ସରକାରୀ କାର୍ଯ୍ୟାଳୟରେ ବିଏସ୍‌ଏନ୍‌ଏଲ୍‌ ବାଧ୍ୟତାମୂଳକ: ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌ଙ୍କୁ ଚିଠି ଲେଖିଲେ ସମବାୟ ସମିତି ନିବନ୍ଧକ

ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଇଣ୍ଟରନେଟ୍‌, ବ୍ରଡ୍‌ବ୍ୟାଣ୍ଡ୍‌, ଲ୍ୟାଣ୍ଡଲାଇନ୍‌ ଏବଂ ଲିଜ୍‌ ଲାଇନ୍‌ ଆଦି ପାଇଁ ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କକୁ ବାଧ୍ୟତାମୂଳକ କରାଯିବା ନେଇ ଉଦ୍ୟମ ଆରମ୍ଭ ହୋଇଛି।

BSNL

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଇଣ୍ଟରନେଟ୍‌, ବ୍ରଡ୍‌ବ୍ୟାଣ୍ଡ୍‌, ଲ୍ୟାଣ୍ଡଲାଇନ୍‌ ଏବଂ ଲିଜ୍‌ ଲାଇନ୍‌ ଆଦି ପାଇଁ ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କକୁ ବାଧ୍ୟତାମୂଳକ କରାଯିବା ନେଇ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର ପୁନଃରୁଦ୍ଧାରକୁ ଅତୀତରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି। ଏଥିପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବିଏସ୍‌ଏନ୍‌ଏଲ୍‌ ଓ ‌ଏମ୍‌ଟିଏନ୍‌ଏଲ୍‌ ନେଟୱର୍କ ବ୍ୟବହାର କରିବା ଲାଗି କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି କରାଯାଇଥିଲା। ସେହି ଚିଠି ଆଧାରରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ବିଏସ୍‌ଏନ୍‌ଏଲ୍‌ ସେବାକୁ ବ୍ୟବହାର କରିବା ପାଇଁ ସମବାୟ ସମିତି ନିବନ୍ଧକ(ଆର୍‌ସିଏସ୍‌)ଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀମାନଙ୍କୁ ଗତ ଜୁଲାଇ ୩୧ ତାରିଖରେ ଚିଠି ଦିଆଯାଇଥିଲା।

ସମବାୟ ବିଭାଗର ଉକ୍ତ ଚିଠି ଆଧାରରେ ସମବାୟ ସମିତି ନିବନ୍ଧକ ସମସ୍ତ ଜିଲ୍ଲା ସମବାୟ ନିବନ୍ଧକ, ବରିଷ୍ଠ ସହାୟକ ନିବନ୍ଧକ ଏବଂ ସହାୟକ ନିବନ୍ଧକମାନଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ବିଏସ୍‌ଏନ୍‌ଏଲ୍‌ର ଇଣ୍ଟରନେଟ୍, ବ୍ରଡ୍‌ବ୍ୟାଣ୍ଡ୍‌, ଲ୍ୟାଣ୍ଡ୍‌ଲାଇନ ଏବଂ ଲିଜ୍‌ ଲାଇନ୍‌ ବ୍ୟବହାର ପାଇଁ କୁହାଯାଇଛି। ଯେଉଁସବୁ ସ୍ଥାନରେ ବିଏସ୍‌ଏନ୍‌ଏଲ୍‌ ସେବା ଉପଲବ୍ଧ ରହିଛି ଏବଂ ବୈଷୟିକ ଦୃଷ୍ଟିରୁ ସମ୍ଭବ ସେଠାରେ ଏହି ସେବା ବ୍ୟବହାର ନିଶ୍ଚିତ କରିବାକୁ କୁହାଯାଇଛି। ବର୍ତ୍ତମାନର ସେବା ପ୍ରଦାନକାରୀଙ୍କ ସଂପର୍କରେ ସମୀକ୍ଷା କରିବା ଲାଗି ତୁରନ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ ଚିଠିରେ ନିର୍ଦ୍ଦେଶ ରହିଛି। ଏହି କାର୍ଯ୍ୟ କରାଯାଇଥିବା ନେଇ ଅନୁପାଳନ ରିପୋର୍ଟ ଚଳିତମାସ ୩୦ ତାରିଖ ସୁଦ୍ଧା ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି। ଏହି ବିଷୟକୁ ଅଗ୍ରାଧିକାର ଦେବା ସହିତ କଡ଼ାକଡ଼ି ପାଳନ କରିବା ଲାଗି ଚିଠିରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe