ୍ ବ୍ୟାଙ୍କ ଜମା ତଥ୍ୟ ପ୍ରଦାନ କରିଛନ୍ତି। ଚଳିତବର୍ଷ ୩୧ ଲକ୍ଷ ବ୍ୟାଙ୍କ ଆକାଉଣ୍ଟ ସଂପର୍କରେ ତଥ୍ୟ ପ୍ରଦାନ କରାଯାଇଛି ବୋଲି ସ୍ବିଜରଲାଣ୍ଡର ଟିକସ ପ୍ରଶାସନ କହିଛି। ଗତବର୍ଷ ମଧ୍ୟ ସମାନ ସଂଖ୍ୟକ ଜମାକାରୀଙ୍କ ସଂପର୍କରେ ସ୍ବିଜରଲାଣ୍ଡ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଥିଲେ।

ଯେଉଁ ୮୬ଟି ଦେଶକୁ ବ୍ୟାଙ୍କ ଜମା ତଥ୍ୟ ପ୍ରଦାନ ପ୍ରଦାନ କରାଯାଇଛି ସେଥିରେ ଭାରତର ନାମ ସ୍ବିସ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ଉଲ୍ଲେଖ ହୋଇନାହିଁ। କିନ୍ତୁ ଅଧିକାରୀଙ୍କ କହିବାନୁଯାୟୀ ଭାରତୀୟଙ୍କ ସଂପର୍କରେ ଏଥିରେ ସୂଚନା ରହିଛି। ସ୍ବିସ୍ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ପ୍ରତିଷ୍ଠାନରେ ଭାରତୀୟଙ୍କ ଆକାଉଣ୍ଟ ସଂପର୍କରେ ସୂଚନା ଏଥିରେ ଦିଆଯାଇଛି। ଚଳିତବର୍ଷର ତାଲିକାରେ ରହିଥିବା ୮୬ଟି ଦେଶ ମଧ୍ୟରେ ଗତବର୍ଷର ୭୫ଟି ଦେଶ ବାଦ୍ ୧୧ଟି ନୂଆ ଦେଶ ରହିଛନ୍ତି। ସ୍ବିଜରଲାଣ୍ଡ ଯଦିଓ ୨୦୧୮ ସେପ୍ଟେମ୍ବରରେ ୩୬ଟି ଦେଶକୁ ସୂଚନା ପ୍ରଦାନ କରିଥିଲା ତେବେ ସେଥିରେ ଭାରତ ନ ଥିଲା। କିନ୍ତୁ ଗତବର୍ଷ ଭାରତ ଏହି ତାଲିକାରେ ସାମିଲ ହୋଇଥିଲା। ସ୍ବିଜରଲାଣ୍ଡ ଟିକସ ପ୍ରଶାସନ ଅଧୀନରେ ଏବେ ୮୫୦୦ଟି ଆର୍ଥିକ ପ୍ରତିଷ୍ଠାନ ଅଛନ୍ତି। ସେଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଟ୍ରଷ୍ଟ, ବୀମା ସଂସ୍ଥା ଆଦି ରହିଛନ୍ତି। ଏସବୁ ସଂସ୍ଥା ଟିକସ ପ୍ରଶାସନକୁ ତଥ୍ୟ ସଂଗ୍ରହ କରି ପ୍ରଦାନ କରିଥାନ୍ତି। ଏହାପରେ ଟିକସ ପ୍ରଶାସନ ରାଜିନାମା ଅନୁସାରେ ଅନ୍ୟ ଦେଶକୁ ପ୍ରଦାନ କରୁଛି। ଚଳିତବର୍ଷ ହୋଇଥିବା ତଥ୍ୟ ଆଦାନପ୍ରଦାନରେ ଭାରତର କେତୋଟି ରହିଛି ତାହାର ନିର୍ଦ୍ଦିଷ୍ଟ ସଂଖ୍ୟା ଜଣା ନଥିଲେ ମଧ୍ୟ ବହୁସଂଖ୍ୟାରେ ଭାରତୀୟ ଏବଂ ଭାରତୀୟ ପ୍ରତିଷ୍ଠାନର ନାମ ରହିଥିବା କୁହାଯାଉଛି। ଏହାବ୍ୟତୀତ ଟିକସ ଠକେଇ ମାମଲାରେ ପୂର୍ବରୁ ସ୍ବିସ୍ କର୍ତ୍ତୃପକ୍ଷ ୧୦୦ରୁ ଅଧିକ ଭାରତୀୟଙ୍କ ସଂପର୍କରେ ସୂଚନା ଦେଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe