୨୦୩୦ ସୁଦ୍ଧା ବର୍ଷକୁ ୩ କୋଟି ଏସି ବିକ୍ରି ହେବ

Advertisment
ଏପ୍ରିଲ୍‌ରେ ରେକର୍ଡ ୧୭.୫ ଲକ୍ଷ ଏସି ବିକ୍ରି

www.amazon.co.jp

ନୂଆଦିଲ୍ଲୀ: ଚଳିତ ଦଶନ୍ଧି ଅର୍ଥାତ୍‌ ୨୦୩୦ ଶେଷ ସୁଦ୍ଧା ଦେଶରେ ଏସି(ଏୟାର କଣ୍ଡିସନର) ବଜାର ବର୍ତ୍ତମାନ ତୁଳନାରେ ଦୁଇଗୁଣା ହୋଇଯିବ। ଏବେ ଦେଶର ଏସି ବଜାର ୧.୪ କୋଟି ଥିବାବେଳେ ୨୦୩୦ ମସିହା ବେଳକୁ ଏହା ୩ କୋଟିରେ ପହଞ୍ଚିବ ବୋଲି ବ୍ଲୁ ଷ୍ଟାର୍‌ର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜନ୍‌ ଆକଳନ କରିଛନ୍ତି। ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଅସହ୍ୟ ତାତି ଅନୁଭୂତ ହୋଇଥିଲା। ଏଥିସହିତ ଆଇପିଏଲ୍‌ ସାଙ୍ଗକୁ ସାଧାରଣ ନିର୍ବାଚନ କାରଣରୁ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଏସି ବିକ୍ରି ଭଲ ରହିଥିଲା।

ବ୍ଲୁ ଷ୍ଟାର୍‌ର ଏସି ବିକ୍ରି ଭଲ ରହିଛି। ପ୍ରଥମ ତ୍ରୟମାସରେ ଆମେ ୨୦ରୁ ୨୫ ପ୍ରତିଶତ ବିକ୍ରି ବୃଦ୍ଧି ନେଇ ଆଶା ରଖିଥିଲୁ। କିନ୍ତୁ ମାର୍ଚ୍ଚ ଶେଷ ସପ୍ତାହରେ ଏହା ୪୦ ପ୍ରତିଶତ, ଏପ୍ରିଲରେ ୭୦ ପ୍ରତିଶତ ଏବଂ ମେ ମାସରେ ୭୦ ପ୍ରତିଶତ ବୃଦ୍ଧି ହେବା ଆମକୁ ଚକିତ କରିଥିଲା। ଜୁନରେ ଏହା କମିଥିଲେ ମଧ୍ୟ ମୋଟାମୋଟି ବିକ୍ରି ଅଭିବୃଦ୍ଧି ୫୫ ପ୍ରତିଶତ ରହିଥିଲା। ଦେଶରେ ଟିୟର ୩, ଟିୟର ୪ ଓ ଟିୟର ୫ ସହରରେ ଏସି ଚାହିଦା ବୃଦ୍ଧି ପାଉଛି ଏବଂ ସେହି ଚାହିଦା ପୂରଣ କରିବା ପାଇଁ କମ୍ପାନି ଯୋଜନା କରିଛି। ଦେଶରେ ୯୫ ପ୍ରତିଶତ ଗ୍ରାହକ ପ୍ରଥମ ଥର ପାଇଁ ଏସି କିଣୁଛନ୍ତି। ଗ୍ରାମାଞ୍ଚଳରେ ଏସିର ସାନ୍ଦ୍ରତା ୭ ପ୍ରତିଶତ ରହିଛି। ଆଗାମୀ ଦିନରେ ଏହା ଦୁଇଗୁଣା ହେବ ବୋଲି ଆଶା କରାଯାଉଛି। ଗୋଟିଏ ପରିବାରରେ ଏକାଧିକ ଏସି ବ୍ୟବହାର ଦେଖିବାକୁ ମିଳିବ।

ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ୫୫ ପ୍ରତିଶତରୁ ଅଧିକ ଗ୍ରାହକ ଫାଇନାନ୍ସ ଜରିଆରେ କିଣିଥିବାବେଳେ ଟିୟର ୩, ଟିୟର ୪ ଓ ଟିୟର ୫ ସହରରେ ମୋଟ ବିକ୍ରିର ୬୫ ପ୍ରତିଶତ ଯୋଗଦାନ ରହିଛି। ଆଗାମୀ ପାର୍ବଣ ସମୟରେ ଗ୍ରାମାଞ୍ଚଳର ଏସି ଚାହିଦା ପୂରଣ କରିବାକୁ କମ୍ପାନି ଭଲ ଭାବେ ପ୍ରସ୍ତୁତ ରହିଥିବା ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe