ଆଉ ୧ ଦିନ: କିଏ ଲାଭରେ ରହିବେ, ଇତିହାସ ରଚିବେ ନିର୍ମଳା ସୀତାରମଣ

Advertisment
ଆଉ ୧ ଦିନ: କିଏ ଲାଭରେ ରହିବେ, ଇତିହାସ ରଚିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବାକୁ ଯାଉଥିବା ୨୦୨୪-୨୫ ବଜେଟ୍‌ରୁ ଅନେକ କିଛି ଆଶା କରାଯାଉଛି। ଟିକସରେ ଆଶ୍ବସ୍ତିଠାରୁ ଆରମ୍ଭ କରି ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ଲାଗି ପାଣ୍ଠି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ବଜେଟ୍‌ରୁ ଅନେକ କିଛି ଆଶା କରୁଛନ୍ତି। ଯେହେତୁ ବିହାରର ନୀତୀଶ କୁମାରଙ୍କ ଜେଡି (ୟୁ) ଓ ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଦଳର ସମର୍ଥନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ସରକାର ଗଠନ କରିଛନ୍ତି, ତେଣୁ ଏକ ସନ୍ତୁଳିତ ବଜେଟ୍‌ ଆସିବ ବୋଲି ଆଶା କରାଯାଉଛି। ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଏଥର ବଜେଟ୍‌ରେ କିଛି କ୍ଷେତ୍ର ଲାଭବାନ ହେବେ ଏବଂ କିଛି କ୍ଷେତ୍ର ଘାଟାରେ ରହିପାରନ୍ତି।

ଗ୍ରାମୀଣ କ୍ଷେତ୍ର
ବଜେଟ୍‌ରେ ଗ୍ରାମୀଣ ବିକାଶ ସ୍କିମ୍‌ଗୁଡ଼ିକୁ ଏଥର ଅଧିକ ଅର୍ଥ ଆବଣ୍ଟନ କରାଯିବାର ସମ୍ଭାବନା ରହିଛି। ଏହା ହେଲେ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚିବ। ତାହାର ସିଧାସଳଖ ଲାଭ ତେଲ, ସାବୁନ ଆଦି ବିକ୍ରି କରୁଥିବା ଏଫ୍ଏମ୍‌ସିଜି କମ୍ପାନି ଓ ଗାଡ଼ି ନିର୍ମାତାମାନଙ୍କୁ ମିଳିବ। ଯଦି ତମାଖୁ ଟିକସ ୫-୭ ପ୍ରତିଶତ ଭିତରେ ବୃଦ୍ଧି ହେବ ତାହା ସିଗାରେଟ ଉତ୍ପାଦନକାରୀ ଆଇଟିସି ପାଇଁ ଲାଭଦାୟକ ହେବ।

ରିଅଲ୍‌ ଇଷ୍ଟେଟ୍‌
ସୁଲଭ ବାସଗୃହ ଲାଗି ମଧ୍ୟ ଅଧିକ ପାଣ୍ଠି ଦିଆଯିବାର ସମ୍ଭାବନା ରହିଛି। ତାହା ହେଲେ ରିଅଲ୍‌ ଇଷ୍ଟେଟ୍‌ କମ୍ପାନିଗୁଡ଼ିକ ଉପକୃତ ହେବେ। ସହରାଞ୍ଚଳ ବାସଗୃହ ପାଇଁ ସୁଧ ରିହାତି ସ୍କିମ୍‌ ଘୋଷଣା ହୋଇପାରେ। ସେହି ନିଷ୍ପତ୍ତି ହାଉସିଂ ଫାଇନାନ୍ସ କମ୍ପାନିଗୁଡ଼ିକୁ ସୁହାଇବ।

ଅଟୋମୋବାଇଲ୍‌
ଇଲେକ୍ଟ୍ରିକ୍ ଯାନ (ଇଭି) ଗ୍ରହଣୀୟତା ବଢ଼ାଇବା ଲାଗି ସରକାର ପାଞ୍ଚ ବର୍ଷରେ ୧୧,୫୦୦ କୋଟି ଟଙ୍କାର ସବ୍‌ସିଡି ପ୍ରଦାନ କରିଥିଲେ। ଏଥର ବଜେଟ୍‌ରେ ସମାନ ପରିମାଣର ସବ୍‌ସିଡି ଘୋଷଣା ହେବାର ସମ୍ଭାବନା ରହିଛି। ତାହା ଇଭି ନିର୍ମାତାମାନଙ୍କ ଲାଗି ଲାଭଦାୟକ ହେବ। ଏହା ନହେଲେ ପେଟ୍ରୋଲ୍‌, ଡିଜେଲ୍‌ ଗାଡ଼ି ନିର୍ମାତା ଉପକୃତ ହେବେ।

ମାନୁଫାକ୍‌ଚରିଂ
ଦେଶ ଭିତରେ ବିଭିନ୍ନ ସାମଗ୍ରୀର ଉତ୍ପାଦନ ବଢ଼ାଇବା ଉପରେ ବଜେଟ୍‌ରେ ଜୋର ଦିଆଯିବାର ସମ୍ଭାବନା ରହିଛି। କାରଣ ତାହା ଜରିଆରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ବିଶେଷ କରି ହାର୍ଡୱେର, ଟେଲିକମ୍ ଉପକରଣ ଓ ମେଡିକାଲ୍ ଡିଭାଇସ୍‌ ଉତ୍ପାଦନ ବଢ଼ାଇବା ଉପରେ ସରକାର ଜୋର୍ ଦେଇପାରନ୍ତି। କ୍ୟାପିଟାଲ୍‌ ଗୁଡ୍‌ସ ନିର୍ମାତା ଓ ଭିତ୍ତିଭୂମି କମ୍ପାନିଗୁଡ଼ିକ ମଧ୍ୟ ଉପକୃତ ହେବାର ସମ୍ଭାବନା ରହିଛି।

