୪ଜି ସେବା ସଂପ୍ରସାରଣ କରୁଛି ବିଏସ୍‌ଏନ୍‌ଏଲ୍‌

Advertisment
କର୍ମଚାରୀ ଖର୍ଚ୍ଚ କମାଇବ ବିଏସ୍‌ଏନ୍‌ଏଲ୍‌

ଭୁବନେଶ୍ବର: ‌ଓଡ଼ିଶାରେ ୪ଜି ସେବା ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ ରାଷ୍ଟ୍ରାୟତ୍ତ କମ୍ପାନି ଭାରତ ସଂଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଆରମ୍ଭ କରିଥିଲା। ନୟାଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ସେବା ରାଜ୍ୟର ଖୋର୍ଦ୍ଧା, କଟକ ଆଦି ଜିଲ୍ଲାକୁ ପରିବ୍ୟାପ୍ତ ହେଲାଣି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୩୦ରୁ ଅଧିକ ବିଟିଏସ୍‌କୁ ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟକ୍ଷମ କରିଥିବା ଏକ ବିଶେଷ ସୂତ୍ରରୁ ଜଣାଯାଇଛି। ଯଦିଓ ବିଏସ୍‌ଏନ୍‌ଏଲ୍‌ ବିଧିବଦ୍ଧ ଭାବେ ରାଜ୍ୟରେ ୪ଜି ସେବା ଆରମ୍ଭ ନେଇ ଘୋଷଣା କରିନାହିଁ। କିନ୍ତୁ କମ୍ପାନି ନିକଟ ଭବିଷ୍ୟତରେ ପ୍ରାୟ ୧୦୦୦ ବିଟିଏସ୍‌ କାର୍ଯ୍ୟକ୍ଷମ କରିବା ନେଇ ଲକ୍ଷ୍ୟ ରଖିଛି।

ଟେଲିକମ୍‌ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଗତ ଜୁଲାଇ ୩୧ ସୁଦ୍ଧା ମୋଟ ୧୨୩୧୫ଟି ୫ଜି ବିଟିଏସ୍‌ ରହିଛି। କିନ୍ତୁ ୪ଜି ଓ ୫ଜି ନେଟୱର୍କକୁ ଦେଖିଲେ ରାଜ୍ୟରେ ପାଖାପାଖି ୩୦ ହଜାର ବିଟିଏସ୍‌ କାର୍ଯ୍ୟ କରୁଛି। ଏଥିରୁ ସର୍ବାଧିକ ବିଟିଏସ୍‌ ରିଲାଏନ୍ସ ଜିଓ (ପାଖାପାଖି ୧୬ ହଜାର) ପାଖରେ ଥିବାବେଳେ ଏହା ପଛକୁ ଏୟାରଟେଲ ନିକଟରେ ପ୍ରାୟ ୧୧ ହଜାର ଓ ଭୋଡାଫୋନ ନିକଟରେ ପ୍ରାୟ ୩୦୦୦ ୪ଜି ବିଟିଏସ୍‌ ରହିଛି। ଘରୋଇ କମ୍ପାନିଗୁଡ଼ିକ ଗତମାସରେ ମୋବାଇଲ ଫୋନ ଶୁଳ୍କରେ ବଡ଼ ଧରଣର ବୃଦ୍ଧି କରିଛନ୍ତି। ଘରୋଇ କମ୍ପାନିଙ୍କ ଶୁଳ୍କ ବୃଦ୍ଧି ପରେ ଗ୍ରାହକ ଏବେ ବିଏସ୍‌ଏନ୍‌ଏଲ୍‌ ମୁହାଁ ‌ହେବେ ବୋଲି ଅନୁମାନ କରାଯାଉଛି। କିନ୍ତୁ ବିଏସ୍‌ଏନ୍‌ଏଲ୍‌ ଏଥିପାଇଁ କେତେ ପ୍ରସ୍ତୁତ ରହିଛି ତାହା ଆଗାମୀ ଦିନରେ ଜଣାପଡ଼ିବ । ଯଦି ବିଏସ୍‌ଏନ୍‌ଏଲ୍‌ ପର୍ଯ୍ୟାପ୍ତ ସଂଖ୍ୟାରେ ୪ଜି ବିଟିଏସ୍‌ ସ୍ଥାପନ କରିବ ତା’ହେଲେ ଆଜିର ଯୁଗରେ ଘରୋଇ କମ୍ପାନିଙ୍କ ସହିତ ପ୍ରତିଯୋଗିତା କରିବାର ସୁଯୋଗ ରହିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କାରଣ ଏବେ ‌ମୋବାଇଲ ଗ୍ରାହକମାନେ ଅଧିକ ମାତ୍ରାରେ ଡାଟା ବ୍ୟବହାର କରୁଛନ୍ତି। ଉନ୍ନତମାନର ଡାଟା ସେବା ପାଇବାକୁ ହେଲେ ମୋବାଇଲ ଫୋନ ଗ୍ରାହକଙ୍କ ନିକଟରେ ୪ଜି କିମ୍ବା ୫ଜି ନେଟୱର୍କ ରହିଥିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe