Image Courtesy of NDTV
ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ର ୧୪ ହଜାର କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତି ନିରବ ମୋଦୀଙ୍କ ଭାରତ ଫେରିବା ବାଟ ଫିଟୁଛି। ଭାରତକୁ ନିରବଙ୍କ ପ୍ରତ୍ୟର୍ପଣକୁ ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ ମଞ୍ଜୁରି ଦେଇଛନ୍ତି। ବ୍ରିଟେନର ଏକ ଅଦାଲତ ଗତ ଫେବ୍ରୁଆରି ୨୫ ତାରିଖରେ ହୀରା ବ୍ୟବସାୟୀ ନିରବଙ୍କ ବିରୋଧରେ ଠକେଇର ପ୍ରମାଣ ଅଛି ବୋଲି କହିଥିଲେ। ଏଥିସହିତ ନିରବଙ୍କୁ ଭାରତ ପ୍ରତ୍ୟର୍ପଣ କରାଗଲେ ତାଙ୍କୁ ସେଠାରେ ନ୍ୟାୟ ମିଳିବ ନାହିଁ ବୋଲି ଯେଉଁ ଯୁକ୍ତି ରଖାଯାଉଛି ତାହା ଠିକ୍ ନୁହେଁ। ନିରବଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଯଥେଷ୍ଟ ପ୍ରମାଣ ରହିଛି। ନିରବ ଆଇନସମ୍ମତ ବ୍ୟବସାୟରେ ଜଡ଼ିତ ଥିବା କଥାକୁ ବିଚାରପତି ଗ୍ରହଣ କରି ନଥିଲେ। ବ୍ୟାଙ୍କ ଏଲ୍ଓୟୁ ବା ଲେଟର ଅଫ୍ ଅଣ୍ଡରଟେକିଂସ୍ ଜାରିରେ ଅସାଧୁ ପ୍ରକ୍ରିୟା ଅବଲମ୍ବନ କରାଯାଇଛି। ଗୋଟିଏ ପଟେ ନିରବ ମୋଦୀ ଏବଂ ପିଏନ୍ବି ଅଧିକାରୀଙ୍କ ସହ ଅନ୍ୟ ଷଡ଼୍ଯନ୍ତ୍ରକାରୀଙ୍କ ମଧ୍ୟରେ ସମ୍ପର୍କ ରହିଛି ବୋଲି ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ଙ୍କ କୋର୍ଟର ବିଚାରପତି ସାମୁଏଲ ଗୁଜି କହିଥିଲେ। ଗଣମାଧ୍ୟମ ଏବଂ ରାଜନୈତିକ ଚାପ ଯୋଗୁ ତାଙ୍କୁ ଭାରତରେ ନ୍ୟାୟ ମିଳିବ ନାହିଁ ବୋଲି ନିରବଙ୍କ ପକ୍ଷରୁ ଯେଉଁ ଯୁକ୍ତି ରଖାଯାଇଥିଲା ତାହାକୁ ବିଚାରପତି ଗ୍ରହଣ କରି ନଥିଲେ। ବରଂ ବିଚାରପତି କହିଥିଲେ ଯେ ଭାରତରେ ରାଜନେତାମାନେ ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଶ୍ବାସ କରାଯାଇ ପାରିବ ନାହିଁ। ସେହିଭଳି ଭାରତୀୟ ବିଚାର ବ୍ୟବସ୍ଥା ପକ୍ଷପାତୀ ବିଷୟକୁ ମଧ୍ୟ ବିଶ୍ବାସ କରାଯାଇ ପାରିବ ନାହିଁ ବୋଲି କହିଥିଲେ। ୨୦୧୬ରେ ପିଏନ୍ବି ଠକେଇ ମାମଲା ପଦାକୁ ଆସିବା ବେଳକୁ ନିରବ ଦେଶ ଛାଡ଼ି ବିଦେଶ ପଳାଇଥିବା ଜଣା ପଡ଼ିଥିଲା। କିନ୍ତୁ ପରେ ୨୦୧୯ ମାର୍ଚ୍ଚରେ ଲଣ୍ଡନରେ ଗିରଫ କରାଯାଇଥିଲା। ତେଣୁ ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ହେଲା ସେ ଲଣ୍ଡନର ଏକ ଜେଲ୍ରେ ଅଛନ୍ତି। ଭାରତକୁ ପ୍ରତ୍ୟର୍ପଣ ହୋଇ ଆସିଲେ ତାଙ୍କ ବିରୋଧରେ ଜାଲିଆତି, ମନି ଲଣ୍ଡରିଂ, ସାକ୍ଷୀଙ୍କୁ ଧମକାଇବା ଏବଂ ପ୍ରମାଣ ନଷ୍ଟ କରିବା ଭଳି ଅଭିଯୋଗର ବିଚାର ହେବ। ତେବେ ସେ କେବେ ଭାରତକୁ ପ୍ରତ୍ୟର୍ପଣ ହୋଇ ଆସିବେ ତାହା ଏବେଠାରୁ କହିବା କଷ୍ଟକର। କାରଣ ତାଙ୍କ ପାଖରେ ଆଇନଗତ ଅସ୍ତ୍ର ଶେଷ ହୋଇନାହିଁ। ସେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବ୍ରିଟେନ୍ ହାଇକୋର୍ଟକୁ ଯିବାଲାଗି ୧୪ ଦିନର ସମୟ ରହିଛି।
ନିରବଙ୍କୁ କିନ୍ତୁ ଭାରତ ପ୍ରତ୍ୟର୍ପଣ କରାଗଲେ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ ରହିବେ। ଏହି ଜେଲ୍ରେ ରହିବା ପାଇଁ ପରିବେଶ ଠିକ୍ ନାହିଁ ବୋଲି ପୂର୍ବରୁ ଯଦିଓ ନିରବଙ୍କ ପକ୍ଷରୁ ଅଦାଲତରେ ଯୁକ୍ତି ବଢ଼ାଯାଇଥିଲା କୋର୍ଟ ତାହାକୁ ଗ୍ରହଣ କରି ନାହାନ୍ତି। ଅନ୍ୟପକ୍ଷରେ ନିରବ ଯେବେ ଆସିଲେ ମଧ୍ୟ ତାଙ୍କୁ କାରାଗାରରେ ରଖିବା ଲାଗି ବ୍ୟବସ୍ଥା ଅଛି ବୋଲି ଜେଲ୍ ଅଧିକାରୀମାନେ କହିଛନ୍ତି।
Follow Us