ବିଏସ୍‌-୪ ଯାନ ପଞ୍ଜୀକରଣ ନିଷିଦ୍ଧ

ଅନ୍ୟାଦେଶ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ, ୧୩ରେ ପରବର୍ତ୍ତୀ ଶୁଣାଣି

ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ : ‌ଦେଶରେ ବିଏସ୍‌-୪ ଯାନର ପଞ୍ଜୀକରଣ ସରକାର କରିପାରିବେ ନାହିଁ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ରଦ୍ଦ ରହିବ ବୋଲି ଆଜି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କରୋନା ମହାମାରୀ ସମୟରେ ଜାରି ହୋଇଥିବା ଲକ୍‌ଡାଉନ୍ ବେଳେ ବହୁସଂଖ୍ୟାର ବିଏସ୍‌-୪ ଯାନ ବିକ୍ରି ହୋଇଥିବାରୁ ସୁପ୍ରିମ୍‌ କୋର୍ଟ ଭୀଷଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅସ୍ବାଭାବିକଭାବେ ଅଧିକ ସଂଖ୍ୟାରେ ବିଏସ୍-୪ ଯାନ ଲକ୍‌ଡାଉନ୍ ସମୟରେ ବିକ୍ରି କରାଯାଇଛି ବୋଲି ବିଚାରପତି ଅରୁଣ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୁପ୍ରିମ କୋର୍ଟ ଆସନ୍ତା ୧୩ ତାରିଖରେ କରିବେ।

ଉଲ୍ଲେଖଯୋଗ୍ୟ ଯେ, ଚଳିତମାସରେ ଅଟୋମୋବାଇଲ ଡିଲର ସଂଘ ପକ୍ଷରୁ ସୁପ୍ରିମ କୋର୍ଟରେ ଏକ ଆବେଦନ କରାଯାଇଥିଲା। ଡିଲରମାନେ ବିକ୍ରି କରି ପାରି ନଥିବା ବିଏସ୍‌-୪ ଯାନଗୁଡ଼ିକୁ କମ୍ପାନି ଗୁଡ଼ିକୁ ଫେରାଇ ଦେବା ନିମନ୍ତେ ଅନୁମତି ଦେବାଲାଗି ସଂଘ ଆବେଦନ କରିଥିଲା। ଏହାହେଲେ ଯେଉଁ ଦେଶରେ ଏବେ ବିଏସ୍‌-୪ ଯାନ ବିକ୍ରି ହେଉଛି ସେଠାକୁ ସେସବୁ ଗାଡ଼ି ରପ୍ତାନି କରାଯାଇପାରିବ। ତେବେ ସୁପ୍ରିମ କୋର୍ଟ ଏହି ମାମଲାରେ ମଧ୍ୟ ତୀବ୍ର ଅ‌ସନ୍ତୋଷ ବ୍ୟକ୍ତ କରିଥିଲେ। କରୋନା ମହାମାରୀ ପାଇଁ ଦେଶରେ ମାର୍ଚ୍ଚ ୨୫ ତାରିଖରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିଲା। ଲକ୍‌ଡାଉନ୍ ଆରମ୍ଭ ପରେ ସୁପ୍ରିମ୍‌ କୋର୍ଟ ଏସଂକ୍ରାନ୍ତ ଏକ ମାମଲାର ଶୁଣାଣି ମାର୍ଚ୍ଚ ୨୭ ତାରିଖରେ କରିଥିଲେ। ଲକ୍‌ଡାଉନ୍ ପାଇଁ ମାର୍ଚ୍ଚ ମାସରେ ବ୍ୟବସାୟୀମାନେ ୬ ଦିନ ପାଇଁ ଗାଡ଼ି ବିକ୍ରି କରି ପାରି ନଥିଲେ। ତେଣୁ ସେମାନଙ୍କ କ୍ଷତି ଭରଣା ପାଇଁ ଲକଡାଉନ୍ ଖୋଲିଲେ ବ୍ୟବସାୟୀମାନଙ୍କୁ ୧୦ ଦିନ ପାଇଁ ଗାଡ଼ି ବିକ୍ରି କରିବାର ଅନୁମତି ପ୍ରଦାନ କରାଯିବ ବୋଲି ସୁପ୍ରିମ କୋର୍ଟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe