Image Courtesy of NDTV
ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ସୁଦ୍ଧା ଦେଶର ୨୦ରୁ ୨୫ଟି ସହରରେ ୫ଜି ଟେଲିଫୋନ ସେବା ଉପଲବ୍ଧ ହେବ। କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶନିବାର ଏହି ସୂଚନା ଦେଇଛନ୍ତି। ଏଥିସହିତ ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ ଭାରତରେ ଡାଟା ମୂଲ୍ୟ ବିଶ୍ବର ହାରାହାରି ମୂଲ୍ୟଠାରୁ ଅନେକ କମ୍। ୫ଜି ସେବା ଆରମ୍ଭ ହେଲେ ଭାରତ ଏ କ୍ଷେତ୍ରର ମୂଲ୍ୟକ୍ଷେତ୍ରରେ ନୂଆ ମାନଦଣ୍ଡ ନିର୍ଦ୍ଧାରଣ କରିବ।
ଆସନ୍ତା ଅଗଷ୍ଟ-ସେପ୍ଟେମ୍ବରରୁ ଭାରତରେ ୫ଜି ସେବା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଡିଜିଟାଲ ନେଟୱର୍କ ସେବା ପ୍ରଦାନ କ୍ଷେତ୍ରରେ ଭାରତ ବିଶ୍ବର ଏକ ବଳିଷ୍ଠ ଉତ୍ସ ହେବ। ଭାରତ ଦ୍ବାରା ବିକଶିତ ହୋଇଥିବା ୪ଜି ଓ ୫ଜି ଉତ୍ପାଦକୁ ବିଶ୍ବର ବିଭିନ୍ନ ଦେଶ ଅଗ୍ରାଧିକାର ଦେଉଛନ୍ତି। ୫ଜି ସେବାର ମୂଲ୍ୟ କେତେ ରହିବ ସଂପର୍କରେ ପଚାରିବାରୁ ମନ୍ତ୍ରୀ କହିଲେ ବିଶ୍ବରେ ଡାଟାର ହାରାହାରି ମୂଲ୍ୟ ଯେତେବେଳେ ୨୫ ଡଲାର ରହିଛି ଭାରତରେ ତାହା ପ୍ରାୟ ୨ ଡଲାର ରହିଛି। ତେଣୁ ଡାଟା ମୂଲ୍ୟ କ୍ଷେତ୍ରରେ ଆମର ସବୁଠୁ କମ୍ ରହିଛି। ଭାରତ ବିଶ୍ବ ହାରାହାରିର ଏକ ଦଶମାଂଶ ମୂଲ୍ୟରେ ସେବା ଯୋଗାଉଛି। ତେଣୁ ଏଭଳି ଧାରା ଅନ୍ୟ କ୍ଷେତ୍ରରେ ମଧ୍ୟ ଜାରି ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତା ମାସ ୨୬ ତାରିଖରୁ ୫ଜି ସ୍ପେକ୍ଟ୍ରମ ନିଲାମ କରାଯିବା ଯୋଜନା ଦେଶରେ ରହିଛି।
ଅବାଞ୍ଛିତ କଲ୍ ଜନିତ ସମସ୍ୟାର ସମାଧାନ ସଂପର୍କରେ ମନ୍ତ୍ରୀ କହିଛନ୍ତି ଯେତେବେଳେ ଏପ୍ରକାର କଲ୍ ଆସିବ ସେତେବେଳେ ସେମାନଙ୍କର କେୱାଇସି-ପରିଚୟପତ୍ରରେ ଦିଆଯାଇଥିବା ନାମ ଦେଖିବାକୁ ମିଳିବ। ଏହା ଉପରେ ଏବେ ବିଚାରବିମର୍ଶ ଚାଲିଛି। ଉକ୍ତ ପ୍ରକ୍ରିୟା ଶେଷ ହେଲେ ନୂଆ ନିୟମକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଭାରତରେ ଡାଉନଲୋଡ୍ ସ୍ପିଡ୍ କମ୍ ରହୁଥିବା ସଂପର୍କରେ ପ୍ରଶ୍ନ ହେବାରୁ ମନ୍ତ୍ରୀ କହିଥିଲେ ଭାରତରେ ମାସିକ ହାରାହାରି ଡାଟା ବ୍ୟବହାର ୧୮ ଜିବି ରହିଛି। କିନ୍ତୁ ବିଶ୍ବରେ ମାସିକ ଡାଟା ବ୍ୟବହାର ୧୧ ଜିବି ବୋଲି ସେ କହିଛନ୍ତି।
Follow Us