Image Courtesy: The Financial Express
ନୂଆଦିଲ୍ଲୀ: ଦେଶରେ ମାର୍ଚ୍ଚ ମାସରେ ଗାଡ଼ି ବିକ୍ରି ହ୍ରାସ ପାଇଛି। ଅଟୋମୋବାଇଲ ଡିଲର ମହାସଂଘ (ଏଫ୍ଏଡିଏ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏଭଳି ଚିତ୍ର ପଦାକୁ ଆସିଛି। ଗତବର୍ଷର ମାର୍ଚ୍ଚ ମାସ ତୁଳନାରେ ଚଳିତବର୍ଷ ମାର୍ଚ୍ଚରେ ଦେଶରେ ଗାଡ଼ି ପଞ୍ଜୀକରଣ ୨୮.୬୪ ପ୍ରତିଶତ କମିଛି। ଗତବର୍ଷ ମାର୍ଚ୍ଚରେ ମୋଟ ୨୩,୧୧,୬୮୭ ୟୁନିଟ୍ ଗାଡ଼ି ପଞ୍ଜୀକରଣ ହୋଇଥିବାବେଳେ ଚଳିତବର୍ଷ ମାର୍ଚ୍ଚରେ ଏହା ୧୬,୪୯,୬୭୮ ୟୁନିଟ୍କୁ ହ୍ରାସ ପାଇଛି। କିନ୍ତୁ ଚଳିତବର୍ଷର ଫେବ୍ରୁଆରି ତୁଳନାରେ ମାର୍ଚ୍ଚରେ ଅଧିକ ୧୦.୦୫ ପ୍ରତିଶତ ଗାଡ଼ି ପଞ୍ଜୀକରଣ ହୋଇଛି।
ଗତବର୍ଷ ମାର୍ଚ୍ଚ ସହିତ ତୁଳନା କରିଲେ ଚଳିତବର୍ଷ ମାର୍ଚ୍ଚରେ କେବଳ ଟ୍ରାକ୍ଟର ଏବଂ ଯାତ୍ରୀବାହୀ ଯାନ ବିକ୍ରିରେ ବୃଦ୍ଧି ଦେଖାଦେଇଛି। ଟ୍ରାକ୍ଟରରେ ୨୯.୨୧ ପ୍ରତିଶତ ଏବଂ ଯାତ୍ରୀବାହୀ ଯାନରେ ୨୮.୩୯ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ଦୁଇ ଚକିଆ, ତିନି ଚକିଆ ଏବଂ ବାଣିଜ୍ୟିକ ଯାନ ମାର୍ଚ୍ଚ ମାସରେ ଯଥାକ୍ରମେ ୩୫.୨୬ ପ୍ରତିଶତ, ୫୦.୭୨ ପ୍ରତିଶତ ଏବଂ ୪୨.୨୦ ପ୍ରତିଶତ ହ୍ରାସ ଘଟିଛି। ତେବେ ଚଳିତବର୍ଷର ଫେବ୍ରୁଆରି ତୁଳନାରେ ମାର୍ଚ୍ଚରେ ଦୁଇ ଚକିଆ, ତିନି ଚକିଆ, ବାଣିଜ୍ୟିକ ଯାନ, ଯାତ୍ରୀବାହୀ ଯାନ ଏବଂ ଟ୍ରାକ୍ଟର ବିକ୍ରି ଯଥାକ୍ରମେ ୯.୫୪ ପ୍ରତିଶତ, ୧୪.୧୫ ପ୍ରତିଶତ, ୧୦.୧୧ ପ୍ରତିଶତ ଏବଂ ୧୨.୬୦ ପ୍ରତିଶତ ବୃଦ୍ଧି ଘଟିଛି।
ଯାତ୍ରୀବାହୀ ଯାନ କିଣିବା କ୍ଷେତ୍ରରେ ଗ୍ରାହକଙ୍କ ପାଇଁ ଅପେକ୍ଷା ଅବଧି ପାଖାପାଖି ୭ ମାସ ପର୍ଯ୍ୟନ୍ତ ରହୁଛି। ସେମିକଣ୍ଡକ୍ଟରର ଅଭାବ କାରଣରୁ ଏହି ସମସ୍ୟା ଦେଖାଦେଇଛି। ଯୋଗାଣରେ ଅସୁବିଧା କାରଣରୁ ସେମାନଙ୍କ ପାସେଞ୍ଜର ଯାନ ବିକ୍ରି ୨୦ ପ୍ରତିଶତରୁ ଅଧିକ ବାଧାପ୍ରାପ୍ତ ହୋଇଛି ବୋଲି ଡିଲରମାନେ ମତ ଦେଇଛନ୍ତି। ଗତବର୍ଷ ମାର୍ଚ୍ଚରେ ଦେଶରେ ୭ ଦିନ ଧରି ଲକଡାଉନ୍ ଲାଗୁ ହୋଇଥିଲେ ମଧ୍ୟ ଚଳିତବର୍ଷ ମାର୍ଚ୍ଚରେ ଗାଡ଼ି ବିକ୍ରିରେ ହ୍ରାସ ଘଟିଛି ବୋଲି ସଂଘର ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି।
କେବଳ ସେତିକି ନୁହେଁ ଏପ୍ରିଲରେ ବିକ୍ରି ମଧ୍ୟ ପ୍ରଭାବିତ ହେବ ବୋଲି ସଂଘ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତବେଗରେ ବୃଦ୍ଧି ପାଉଛି। ଏଥିପାଇଁ ଯଦି ମହାରାଷ୍ଟ୍ରରେ ଲକ୍ଡାଉନ୍ ହୁଏ ତା’ହେଲେ ତାହାର ସୁଦୂର ପ୍ରଭାବ ଅଟୋମୋବାଇଲ ଶିଳ୍ପ ଉପରେ ପଡ଼ିବ। ଦେଶର ମୋଟ ଅଟୋମୋବାଇଲ ବିକ୍ରିରେ ଏହି ରାଜ୍ୟର ଯୋଗଦାନ ପ୍ରାୟ ୧୦ରୁ ୧୧ ପ୍ରତିଶତ ରହିଥାଏ।
Follow Us