ନୂଆଦିଲ୍ଲୀ: ଚୀନ ସହ ଲଦାଖ ସୀମାରେ ଦେଖାଦେଇଥିବା ବିବାଦକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ସମ୍ଭାଳୁଛନ୍ତି। ଅର୍ଥ ମନ୍ତ୍ରାଳୟ ପାଇଁ ଏହି ବିବାଦ ଚିନ୍ତାଜନକ ହୋଇପାରେ। କିନ୍ତୁ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବାକୁ ଆମେ ଦେବୁନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ଅର୍ଥନୀତିର ବିଭିନ୍ନ ପ୍ରସଙ୍ଗ ଉପରେ ଦେଇଥିବା ଏକ ସାକ୍ଷାତ୍କାରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ଅର୍ଥନୀତିରେ ଏକ ସକରାତ୍ମକ ଚିତ୍ର ଏବେ ଦେଖିବାକୁ ମିଳୁଛି। ଜିଏସଟି ଆଦାୟ ରାଶିଠାରୁ ଆରମ୍ଭ କରି କାର ଓ ଦୁଇ ଚକିଆ ଯାନ ବିକ୍ରି, ରପ୍ତାନି, ଏଫଡିଆଇ ଆଗମନ, ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ହେଉଛି। ଏସବୁ ସକରାତ୍ମକ ହୋଇଥିଲେ ମଧ୍ୟ ସଂଖ୍ୟା ଆହୁରି ମଜବୁତ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ। ଅକ୍ଟୋବରରେ ଯେଉଁ ଉନ୍ନତି ଆସିଥିଲା ତାହାକୁ କିଛି ବ୍ୟକ୍ତି ଭିନ୍ନ ଦୃଷ୍ଟିରେ ଦେଖିଥିଲେ। ସେହିଭଳି ନଭେମ୍ବରରେ ଯେଉଁ ଉନ୍ନତି ଆସିବ ତାହା ଦୀପାବଳି ଯୋଗୁ ହେଉଛି ବୋଲି କହିପାରନ୍ତି। ତେଣୁ ଏସବୁ ବ୍ୟତିକ୍ରମ ଯିବା ପରେ ଚାହିଦାରେ ଯେଉଁ ଉନ୍ନତି ଆସିବ ତାହାକୁ ଦେଖିବାକୁ ହେବ ବୋଲି ଅର୍ଥମନ୍ତ୍ରୀ ମତ ଦେଇଛନ୍ତି। ତେବେ ନଭେମ୍ବର ପରେ ଦେଶରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ ଯୋଜନା ରହିଛି କି ବୋଲି ପ୍ରଶ୍ନରେ ଅର୍ଥମନ୍ତ୍ରୀ ବର୍ତ୍ତମାନ ପାଇଁ ଏହା ନାହିଁ ବୋଲି କହିଛନ୍ତି। ବିଦେଶରୁ ଭାରତକୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଘୋଷଣା ଯୋଜନା ବିଷୟରେ ସେ କହିଛନ୍ତି, ଏହି ଯୋଜନାରେ ଅନେକ ଇଲେକଟ୍ରୋନିକ୍ସ ଓ ମୋବାଇଲ କମ୍ପାନିଙ୍କୁ ଆକୃଷ୍ଟ କରାଯାଇଛି।
ସୀମା ବିବାଦର ପ୍ରଭାବ ଅର୍ଥନୀତି ଉପରେ ପଡ଼ିବାକୁ ଦେବୁନି: ନିର୍ମଳା
Advertisment
Follow Us