କେନ୍ଦ୍ର ବଜେଟ ୨୦୨୦-୨୧, ଆୟକରରେ ନୂଆ-ପୁରୁଣା ଦ୍ବନ୍ଦ୍ବ

Advertisment
କେନ୍ଦ୍ର ବଜେଟ ୨୦୨୦-୨୧, ଆୟକରରେ ନୂଆ-ପୁରୁଣା ଦ୍ବନ୍ଦ୍ବ

ନୂଆଦିଲ୍ଲୀ: ଚଳିତ ବଜେଟ୍‌ରେ ଆୟକରକୁ ନେଇ ଟିକସଦାତାଙ୍କୁ ଦୁଇ ପ୍ରକାର ବିକଳ୍ପ ପ୍ରଦାନ କରାଯାଇଛି। ଟିକସଦାତାମାନେ ପୁରୁଣା ଦରରେ ଆୟକର ପଇଠ କରିପାରିବେ। ଏହା ବ୍ୟତୀତ ସେମାନଙ୍କୁ ଏକ ନୂତନ ବିକଳ୍ପ ପ୍ରଦାନ କରାଯାଇଛି ଯେଉଁଥିରେ କମ୍ ଟିକସ ଦେବାକୁ ପଡ଼ିବ। କିନ୍ତୁ ଏହି ବିକଳ୍ପ ଚୟନ କଲେ ଅନେକ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିପାରେ ବୋଲି ଟିକସ ବିଶେଷଜ୍ଞମାନେ କହିଛନ୍ତି। ନୂଆ ବିକଳ୍ପରେ କୁହାଯାଇଛି ଯେ, ଟିକସଦାତା ଯଦି କୌଣସି ପ୍ରକାରର ଛାଡ଼ କିମ୍ବା ଟିକଟ କାଟ ସୁବିଧା ନନେବେ ତେବେ ତାଙ୍କୁ କମ୍ ଟିକସ ଦେବାକୁ ପଡ଼ିବ। ଅର୍ଥାତ ଟିକସଦାତାଙ୍କୁ ଆୟକର ନିୟମର ଧାରା ୮୦ସି, ୮୦ଡି, ଏଚଆର୍‌ଏ, ଗୃହ ଋଣ ଉପରେ ମିଳୁଥିବା ଟିକସ ରିହାତିରୁ ବଞ୍ଚିତ ହେବାକୁ ପଡ଼ିବ। ନୂଆ ନା ପୁରୁଣା, କେଉଁ ବିକଳ୍ପ ଅଧିକ ଲାଭଦାୟକ ତାହାକୁ ନେଇ ଟିକସଦାତାମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ଇବାଇ ଇଣ୍ଡିଆର ଟିକସ ବିଶେଷଜ୍ଞ ଶାଲିନି ଜୈନ କହିଛନ୍ତି ଯେ, ଆୟକରଦାତାମାନଙ୍କୁ ପ୍ରଥମେ ପୁରୁଣା ଓ ନୂଆ ଟିକସ ବ୍ୟବସ୍ଥା ଅନୁସାରେ ନିଜର ଆୟକର ରିଟର୍ଣ୍ଣ ହିସାବ କରିବାକୁ ପଡ଼ିବ। ଯେଉଁ ବିକଳ୍ପରେ କମ୍ ଟିକସ ଦେବାକୁ ହେବ ତାହାକୁ ହିଁ ଚୟନ କଲେ ସେ ଲାଭବାନ ହୋଇପାରିବେ। ସେ କହିଛନ୍ତି, ନୂଆ ବିକଳ୍ପ ସରଳ କିନ୍ତୁ ଏଥିରେ କ୍ଷତି ହେବାର ଆଶଙ୍କା ରହିଛି। ନୂଆ ବିକଳ୍ପରେ ଛାଡ଼ ଓ ଟିକସ କାଟ ସୁବିଧାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ଏହା ବହୁତ ସହଜ। କିନ୍ତୁ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ନିବେଶ କରିଛନ୍ତି ଏବଂ ଡିଡକ୍ସନର ଲାଭ ନେବାକୁ ଚାହୁଛନ୍ତି ସେମାନେ ପୁରୁଣା ବିକଳ୍ପ ଚୟନ କଲେ ବହୁତ ଭଲ ହେବ ବୋଲି ସେ କହିଛନ୍ତି। ନୂଆ ବ୍ୟବସ୍ଥାରେ ବାର୍ଷିକ ୫ ଲକ୍ଷ ଟଙ୍କାର ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ ଗ୍ରାଚୁଇଟି ଉପରେ ଟିକସ ଲାଭ ପୂର୍ବ ଭଳି ମିଳିବ। ଇପିଏଫ୍‌ଓ ଉପରେ ଟିକସ ଲାଭ ମିଳିବ। ଏନ୍‌ପିଏସ୍‌ ଉପରେ ବି ଟିକସ ସୁବିଧା ମିଳିବ। ରିଟାୟାରମେଣ୍ଟ୍‌ ଫଣ୍ଡ୍‌ ଉପରେ ମଧ୍ୟ ଟିକସ ସୁବିଧା ମିଳିବ।

ବ୍ୟାଙ୍କ ଜମା ପାଇଁ ୫ ଲକ୍ଷ ଟଙ୍କାର ବୀମା
ଅର୍ଥମନ୍ତ୍ରୀ ୨୦୨୦-୨୧ ବଜେଟ୍‌ରେ ବ୍ୟାଙ୍କ ଜମା ଉପରେ ବୀମା ଗ୍ୟାରେଣ୍ଟି ରାଶିକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। କୌଣସି କାରଣରୁ ବ୍ୟାଙ୍କ ଦେବାଳିଆ ହେଲେ ଜମାକାରୀଙ୍କୁ ଏବେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଗ୍ୟାରେଣ୍ଟି ସୁବିଧା ମିଳୁଛି। ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯାଉଛି। ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ବର୍ତ୍ତମାନ ଏହି ସୁବିଧା ସମସ୍ତ ବାଣିଜ୍ୟିକ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଡିଆଇସିଜିସି ଅଧୀନରେ ଆସୁଛନ୍ତି। କେବଳ ପ୍ରାଥମିକ ସମବାୟ ସମିତି ଏହା ଅଧୀନରେ ନାହାନ୍ତି। ବ୍ୟାଙ୍କ ଯଦି ଦେ‌ବାଳିଆ ହୋଇଯାଏ ତାହେଲେ ଜଣେ ବ୍ୟକ୍ତି ଚଳନ୍ତି ଖାତା, ସଞ୍ଚୟ ଖାତା, ମିଆଦି ଜମା ଆକାରରେ ଗୋଟିଏ ବ୍ୟାଙ୍କରେ ଯେଉଁ ଅର୍ଥ ରଖିଛନ୍ତି ‌ତାହା ଉପରେ ମୂଳ ଏବଂ ସୁଧ ବାବଦରେ ୫ ଲକ୍ଷ ଟଙ୍କା ପାଇବେ। ଡିଆଇସିଜିସି ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ସଞ୍ଚୟ, ମିଆଦି, ଚଳନ୍ତି, ପୌନଃପୁନଃ ଆଦି ଜମା ଉପରେ ଏହି ସୁବିଧା‌ ଯୋଗାଇ ଦିଆଯିବ। ତେବେ ବିଦେଶୀ ସରକାରଙ୍କ ଜମା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜମା, ଅନ୍ତଃବ୍ୟାଙ୍କ ଜମା, ରାଜ୍ୟ ସମବାୟ ବ୍ୟାଙ୍କରେ ରାଜ୍ୟ ଜମି ବିକାଶ ବ୍ୟାଙ୍କ ରଖିଥିବା ଜମା, ବିଦେଶରୁ ଆସିଥିବା ଜମା ଓ ଅନ୍ୟ କେତେକ କ୍ଷେତ୍ରରେ ଏହି ସୁବିଧା ମିଳିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe