Kerala Kaumudi
ନୂଆଦିଲ୍ଲୀ: ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ୍)ର ଘରୋଇକରଣ ବର୍ତ୍ତମାନ ପାଇଁ ଟଳିଯାଇଛି। ଉକ୍ତ ସରକାରୀ ତେଲ କମ୍ପାନିକୁ କିଣିବା ପାଇଁ ପୂର୍ବରୁ ଆଗ୍ରହ ଦେଖାଇଥିବା ୩ଟି କମ୍ପାନି ମଧ୍ୟରୁ ଦୁଇଟି ଓହରି ଯାଇଥିଲେ। ଉକ୍ତ କମ୍ପାନିରେ ସରକାରଙ୍କର ବର୍ତ୍ତମାନ ୫୨.୯୮ ପ୍ରତିଶତ ଅଂଶଧନ ରହିଛି। ଏହାକୁ ସଂପୂର୍ଣ୍ଣ ବିକ୍ରି କରିଦେବାକୁ ସରକାର ଯୋଜନା ରଖିଥିଲେ। ୨୦୨୦ ମାର୍ଚ୍ଚରେ ଏଥିପାଇଁ ଆଗ୍ରହ ପତ୍ର (ଏଲଓଆଇ) ମଗାଇଥିଲେ। ୨୦୨୦ ନଭେମ୍ବର ସୁଦ୍ଧା ୩ଟି କମ୍ପାନି ଏଥିପାଇଁ ଆଗ୍ରହ ଦେଖାଇଥିଲେ। ସେଥିରେ ଅନିଲ ଅଗ୍ରୱାଲଙ୍କ ବେଦାନ୍ତ ଗ୍ରୁପ ସହିତ ଆପୋଲୋ ଗ୍ଲୋବାଲ ମ୍ୟାନେଜମେଣ୍ଟ୍ ଓ ଆଇ ସ୍କୋୟାର୍ଡର କ୍ୟାପିଟାଲ ଆଡଭାଇଜର୍ସ ରହିଥିଲେ। କିନ୍ତୁ ସରକାର ଆବେଦନ ପାଇଁ ରଖିଥିବା ପ୍ରସ୍ତାବକୁ ରଦ୍ଦ କରିଦେଇଛନ୍ତି। ବିଶ୍ବ ବଜାରରେ ରହିଥିବା ଅସ୍ଥିରତାକୁ ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
କରୋନା ମହାମାରୀ, ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ବରେ ଭୌଗୋଳିକ ଓ ରାଜନୈତିକ ସମୀକରଣ ବଦଳି ଯାଇଛି। ଏଥିପାଇଁ ସରକାର ବର୍ତ୍ତମାନ ଏଥିରୁ ପଛକୁ ହଟିଯାଇଛନ୍ତି। ନିବେଶ ଏବଂ ସରକାରୀ ସଂପତ୍ତି ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି, କରୋନା ଏବଂ ଭୌଗୋଳିକ ଓ ରାଜନୈତିକ ସ୍ଥିତି ବିଶ୍ବରେ ତୈଳ ଶିଳ୍ପକୁ ଅଧିକ ମାତ୍ରାରେ ପ୍ରଭାବିତ କରିଛି। ବିଶ୍ବ ଶକ୍ତି ବଜାରରେ ବର୍ତ୍ତମାନ ସ୍ଥିତିକୁ ଦେଖି ଅଧିକାଂଶ ଆଗ୍ରହୀ ସଂସ୍ଥା ବିପିସିଏଲର ବର୍ତ୍ତମାନର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଅସାମର୍ଥ୍ୟ ପ୍ରକାଶ କରିଛନ୍ତି। ଏହାକୁ ଦେଖି ପୁଞ୍ଜି ପ୍ରତ୍ୟାହାର ମନ୍ତ୍ରୀ ଗୋଷ୍ଠୀ ଇଓଆଇ ବା ଆଗ୍ରହ ଦେଖାଇବା ପ୍ରକ୍ରିୟାକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି।
Follow Us