ଟ୍ରେଡିଂ
ପୁଞ୍ଜି ଲାଭ ଟିକସରେ ପରିବର୍ତ୍ତନ ହେବା ଆଶା କରାଯାଉଛି। ଯଦି ସେଥିରେ ବୃଦ୍ଧି ଘଟିବ ତେବେ ଇକ୍ବିଟି ଓ ମ୍ୟୁଚୁଆଲ୍‌ ଫଣ୍ଡରେ ନିବେଶ କରୁଥିବା ନିବେଶକମାନେ ପ୍ରଭାବିତ ହେବେ। ଟିକସ ବାବଦରେ ସେମାନଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ଯାହା ସେମାନଙ୍କ ମୋଟ ଆୟକୁ ପ୍ରଭାବିତ କରିବ। ଟିକସରେ ବୃଦ୍ଧି ହେଲେ ବ୍ରୋକ୍‌ରେଜ୍‌ ସଂସ୍ଥାଗୁଡ଼ିକର ଟ୍ରେଡିଂ ପରିମାଣ କମ୍ ହେବ।

ଅର୍ଥନୈତିକ ସର୍ଭେ ରିପୋର୍ଟ ଆଜି
ନୂଆଦିଲ୍ଲୀ: ସୋମବାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଏ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ନିରୀକ୍ଷଣରେ ତାହା ପ୍ରସ୍ତୁତ ହୋଇଥାଏ। ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି କିଭଳି ଥିଲା ତାହାର ଏକ ସ୍ପଷ୍ଟ ଚିତ୍ର ଏଥିରୁ ମିଳିବ। ଏଥି‌ରେ ଆଗାମୀ ବର୍ଷର ଆକଳନକୁ ମଧ୍ୟ ସ୍ଥାନିତ କରାଯାଇଥାଏ। ୧୯୫୦-୫୧ରେ ଦେଶର ପ୍ରଥମ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଥିଲା। ସେହି ସମ‌ୟରେ ତାହା ବଜେଟ୍‌ର ଅଂଶ ଥିଲା। ମାତ୍ର ୧୯୬୦‌ରେ ତାହାକୁ ବଜେଟ୍‌ଠାରୁ ଅଲଗା କରିଦିଆଯାଇଥିଲା ଏବଂ ବଜେଟ୍ ଉପସ୍ଥାପନ ହେବାର ଗୋଟିଏ ଦିନ ପୂର୍ବରୁ ତାହାକୁ ସଂସଦରେ ଉପସ୍ଥାପନ କରାଯାଉଛି।

ଇତିହାସ ରଚିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ବଜେଟ୍‌ ଉପସ୍ଥାପନ କରିବାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇତିହାସ ରଚିବାକୁ ଯାଉଛନ୍ତି। ଲଗାତାର ସାତ ଥର ବଜେଟ୍‌ ଉପସ୍ଥାପନ କରିବାର ଏକ ବିରଳ ରେକର୍ଡ ତାଙ୍କ ନାମରେ ଯୋଡ଼ିହେବ। ଏହା ପୂର୍ବରୁ ମୋରାରଜୀ ଦେଶାଇ ଲଗାତାର ଛଅ ଥର ବଜେଟ୍ ଉପସ୍ଥାପନ କରିଥିଲେ। ୧୯୫୯ରୁ ୧୯୬୪ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ଶ୍ରୀ ଦେଶାଇ ପାଞ୍ଚଟି ପୂର୍ଣ୍ଣାଙ୍ଗ ଓ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ।

୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଶ୍ରୀମତୀ ସୀତାରମଣ କ‌‌ାଗଜବିହୀନ ଭାବେ ଉପସ୍ଥାପନ କରିବେ। ଚଳିତ ବର୍ଷ ଫେବ୍ରୁଆରି ୧ରେ ସେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ନୂଆ ସରକାର ଗଠନ ପ୍ରକ୍ରିୟା ଶେଷ ହୋଇଥିବାରୁ ସେ ଚଳିତ ମାସ ୨୩ରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ। ବଜେଟ୍‌ ଲାଗି ମତାମତ ସଂଗ୍ରହ କରିବା ପାଇଁ ଜୁନ୍ ୨୦ରୁ ପ୍ରାକ୍ ବଜେଟ୍ ‌ଆଲୋଚନା ଆରମ୍ଭ ହୋଇଥିଲା। ସେ ଶ୍ରମିକ ସଂଗଠନ, ଶିକ୍ଷା, ସ୍ବାସ୍ଥ୍ୟ, ନିୟୋଜନ ଓ ଦକ୍ଷତା ବିକାଶ, ଏମ୍ଏସ୍‌ଏମ୍ଇ, ଶିଳ୍ପ ସଂଘ, କୃଷକ ସଂଗଠନ, ବାଣିଜ୍ୟ ଓ ସେବା, ଶିଳ୍ପ, ଅର୍ଥନୀତି, ଆର୍ଥିକ ସେବା ଓ ପୁଞ୍ଜି ବଜାର ଭଳି ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କୁ ଭେଟ କରି ସେମାନଙ୍କଠାରୁ ମତାମତ ସଂଗ୍ରହ କରିଥିଲେ। ଅର୍ଥନୀତିଜ୍ଞମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe