ଭୁବନେଶ୍ବର: ଭାରତ ସରକାରଙ୍କ ସାଚ୍ୟୁରେସନ୍ ପ୍ରକଳ୍ପ ଅଧୀନରେ ୨୬୮୯ଟି ଗ୍ରାମରେ ମୋବାଇଲ ସେବା ପ୍ରଦାନ ନେଇ ବିଏସ୍ଏନ୍ଏଲ୍ ଏବେ କାର୍ଯ୍ୟ କରୁଛି। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ବିଏସ୍ଏନ୍ଏଲ୍ ୧୭୩୦ଟି ମୋବାଇଲ ଟାୱାର ନିର୍ମାଣ ଯୋଜନା ରଖିଛି। ବର୍ତ୍ତମାନ ସୁଦ୍ଧା ସେଥିରୁ ୧୨୬୦ଟି ଟାୱାରର ନିର୍ମାଣ ଶେଷ ହୋଇଛି। ସେଥିରୁ ପାଖାପାଖି ୨୦୦ଟି ଟାୱାରରେ ବିଟିଏସ୍ ଲଗାଯାଇ ୪ଜି ସେବା ଉପଲବ୍ଧ କରାଗଲାଣି। ଆସନ୍ତା ଡିସେମ୍ବର ସୁଦ୍ଧା ସବୁ ଟାୱାର ଜରିଆରେ ୪ଜି ସେବା ପ୍ରଦାନ ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ବିଏସ୍ଏନ୍ଏଲ୍ ଓଡ଼ିଶା ସର୍କଲ ସିଜିଏମ୍ ରୁଦ୍ର ନାରାୟଣ ପଲାଇ କହିଛନ୍ତି।
‘ସମ୍ବାଦ’କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତ୍କାରରେ ଶ୍ରୀ ପଲାଇ କହିଛନ୍ତି ମୋଦୀ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ‘ଆତ୍ମନିର୍ଭର ଭାରତ’ ଅଧୀନରେ ଏହି ଟାୱାରଗୁଡ଼ିକରେ ବିଟିଏସ୍ ଲଗାଯାଉଛି। ଟିସିଏସ୍ ଓ ସି-ଡଟ୍ ମିଳିତଭାବେ ଏହି ପ୍ରଯୁକ୍ତିକୁ ବିକାଶ କରି କାର୍ଯ୍ୟକାରୀ କରୁଛନ୍ତି। କେବଳ ଅହପଞ୍ଚ ଗ୍ରାମ ନୁହେଁ ସହରାଞ୍ଚଳରେ ମଧ୍ୟ ବିଏସ୍ଏନ୍ଏଲ୍ ଏହାର ୪ଜି ସେବା ଉପଲବ୍ଧ କରାଉଛି। ରାଜ୍ୟର ୩୦ଟି ସହରରେ ଏହି କାର୍ଯ୍ୟ ବର୍ତ୍ତମାନ ଚାଲିଛି। ଓଡ଼ିଶା ପାଇଁ ୪ଜି ମୋବାଇଲ ନେଟୱର୍କ ପାଇଁ ସାଚ୍ୟୁରେସନ ପ୍ରକଳ୍ପ ଅଧୀନରେ ପ୍ରାୟ ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାବ୍ୟତୀତ ରାଜ୍ୟର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଅସୁରକ୍ଷିତ ଜନଜାତି ଗୋଷ୍ଠୀ (ପିଭିଟିଜି) ଲୋକମାନେ କିଭଳି ଉନ୍ନତମାନର ମୋବାଇଲ ସେବା ପାଇପାରିବେ ତାହା ଉପରେ କମ୍ପାନି କାର୍ଯ୍ୟ କରୁଛି। କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ପିଭିଟିଜି ମାନେ ରହୁଥିବା ରାଜ୍ୟର ୭୬୨ଟି ପଡ଼ା ବା ହାମଲେଟ୍ରେ ମୋବାଇଲ ସେବା ପହଞ୍ଚାଇବା ପାଇଁ ବିଏସ୍ଏନ୍ଏଲ୍ ଯୋଜନା କରିଛି। ଏସବୁ ପଡ଼ାକୁ ୪ଜି ମୋବାଇଲ ନେଟୱର୍କ ପରିସରକୁ ଆଣିବା ଲାଗି ଅନେକ ଟାୱାର ସ୍ଥାପନ କରାଯିବ ବୋଲି ଶ୍ରୀ ପଲାଇ କହିଛନ୍ତି।
ବିଏସ୍ଏନ୍ଏଲ୍ର ୪ଜି ମୋବାଇଲ ସେବା ଉପଲବ୍ଧ ହେବା ଫଳରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ। ଅନ୍ୟପକ୍ଷରେ ଲୋକଙ୍କ ଡାଟା ବ୍ୟବହାର ବଢ଼ିବା ଦ୍ବାରା କମ୍ପାନି ମୁଣ୍ଡପିଛା ହାରାହାରା ରାଜସ୍ବ (ଆଭରେଜ୍ ରେଭନ୍ୟୁ ପର୍ ୟୁଜର୍) ୧୦୦ ଟଙ୍କା ଅତିକ୍ରମ କରିବ। ବର୍ତ୍ତମାନ ରାଜ୍ୟରେ ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ମୁଣ୍ଡପିଛା ହାରାହାରି ରାଜସ୍ବ ୯୮ ଟଙ୍କା ରହିଛି। ଗତ କିଛିଦିନର ପରିବର୍ତ୍ତିତ ପରିସ୍ଥିତିରେ ଅଧିକରୁ ଅଧିକ ଗ୍ରାହକ ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍ଏନ୍ପି) ଜରିଆରେ ବିଏସ୍ଏନ୍ଏଲ୍ ନେଟୱର୍କରେ ଯୋଡ଼ି ହେଉଛନ୍ତି। ରାଜ୍ୟରେ ବିଏସ୍ଏନ୍ଏଲ୍ର ଉକ୍ତ ଅନୁପାତ ୧:୫ ରହିଛି। ଅର୍ଥାତ୍ ଜଣେ ଗ୍ରାହକ ନେଟୱର୍କରୁ ବାହାରୁ ଥିବାବେଳେ ୫ ଜଣ ସାମିଲ ହେଉଛନ୍ତି ବୋଲି ଶ୍ରୀ ପଲାଇ ସୂଚନା ଦେଇଛନ୍ତି।
Follow Us