ଭୁବନେଶ୍ବର: ଆହ୍ବାନପୂର୍ଣ୍ଣ ସମୟର ଆବଶ୍ୟକତା ପୂରଣ କରିବା ଲାଗି ରାଜ୍ୟ ସରକାର ବଜେଟ୍ ସ୍ଥିରତା ପାଣ୍ଠି ଗଠନ କରିଛନ୍ତି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ପାଖରେ ଏଭଳି ପାଣ୍ଠି ରହିଛି। ସେହି ବ୍ୟବସ୍ଥାକୁ ଦେଶର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ପ୍ରଶଂସା କରିଛନ୍ତି। ଓଡ଼ିଶା ମଡେଲ୍କୁ ଗ୍ରହଣ କରିବା ଲାଗି ଅନ୍ୟ ରାଜ୍ୟମାନଙ୍କୁ ସିଏଜି ପରାମର୍ଶ ଦେଇଛନ୍ତି। ଅନେକ ରାଜ୍ୟ ବଜେଟ୍ ପ୍ରସ୍ତୁତି ବେଳେ ସଠିକ୍ ଅଭ୍ୟାସ ଗ୍ରହଣ କରୁନାହାନ୍ତି। ଏହା ମଧ୍ୟ ଅଭିଯୋଗ ରହୁଛି ଯେ ରାଜସ୍ବକୁ ନେଇ ସେମାନେ ଉପଯୁକ୍ତ ଯୋଜନା କରିପାରୁନାହାନ୍ତି। ସେଭଳି ରାଜ୍ୟମାନଙ୍କୁ ଓଡ଼ିଶା ଆଧାରରେ ବଜେଟ୍ ସ୍ଥିରତା ପାଣ୍ଠି ଗଠନ କରିବାକୁ ସିଏଜି ପରାମର୍ଶ ଦେଇଛନ୍ତି। ୨୦୨୦ରେ କୋଭିଡ୍ ମହାମାରୀ ବ୍ୟାପିବା ପରେ ଓଡ଼ିଶାରେ ଏହି ପାଣ୍ଠି ଗଠନ କରାଯାଇଥିଲା। ୨୦୨୩-୨୪ ପରଠାରୁ ଖଣି ରାଜସ୍ବର କିଛି ଅଂଶକୁ ସେହି ପାଣ୍ଠିରେ ଜମା କରାଯାଉଛି।
ଉକ୍ତ ପାଣ୍ଠିରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ରାଶି ରହିଛି। ଏହାକୁ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ଉପରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ନିକଟରେ ଦିଲ୍ଲୀରେ ସିଏଜି ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଉପ ସିଏଜି ଜୟନ୍ତ ସିହ୍ନା କହିଥିଲେ ଯେ ଓଡ଼ିଶାର ବଜେଟ୍ ସ୍ଥିରତା ପାଣ୍ଠି ହେଉଛି ଏକ ଉଲ୍ଲେଖନୀୟ ବ୍ୟବସ୍ଥା। ରାଜସ୍ବ ବଳକା ଥିବା ରାଜ୍ୟଗୁଡ଼ିକ ସେହି ମଡେଲ୍ ଅନୁସରଣ କରିପାରିବେ। ଉକ୍ତ ସମ୍ମିଳନୀରେ ଓଡ଼ିଶାର ମଡେଲ୍କୁ ଶ୍ରେଷ୍ଠ ବୋଲି ସ୍ବୀକୃତି ଦିଆଯାଇଥିଲା। ପ୍ରତିବର୍ଷ ଓଡ଼ିଶା ସରକାର କିଛି ପାଣ୍ଠିକୁ ବଜେଟ୍ ସ୍ଥିରତା ପାଣ୍ଠିରେ ଜମା କରୁଛନ୍ତି। ତାହାକୁ ସରକାରୀ ଖାତା ବାହାରେ ରଖାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ତାହାର ପରିଚାଳନା କରୁଛନ୍ତି। ତାହାକୁ ଏକ ସୋଭରେନ୍ ୱେଲ୍ଥ ଫଣ୍ଡ୍ ଭାବେ ପରିଚାଳନା କରାଯାଉଛି। ସରକାରୀ ପ୍ରତିଭୂତିରେ ଉକ୍ତ ରାଶିକୁ ନିବେଶ କରି ତାହାର ପରିମାଣ ବୃଦ୍ଧି କରାଯାଉଛି। କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ ଓଡ଼ିଶାକୁ ଋଣ ଆଣିବାକୁ ପଡ଼ିବ ନାହିଁ। ଏହା ବଜେଟ୍ ସ୍ଥିରତା ପାଣ୍ଠିରୁ ଟଙ୍କା ଆଣିପାରିବ ବୋଲି ଶ୍ରୀ ସିହ୍ନା କହିଛନ୍ତି।
Follow Us