ବିପିସିଏଲ୍‌ ଘରୋଇକରଣ ବିଳମ୍ବ ହେବ: ତେଲ ଉପରୁ ଟିକସ କମାଇବାକୁ ଆହ୍ବାନ

Advertisment
ବିପିସିଏଲ୍‌ ଘରୋଇକରଣ ବିଳମ୍ବ ହେବ: ତେଲ ଉପରୁ ଟିକସ କମାଇବାକୁ ଆହ୍ବାନ

ନୂଆଦିଲ୍ଲୀ: ସରକାରୀ ତୈଳ କଂପାନି ବିପିସିଏଲ୍‌ର ଘରୋଇକରଣ ବିଳମ୍ବ ହେବ ବୋଲି ରେଟିଂ ଏଜେନ୍ସି ଫିଚ୍‌ ରେଟିଙ୍ଗ୍‌ସ ଆକଳନ କରିଛି। କଂପାନିକୁ ଏହା ବିବିବି ମାଇନସ୍‌ ‌‌ରେଟିଂ ଦେଇଛି। ଏହାର ଘରୋଇକରଣକୁ ନେଇ ବିଡ୍ ଦାଖଲ କରିବାକୁ ଚାହୁଥିବା ସଂସ୍ଥାଗୁଡ଼ିକ ଯଥାର୍ଥ ଆକଳନ କରୁଛନ୍ତି। ପ୍ରକ୍ରିୟା ବହୁତ ଜଟିଳ ରହିଛି। ସେଥିପାଇଁ ବିକ୍ରି ପ୍ରକ୍ରିୟା ବିଳମ୍ବ ହୋଇପାରେ। କରୋନା ମହାମାରୀ ବ୍ୟାପିବା ପରେ ସାରା ବିଶ୍ବରେ ଶକ୍ତି ବ୍ୟବହାରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ତୈଳ ଓ ଗ୍ୟାସ୍‌ଠାରୁ ଦୂରେଇ ଯାଇ ଅକ୍ଷୟ ଶକ୍ତି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଏହା ବିପିସିଏଲ୍‌ ଘରୋଇକରଣକୁ ଅନିଶ୍ଚିତତା‌ ମଧ୍ୟକୁ ଠେଲି ଦେଇଛି।

ବିପିସିଏଲ୍‌ରେ ଥିବା ୫୨.୯୮ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବେଦାନ୍ତ ଗ୍ରୁପ୍ ଓ ଅନ୍ୟ ଦୁଇଟି ସଂସ୍ଥା ଠାରୁ ଆବେଦନ ମିଳିଛି। ଆର୍ଥିକ ବିଡ୍‌ ଆହ୍ବାନ କରାଯାଇନାହିଁ। ଫିଚ୍‌ ରେଟିଙ୍ଗ୍‌ସ ଆକଳନ କରିଛି ଯେ ୨୦୧୯-୨୦ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ବିପିସିଏଲ୍‌ର ବିକ୍ରି ୬ ପ୍ରତିଶତ କମ୍ ରହିବ। ତେଲ ବିକ୍ରି ଉପରେ କରୋନା ମହାମାରୀ ପ୍ରଭାବର ଏହା ପ୍ରତିଫଳନ ବୋଲି କୁହାଯାଇଛି। କଂପାନି ବିଷୟରେ ଫିଚ୍‌ କହିଛି ଯେ ଅଶୋଧିତ ତୈଳ ଦାମ୍ କମ୍ ଥିବା ସମୟରେ ବିପିସିଏଲ୍‌ର ଲାଭ ଉଚ୍ଚ ସ୍ତରରେ ଥିଲା। ସେଥିପାଇଁ ଏହା ନିବେଶକଙ୍କ ଲାଗି ଏକ ଆକର୍ଷଣୀୟ ସଂସ୍ଥାରେ ପରିଣତ ହୋଇଥିଲା। ମାତ୍ର ଅଶୋଧିତ ତୈଳ ଦର ବଢ଼ୁଥିବା ବେଳେ ସରକାର ଲଗାଇଥିବା ମୋଟା ଅଙ୍କର ଟିକସ ଏହାର ମାର୍ଜିନ୍ ଉପରେ ଚାପ ସୃଷ୍ଟି କରିଛି।

ଯଦି ଆନ୍ତର୍ଜାତିକ ବଜାରରେ ତେଲ ଦାମ୍ ଏହିଭଳି ଭାବେ ବୃଦ୍ଧି ପାଇବ ତେବେ ନିଜ ଲାଭକୁ ସମାନ ସ୍ତରରେ ବଜାୟ ରଖିବା କିମ୍ବା ବଢ଼ାଇବା ବିପିସିଏଲ୍ ଲାଗି କଷ୍ଟକର ହୋଇପଡ଼ିବ। ଯଦି କଂପାନିର ମାର୍କେଟିଂ ମାର୍ଜିନ୍ ହ୍ରାସ ପାଇବ ତେବେ ଏହାର ଘରୋଇକରଣ ଯୋଜନା ପ୍ରଭାବିତ ହୋଇପାରେ। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଟିକସ କମ୍ କରି କଂପାନିକୁ ପୁଣି ଥରେ ନିବେଶକମାନଙ୍କ ଲାଗି ଆକର୍ଷଣୀୟ କରିପାରିବେ ବୋଲି ଫିଚ୍‌ କହିଛି। ଭାରତ ସରକାରଙ୍କ ପାଖରେ କଂପାନିର ୫୨.୯୮ ପ୍ରତିଶତ ଅଂଶଧନ ଥିବାରୁ ଏହାର ମାଲିକାନାସ୍ବତ୍ବ ବେଶ ଦୃଢ଼ ରହିଛି। ‌କମ୍ ଦାମ୍‌ରେ ତୈଳ ବିକ୍ରି କରିବାରେ ହେଉଥିବା କ୍ଷତି ଭରଣା କରିବା ଲାଗି ସରକାରଙ୍କ ଠାରୁ ସହାୟତା ମିଳିଯାଉଛି। ବିଦେଶରେ ମଧ୍ୟ କଂପାନିକୁ ସରକାରଙ୍କ ପରୋକ୍ଷ ସମର୍ଥନ ମିଳୁଛି। କଂପାନିର ସାମାଜିକ ଓ ରାଜନୈତିକ ପ୍ରଭାବ ମଧ୍ୟ ବେଶ ଦୃଢ଼ ରହିଛି ବୋଲି ଫିଚ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe