ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ‘ଓଡ଼ିଶା ଦେଶର ଇସ୍ପାତ ରାଜଧାନୀ ହୋଇପାରିବ’

Advertisment

ମନିଷ ଖରବନ୍ଦା

ମନିଷ ଖରବନ୍ଦା

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ‘ଓଡ଼ିଶା ଦେଶର ଇସ୍ପାତ ରାଜଧାନୀ ହୋଇପାରିବ’

ବିଶ୍ବ ଇସ୍ପାତ ଶିଳ୍ପର ଦୃଶ୍ୟପଟ ଓ ଇସ୍ପାତ ଉତ୍ପ‌ାଦନକୁ ନେଇ ଭାରତ ସରକାର ରଖିଥିବା ବୃହତ୍‌ ଲକ୍ଷ୍ୟ ଏବଂ ସେଥିପ୍ରତି ଓଡ଼ିଶାର ଅବଦାନ ବିଷୟରେ ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ର ଲିଗାଲ୍‌, କର୍ପୋରେଟ୍ ଆଫେୟାର୍ସ, ସିଏସ୍‌ଆର୍‌ ଆଣ୍ଡ୍‌ ସଷ୍ଟେନେବିଲିଟି ଗ୍ରୁପ୍‌ ଆଡ୍‌ଭାଇଜର୍‌ ମନିଷ ଖରବନ୍ଦା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଯାହା କହିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ବିଶ୍ବ ଇସ୍ପାତ ଶିଳ୍ପର ଦୃଶ୍ୟପଟ କିଭଳି ରହିଛି?
ବିଶ୍ବ ଇସ୍ପାତ ସଂଘ (ଡବ୍ଲୁଏସ୍‌ଏ) ଆକଳନ କରିଛି ଯେ ୨୦୧୯ରେ ଭାରତର ଇସ୍ପାତ ଚାହିଦା ୫%, ଚୀନ୍‌ର ୭.୮% ଓ ସାରା ବିଶ୍ବର ୦.୨% ରହିବ। ୨୦୨୦ରେ ସ୍ଥିତି ବଦଳିଯିବ। ୭% ଚାହିଦା ବୃଦ୍ଧି ସହ ଭାରତ ଅଗ୍ରଣୀ ସ୍ଥାନରେ ରହିବ। ସେହି ସମୟରେ ଚୀନ୍‌ ଓ ସାରା ବିଶ୍ବର ଚାହିଦା ଯଥାକ୍ରମେ ୧% ଓ ୨.୫%ରହିବ। ରେଳ, ଟ୍ରାନ୍ସମିସନ ଟାୱାର, ଗ୍ରାମୀଣ ବିଦ୍ୟୁତ୍‌କରଣ ଏବଂ ସଡ଼କ ପ୍ରକଳ୍ପ ଭଳି ଭିତ୍ତିଭୂମି କାର୍ଯ୍ୟ ଯୋଗୁ ଭାରତରେ ଇସ୍ପାତ ଚାହିଦା ବଢ଼ିବ।

ଭବିଷ୍ୟତରେ ଭାରତ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏହା ଉପରେ ଆପଣଙ୍କ ମତ କ’ଣ?
ଭାରତ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଇସ୍ପାତ ଉତ୍ପାଦନ କରୁଥିବା ରାଷ୍ଟ୍ର। ଏଠାରେ ବାର୍ଷିକ ୧୩୮ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିହେବା ଭଳି କାରଖାନା ସ୍ଥାପନ କରାଯାଇଛି। ଗତ ପାଞ୍ଚ ବର୍ଷ ଭିତରେ ଇସ୍ପାତ ଉତ୍ପାଦନରେ ହାରାହାରି ୫.୮ ପ୍ରତିଶତର ବୃଦ୍ଧି ହୋଇଛି। ୨୦୧୮-୧୯ରେ ୧୩୧.୫୭ ନିୟୁତ ଟନ୍ ଫିନିସଡ୍‌ ଇସ୍ପାତ ଉତ୍ପାଦନ ହୋଇଥିଲା। ସେଥି ମଧ୍ୟରୁ ଘରୋଇ କଂପାନି ୧୧୩ ନିୟୁତ ଟନ୍ ଫିନିସଡ୍‌ ଇସ୍ପାତ ଉତ୍ପାଦନ କରିଥିଲେ। ୨୦୩୦ ସୁଦ୍ଧା ଦେଶରେ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ଲାଗି ଯେଉଁ ଲକ୍ଷ୍ୟ ରହିଛି ତାହା ଆହ୍ବାନପୂର୍ଣ୍ଣ ହୋଇଥିଲେ ମଧ୍ୟ ଅସମ୍ଭବ ନୁହେଁ। ନୂତନ କାରଖାନା ସ୍ଥାପନ କରିବା ଲାଗି ପୁଞ୍ଜିନିବେଶ ଆଣିବା, ଜମି ଅଧିଗ୍ରହଣ କରିବା, କଞ୍ଚାମାଲ ଉପଲବ୍ଧତା, ଉତ୍ସର୍ଗୀକୃତ ଲଜିଷ୍ଟିକ୍‌ ସୁବିଧା ସବୁଠୁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି।

ଜାତୀୟ ଲକ୍ଷ୍ୟ ହାସଲରେ ଓଡ଼ିଶାର ଅବଦାନ କ’ଣ ରହିବ?
ଓଡ଼ିଶାରେ ବାର୍ଷିକ ୩୫ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିହେବା ଭଳି କାରଖାନା ସ୍ଥାପନ କରାଯାଇଛି। ସାରା ଦେଶର ସ୍ଥାପିତ କ୍ଷମତାର ଏହା ହେଉଛି ୨୫%। ୨୦୩୦ ସୁଦ୍ଧା ଓଡ଼ିଶା ଏହାର ଇସ୍ପାତ ଉତ୍ପାଦନ କ୍ଷମତାକୁ ୧୦୦ ନିୟୁତ ଟନ୍‌ରେ ପହଞ୍ଚାଇ ଦେଶ ପ୍ରତି ଏହାର ଅବଦାନକୁ ୩୩% ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ରାଜ୍ୟରେ ବିପୁଳ ପରିମାଣର ଖଣିଜ ସମ୍ପଦ ଓ ଜଳ ଉପଲବ୍ଧ ରହିଥିବା ବେଳେ ରାଜ୍ୟ ସରକାର ପ୍ରଦାନ କରୁଥିବା ସହଯୋଗ ଯୋଗୁ ଏହି ଲକ୍ଷ୍ୟ ସହଜରେ ହାସଲ‌ ହୋଇପାରିବ ଏବଂ ଓଡ଼ିଶା ଦେଶର ଇସ୍ପାତ ରାଜଧାନୀରେ ପରିଣତ ହୋଇପାରିବ। ତେବେ ଏଥିପାଇଁ ରାଜ୍ୟ ସରକାରଙ୍କୁ କଞ୍ଚାମାଲ ସୁରକ୍ଷା ଏବଂ ଉତ୍ସର୍ଗୀକୃତ ଲଜିଷ୍ଟିକସ୍‌ ସୁବିଧା ବିକଶିତ କରିବା ପ୍ରତି ଧ୍ୟାନ ଦେବାକୁ ହେବ।

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ବିଷୟରେ ଆପଣଙ୍କ ମତ କ’ଣ?
ଓଡ଼ିଶାର ବ୍ୟବସାୟ ପ୍ରତିଷ୍ଠାନର ସଫଳତାକୁ ପାଳନ କରିବା ଏବଂ ପ୍ରଦର୍ଶନ କରିବା ପାଇଁ ଏହା ଏକ ସ୍ବତନ୍ତ୍ର ଅଭିଯାନ। ସଫଳ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରି ସମ୍ବାଦ ଗ୍ରୁପ୍‌ ରାଜ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରୁଛି। ଏହା ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ପ୍ରସାର କରୁଥିବା ବେଳେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରୁଛି। ରାଜ୍ୟର ଦୀର୍ଘମିଆଦୀ ଅଭିବୃଦ୍ଧି ସହ ରାଜ୍ୟର କ୍ଷମତାକୁ ଯୋଡ଼ିବା ପାଇଁ ଏହା ହେଉଛି ଏକ କାର୍ଯ୍ୟକ୍ରମ। ମୁଁ ଦୃଢ଼ ନିଶ୍ଚିତ ଯେ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ‘ଓଡ଼ିଶା ବ୍ରାଣ୍ଡ୍‌’କୁ ଦୀର୍ଘମିଆଦୀ ଭିତ୍ତିରେ ସୁଦୃଢ଼ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe