‘ଆକାଶ’କୁ କିଣିଲା ବାଇଜୁସ୍‌, ୭୩୦୦ କୋଟି ଟଙ୍କାର ଡିଲ୍‌

Advertisment
‘ଆକାଶ’କୁ କିଣିଲା ବାଇଜୁସ୍‌, ୭୩୦୦ କୋଟି ଟଙ୍କାର ଡିଲ୍‌

ନୂଆଦିଲ୍ଲୀ: ଡିଜିଟାଲ୍ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ସଂସ୍ଥା ବାଇଜୁସ୍‌ ଭାରତରେ ଏହାର ସର୍ବବୃହତ ଅଧିଗ୍ରହଣ କରିଛି। ଏହା ପ୍ରବେଶିକା ପରୀକ୍ଷା ପ୍ରସ୍ତୁତିର ସବୁଠୁ ବଡ଼ ସଂସ୍ଥା ଆକାଶ ଏଜୁକେସନାଲ୍ ସର୍ଭିସେସ୍‌ ଲିମିଟେଡ୍‌ (ଇଏଏସ୍‌ଏଲ୍‌)କୁ ୭୩୦୦ କୋଟି ଟଙ୍କାରେ କିଣିଛି। ଷ୍ଟକ୍ ଏବଂ ନଗଦ ରାଶିରେ ଏହି କାରବାର ହୋଇଛି। ଏହି ଅଧିଗ୍ରହଣ ସତ୍ତ୍ବେ ଆକାଶ ଏକ ଅଲଗା ସଂସ୍ଥା ଭାବେ ପରିଚାଳିତ ହେବ। ଏହାର ପ୍ରତିଷ୍ଠାତା ଆକାଶ ଚୌଧୁରୀ ଓ ଜେ ସି ଚୌଧୁରୀ ପୂର୍ବଭଳି ଏହାର ପରିଚାଳନା ଦାୟିତ୍ବରେ ରହିବେ। ଏହି ବୁଝାମଣା ଦ୍ବାରା ବାଇଜୁସ୍‌ର ଅଂଶଧନ ଆକାଶର ପ୍ରତିଷ୍ଠାତା ଓ ବ୍ଲାକ୍‌ଷ୍ଟୋନ୍‌କୁ ପ୍ରଦାନ କରାଯାଇଛି।

ପ୍ରଯୁକ୍ତି ଭିତ୍ତିକ ଶିକ୍ଷା କ୍ଷେତ୍ରରେ ବାଇଜୁସ୍‌ ଏକ ବଡ଼ ସଂସ୍ଥା ଭାବେ ଉଭା ହେଉଛି। ଏହା ବିଶ୍ବର ଅନେକ ଅଗ୍ରଣୀ ନିବେଶକ ଯଥା ମେରି ମେକର, ୟୁରି ମିଲ୍‌ନର, ଚାନ୍‌-ଜୁକରବର୍ଗ ଇନିସିଏଟିଭ୍, ଟେନ୍‌ସେଣ୍ଟ୍, ସେକୋଇଆ କ୍ୟାପିଟାଲ୍ ଓ ଟାଇଗର ଗ୍ଲୋବାଲ୍ ଆଦି ଠାରୁ ପାଣ୍ଠି ହାସଲ କରି ଆର୍ଥିକ ସ୍ତରରେ ନିଜ ସ୍ଥିତିକୁ ବେଶ ସୁଦୃଢ଼ କରିପାରିଛି। ଏଥି ସହିତ ବାଇଜୁସ୍‌ ନିୟମିତ ବ୍ୟବଧାନରେ ଏହାର ପରିସୀମା ବଢ଼ାଇବାରେ ଲାଗିଛି। ଅତୀତରେ ଏହା ଟ୍ୟୁଟରଭିଷ୍ଟା, ଏଡୁରା‌ଇଟ୍‌ ଓ ଓସ୍‌ମୋ ଭଳି ସଂସ୍ଥାକୁ ଅଧିଗ୍ରହଣ କରିଥିଲା। ଗତବର୍ଷ ଏହା ୨୨୦୦ କୋଟି ଟଙ୍କାରେ ହ୍ବାଇଟ୍‌ହ୍ୟାଟ୍ ଜୁନିଅରକୁ କିଣିଥିଲା।

ଆକାଶ ଇନଷ୍ଟିଚ୍ୟୁଟ୍‌ ହେଉଛି ୩୩ ବର୍ଷରୁ ଅଧିକ ପୁରୁଣା ସଂସ୍ଥା। ଆଇଆଇଟି, ନିଟ୍ ଓ ଅଲମ୍ପିଆଡ୍‌ ଭଳି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଇବାରେ ଏହାର ସୁନାମ ରହିଛି। ଦେଶରେ ଆକାଶର ୨୧୫ଟି କେନ୍ଦ୍ର ରହିଛି ଏବଂ ଏହି ସବୁ କେନ୍ଦ୍ରଗୁଡ଼ିକରେ ପ୍ରାୟ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୨୦୧୯‌ରେ ପ୍ରାଇଭେଟ୍ ଇକ୍ବିଟି ସଂସ୍ଥା ବ୍ଲାକ୍‌ଷ୍ଟୋନ୍ ପକ୍ଷରୁ ଏଇଏସ୍‌ଏଲ୍‌ ୩୭.୫ ପ୍ରତିଶତ ଅଂଶଧନକୁ ୧୩୫୦ କୋଟି ଟଙ୍କାରେ ଅଧିଗ୍ରହଣ କରାଯାଇଥିଲା। ବାଇଜୁ ରବିନ୍ଦ୍ରନଙ୍କ ଦ୍ବାରା ୨୦୧୫ରେ ପ୍ରତିଷ୍ଠା କରାଯାଇଥିବା ବାଇଜୁସ୍‌ ଅଳ୍ପ ସମୟ ଭିତରେ ଏକ ବଡ଼ ସଂସ୍ଥା ଭାବେ ନିଜକୁ ଉପସ୍ଥାପନ କରିବାରେ ସଫଳ ହୋଇଛି। ଏହାର ଆପ୍‌କୁ ୮ କୋଟି ପାଖାପାଖି ଛାତ୍ରଛାତ୍ରୀ ବ୍ୟବହାର କରୁଛନ୍ତି। ଗତବର୍ଷ ଲକ୍‌ଡାଉନ୍ ଘୋଷଣା ହେବା ପରେ ବାଇଜୁସ୍‌ ୪.୫ କୋଟି ଛାତ୍ରଛାତ୍ରୀଙ୍କୁ ନିଜ ପ୍ଲାଟଫର୍ମରେ ଯୋଡ଼ିପାରିଛି। କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଅନ୍‌ଲାଇନ୍ ମାଧ୍ୟମ‌ରେ ଶିକ୍ଷାଦାନର ଗୁରୁତ୍ବ ବହୁତ ବଢ଼ିଯାଇଛି। ଏହା ପ୍ରଯୁକ୍ତି ଜରିଆରେ ଶିକ୍ଷାଦାନ କରୁଥିବା ବାଇଜୁସ୍‌ ଭଳି ସଂସ୍ଥା ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଆକାଶକୁ କିଣିବା ପରେ କଂପାନି ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ଶିକ୍ଷାଦାନରେ ନିଜର ସ୍ଥିତିକୁ ମଜଭୂତ କରିପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe