କ୍ୟାବିନେଟ୍‌ ନିଷ୍ପତ୍ତି: ଅଟା ରପ୍ତାନି ଉ‌ପରେ କଟକଣା

Advertisment
ଗହମ ରପ୍ତାନି କଟକଣା ଅବଧି ଆହୁରି ବଢ଼ିବ

The New York Times

ନୂଆଦିଲ୍ଲୀ: ଦରଦାମ୍ ସ୍ଥିତି ଉପରେ ଲଗାମ କଷିବା ଲାଗି କେନ୍ଦ୍ର ସରକାର ଗହମରୁ ପ୍ରସ୍ତୁତ ଅଟା ଓ ମେସଲିନ୍ ଅଟାର ରପ୍ତାନି ଉପରେ କଟକଣା ଲଗାଇବା ଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଜରିଆରେ ସରକାର ଅଟା ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଓ ସମାଜର ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାକୁ ଚାହୁଛନ୍ତି। ଏ ସମ୍ପର୍କରେ ବୈଦେଶିକ ବାଣିଜ୍ୟ ମହାନିର୍ଦେଶାଳୟ (ଡିଜିଏଫ୍‌ଟି) ଖୁବ୍‌ଶୀଘ୍ର ବିଜ୍ଞପ୍ତି ଜାରି କରିବ।

ସାରା ବିଶ୍ବର ଏକ ପଞ୍ଚମାଂଶ ଗହମକୁ ରୁଷ୍ ଓ ୟୁ‌କ୍ରେନ୍ ରପ୍ତାନି କରୁଥିଲେ। ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ସାରା ବିଶ୍ବରେ ଗହମ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଭାରତୀୟ ଗହମର ଚାହିଦା ବୃଦ୍ଧି ପାଇଛି। ଭଲ ଦାମ୍ ମିଳୁଥିବାରୁ ବ୍ୟବସାୟୀମାନେ ରପ୍ତାନି ଉପରେ ଅଧିକ ଧ୍ୟାନ ଦେବା ଯୋଗୁ ଦେଶ ଭିତରେ ତାହାର ମୂଲ୍ୟ ବୃଦ୍ଧି ପାଉଥିଲା। ସେହି ଧାରାକୁ ରୋକିବା ଲାଗି ରପ୍ତାନି ଉପରେ କଟକଣା ଲଗାଯାଇଛି। ଗତ ମେ’ ମାସରେ ସରକାର ଗହମ ରପ୍ତାନି ଉପରେ ମଧ୍ୟ କଟକଣା ଲଗାଇଥିଲେ। ୨୦୨୨ ଏପ୍ରିଲ୍‌-ଜୁଲାଇ ମଧ୍ୟରେ ଭାରତରୁ ଅଟା ରପ୍ତାନିରେ ୨୦୦% ବୃଦ୍ଧି ହୋଇଛି।

ଅଧିକ ଅଟା ବାହାରକୁ ଚାଲିଯିବାରୁ ଦେଶରେ ଅଟା ମଧ୍ୟ ମହଙ୍ଗା ହେବାରେ ଲାଗିଥିଲା। ଅଟା ରପ୍ତାନିକୁ ନିଷିଦ୍ଧ କରିବା ଲାଗି କୌଣସି ନୀତି ନଥିଲା। ତେଣୁ ନୀତିରେ ସାମାନ୍ୟ ପରିବର୍ତ୍ତନ କରି ସରକାର କଠୋର ନିୟମ ଲାଗୁ କରିଛନ୍ତି। ଅଟା, ମଇଦା ଓ ସିମେଇ ରପ୍ତାନି ଉପରେ ଗତ ଜୁଲାଇରେ ସର୍ତ୍ତମୂଳକ କଟକଣା ଲଗାଯାଇଥିଲା। ରପ୍ତାନି ପାଇଁ ଅଟା ପୂର୍ବରୁ ‘ମୁକ୍ତ’ ବର୍ଗରେ ଥିଲା। ଏବେ ତାହାକୁ ‘କଟକଣା’ ବର୍ଗରେ ସାମିଲ କରାଯାଇଛି। ୨୦୨୧-୨୨‌ ଆର୍ଥିକ ବର୍ଷରେ ୨୪୬ ନିୟୁତ ଡଲାରର ଅଟା ରପ୍ତାନି ହୋଇଥିଲା। ଚଳିତ ବର୍ଷ ଏପ୍ରିଲ୍‌-ଜୁନ୍ ତିନି ମାସରେ ତାହାର ଅଧା ପାଖାପାଖି ଅର୍ଥାତ ୧୨୮ ନିୟୁତ ଡଲାରର ଅଟା ରପ୍ତାନି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe