କେନ୍ଦ୍ରକୁ ବମ୍ବେ ହାଇକୋର୍ଟ ଝଟ୍‌କା: ଆଇଟି ନିୟମ ପରିବର୍ତ୍ତନ ଉପରେ ରୋକ୍‌

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ‘ମିଛ ଏବଂ ଭ୍ରମିତ’ ଖବରକୁ ପ୍ରତିହତ କରିବା ଲାଗି ତଥ୍ୟ ଯାଞ୍ଚ ୟୁନିଟ୍‌ (ଫ୍ୟାକ୍ଟ ଚେକ୍‌ ୟୁନିଟ୍‌) ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ଉକ୍ତ ସଂଶୋଧିତ ନିୟମରେ ଅଧିକାର ପ୍ରଦାନ କରାଯାଇଥିଲା।

gjdgjgdjgjgjyy

ମୁମ୍ବାଇ:କେନ୍ଦ୍ର ସରକାରଙ୍କୁ ଆଜି ବମ୍ବେ ହାଇକୋର୍ଟରୁ ବଡ଼ ଧକ୍କା ଲାଗିଛି। ସୂଚନା ପ୍ରଯୁକ୍ତି (ଆଇଟି) ନିୟମ ୨୦୨୩ ସଂଶୋଧନକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ‘ମିଛ ଏବଂ ଭ୍ରମିତ’ ଖବରକୁ ପ୍ରତିହତ କରିବା ଲାଗି ତଥ୍ୟ ଯାଞ୍ଚ ୟୁନିଟ୍‌ (ଫ୍ୟାକ୍ଟ ଚେକ୍‌ ୟୁନିଟ୍‌) ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ଉକ୍ତ ସଂଶୋଧିତ ନିୟମରେ ଅଧିକାର ପ୍ରଦାନ କରାଯାଇଥିଲା। ପୂର୍ବରୁ ବମ୍ବେ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାରେ ଖଣ୍ଡିତ ରାୟ ପ୍ରଦାନ କରିଥିଲେ। ରାୟ ନଆସିପାରିବା କାରଣରୁ ଉକ୍ତ ମାମଲା ଜଷ୍ଟିସ୍‌ ଅତୁଲ ଚନ୍ଦୁରକରଙ୍କ ଜଣିକିଆ ଖଣ୍ଡପୀଠକୁ ଯାଇଥିଲା। ବିଚାରପତି ଚନ୍ଦୁରକର ତାଙ୍କ ରାୟରେ କହିଛନ୍ତି, ଏହି ବିଷୟକୁ ମୁଁ ବ୍ୟାପକ ଭାବେ ଅନୁଧ୍ୟାନ କଲି। ବିବାଦୀୟ ନିୟମ ସମ୍ବିଧାନର ଧାରା ୧୪ (ସମାନତା ଅଧିକାର) ଏବଂ ଧାରା ୧୯( ବାକ୍‌ ସ୍ବାଧୀନତା) ଏବଂ ଧାରା ୧୯(୧) (ଜି) (ପେସା ଅଧିକାର ଏବଂ ସ୍ବାଧୀନତା)ର ଉଲ୍ଲଂଘନ କରୁଛି। କୌଣସି ସଂଜ୍ଞା ନଥାଇ ନିୟମରେ ଉଲ୍ଲେଖ ହୋଇଥିବା ‘ନକଲି, ମିଥ୍ୟା ଏବଂ ଭ୍ରମିତ’ ବିଷୟ ‘ଅସ୍ପଷ୍ଟ ଏବଂ ଭୁଲ୍‌’। ଚଳିତବର୍ଷ ଜାନୁଆରିରେ ବିଚାରପତି ଗୌତମ ପଟେଲ ଏବଂ ଡ. ନୀଳା ଗୋଖ‌ଲେଙ୍କ ଖଣ୍ଡପୀଠ ଖଣ୍ଡିତ ରାୟ ଦେବାପରେ ବିଚାରପତି ଚନ୍ଦୁରକର ଆଜି ଏହି ରାୟ ଦେଇଛନ୍ତି। 

ବାକ୍‌ ସ୍ବାଧୀନତାର ଉଲ୍ଲଂଘନ ହେଉଥିବା ଦର୍ଶାଇ ବିଚାରପତି ପଟେଲ ନିୟମକୁ ପୂର୍ବରୁ ରଦ୍ଦ କରିଦେଇଥିବାବେଳେ ବିଚାରପତି ଗୋଖଲେ ନିୟମକୁ ବୈଧ ବୋଲି କହିଥିଲେ। ବିଚାରପତି ଗୋଖଲେ ଏହା ମଧ୍ୟ କହିଥିଲେ ଉକ୍ତ ନିୟମ ବାକ୍‌ ସ୍ବାଧୀନତା ପ୍ରତି ପ୍ରତିବନ୍ଧକ ସୃଷ୍ଟି କରୁନାହିଁ କିମ୍ବା ବ୍ୟବହାରକାରୀଙ୍କ ପ୍ରତି ଦଣ୍ଡବିଧାନମୂଳକ ପରିଣାମ ସୃଷ୍ଟି କରୁନାହିଁ।  ୨୦୨୩ରେ ହୋଇଥିବା ସଂଶୋଧନ ଅନୁଯାୟୀ, ଏଫ୍‌ସିୟୁ ଦ୍ବାରା ନକଲି ବୋଲି ବିଚାର କରାଯାଉଥିବା ବିଷୟକୁ ବାଦ୍‌ ଦେବା ପାଇଁ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାର କ୍ଷମତା ହାସଲ କରିଥିଲେ। ଉକ୍ତ ବିବାଦୀୟ ନିୟମକୁ ଅନେକ ବ୍ୟକ୍ତି ବିରୋଧ କରି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କ ମଧ୍ୟରେ ଷ୍ଟାଣ୍ଡ୍‌ଅପ୍‌ କମେଡିଆନ କୁନାଲ କାମ୍‌ରା, ଏଡିଟର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ ଏବଂ ଅନ୍ୟ ଗଣମାଧ୍ୟମ ସଂସ୍ଥା ରହିଥିଲେ। କାହାଣୀକୁ ନିୟନ୍ତ୍ରଣ କରିବା ପାଇଁ ଏହାଦ୍ବାରା ସରକାରଙ୍କୁ ଅତ୍ୟଧିକ କ୍ଷମତା ଦିଆଯାଉଛି ବୋଲି ସେମାନେ ମତ ଦେଇଥିଲେ। 

ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ହୋଇଥିବା ବିଜ୍ଞପ୍ତି ଉପରେ ରହିତାଦେଶ ଲଗାଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ବମ୍ବେ ହାଇକୋର୍ଟ ଏହି ମାମଲାର ସାମ୍ବିଧାନିକ ବୈଧତା ସଂପର୍କରେ ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏ କ୍ଷେତ୍ରରେ ଆଗକୁ ବଢ଼ିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe